
ନୂଆଦିଲ୍ଲୀ: ୟୁନିଫାଏଡ୍ ପେମେଣ୍ଟ୍ ଇଣ୍ଟରଫେସ୍ ବା ୟୁପିଆଇ ଜରିଆରେ ଟଙ୍କା ନେଣଦେଣ ଏକ ସ୍ବାଭାବିକ ପ୍ରକ୍ରିୟାରେ ପରିଣତ ହୋଇଛି। ଏହା ଲୋକମାନଙ୍କ ଦୈନନ୍ଦିନ ଜୀବନର ଏକ ଅଂଶ ପାଲଟିଯାଇଛି। ତେବେ ଦେଶରେ ଡିଜିଟାଲ ଠକେଇ ବୃଦ୍ଧି ପାଉଥିବାରୁ କେତେକ ନିର୍ଦ୍ଦିଷ୍ଟ ପ୍ରକାର ୟୁପିଆଇ କାରବାର ଉପରେ କଟକଣା ଲଗାଇବା ବିଷୟରେ ଭାରତୀୟ ରିଜର୍ଭ ବ୍ୟାଙ୍କ ବିଚାର କରୁଛି। ଗୋଟିଏ ଆକାଉଣ୍ଟ୍ରୁ ଅନ୍ୟ ଆକାଉଣ୍ଟ୍କୁ ୧୦ ହଜାର ଟଙ୍କାରୁ ଅଧିକ ପଠାଇଲେ ତାହା ସଙ୍ଗେ ସଙ୍ଗେ ଯିବ ନାହିଁ।
ଏକ ଘଣ୍ଟା ବିଳମ୍ବରେ ସେହି ଟଙ୍କା ପାଇବାକୁ ଥିବା ବ୍ୟକ୍ତିଙ୍କ ଆକାଉଣ୍ଟ୍ରେ ପହଞ୍ଚିବ। ପେମେଣ୍ଟ୍ କରିବା ମାତ୍ରେ ପଠାଇଥିବା ବ୍ୟକ୍ତିଙ୍କ ଆକାଉଣ୍ଟ୍ରୁ ଟଙ୍କା କଟିଯିବ, କିନ୍ତୁ ତାହା ପାଇବାକୁ ଥିବା ବ୍ୟକ୍ତିଙ୍କ ଖାତାରେ ଜମା ହେବ ନାହିଁ। ତାହା ଅଲଗା ରହିବ। ଯଦି ପଠାଇଥିବା ବ୍ୟକ୍ତିଙ୍କୁ ଲାଗିବ ଯେ ସେ ଭୁଲରେ ଟଙ୍କା ପଠାଇ ଦେଇଛନ୍ତି, ତେବେ ଉକ୍ତ ସମୟ ସୀମା ଭିତରେ ସେ ସେହି କାରବାରକୁ ବାତିଲ କରିପାରିବେ। ଫଳରେ ତାଙ୍କ ଖାତାକୁ ସେହି ଟଙ୍କା ଫେରିଆସିବ। ବିଳମ୍ବ ସମୟ ଭିତରେ କାରବାରଟି ସ୍ବାଭାବିକ ଲାଗୁଛି ନା ନାହିଁ, ତାହାକୁ ବ୍ୟାଙ୍କଗୁଡ଼ିକ ଯାଞ୍ଚ କରିପାରିବେ। କୌଣସି ନୂଆ ଖାତାକୁ ହଠାତ୍ ମୋଟା ଅଙ୍କର ଟଙ୍କା ପଠାଇବା ଭଳି ମାମଲାରେ ବ୍ୟାଙ୍କଗୁଡ଼ିକ ଗ୍ରାହକଙ୍କୁ ଆଉ ଥରେ ତାହାକୁ ସ୍ପଷ୍ଟ କରିବାକୁ କହିପାରିବେ।
କିଛି ଅସ୍ବାଭାବିକ ମନେ ହେଲେ ବ୍ୟାଙ୍କ ସେହି କାରବାରର ପ୍ରକ୍ରିୟାକରଣକୁ ଅଟକାଇପାରିବେ। ରିଜର୍ଭ ବ୍ୟାଙ୍କ ତଥ୍ୟ ଅନୁସାରେ ୪୫ ପ୍ରତିଶତ ଡିଜିଟାଲ ଠକେଇ ୧୦ହଜାର ଟଙ୍କାରୁ ଅଧିକ ବର୍ଗରେ ହୋଇଛି ଓ ୯୮.୫ ପ୍ରତିଶତ ମାମଲାରେ ଟଙ୍କା ଆଉ ଫେରିନାହିଁ। ସେଥିପାଇଁ ଏହା ମୋଟା ଅଙ୍କର କାରବାରରେ ଠକେଇ ଆଶଙ୍କା ଅଧିକ ରହୁଥିବା ଭାବୁଛି। ୭୦ ବର୍ଷରୁ ଅଧିକ ବର୍ଷର ବୟସ୍କ ବ୍ୟକ୍ତିମାନଙ୍କ ପାଇଁ ଅଧିକ ସତର୍କତା ଅବଲମ୍ବନ କରିବାକୁ ରିଜର୍ଭ ବ୍ୟାଙ୍କ ଭାବୁଛି। ବିଶେଷ କରି ସେମାନେ କରୁଥିବା ୫୦ ହଜାର ଟଙ୍କାରୁ ଅଧିକ କାରବାର ଉପରେ ଜଣେ ‘ବିଶ୍ବସ୍ତ ବ୍ୟକ୍ତି’ଙ୍କ ଅନୁମୋଦନ ପ୍ରକ୍ରିୟା ଯୋଡ଼ିବା ଉପରେ ବିଚାର କରାଯାଉଛି।
ଫଳରେ ଡିଜିଟାଲ ଠକମାନେ ସାମାଜିକ ଚାଲିଚଳଣୀ ବାହାନାରେ ଆଉ ବୟସ୍କମାନଙ୍କୁ ଠକି ପାରିବେ ନାହିଁ। ତେବେ ମୋଟା ଅଙ୍କର ୟୁପିଆଇ ପେମେଣ୍ଟ୍ରେ ବିଳମ୍ବ ବିକଳ୍ପ ବ୍ୟବହାରକାରୀଙ୍କ ଇଚ୍ଛାଧୀନ ରହିବ। ଯେଉଁମାନେ ତାହାକୁ ବ୍ୟବହାର କରିବାକୁ ଚାହୁନାହାନ୍ତି, ସେମାନେ ସେହି ବିକଳ୍ପରୁ ବାହାରିଯାଇପାରିବେ। କିନ୍ତୁ ସେମାନଙ୍କ ପ୍ରତି ଠକେଇ ଆଶଙ୍କା ରହିବ ବୋଲି ରିଜର୍ଭ ବ୍ୟାଙ୍କ ସତର୍କ କରାଇବ। ତେବେ ଦୈନନ୍ଦିନ ପେମେଣ୍ଟ୍, ଅଟୋ ଡେବିଟ୍, ଇଏମ୍ଆଇ ଓ ସବ୍ସ୍କ୍ରିପ୍ସନ୍ ପେମେଣ୍ଟ୍ ଯେଭଳି ପ୍ରଭାବିତ ହେବ ନାହିଁ, ତାହା ଉପରେ ଧ୍ୟାନ ଦିଆଯିବ। ତେବେ ବର୍ତ୍ତମାନ ଏହା କେବଳ ଏକ ପ୍ରସ୍ତାବ ହୋଇ ରହିଛି। ଏହା ଉପରେ ମେ ୮ ସୁଦ୍ଧା ମତାମତ ପଠାଇବାକୁ ରିଜର୍ଭ ବ୍ୟାଙ୍କ କହିଛି। ଯଦି ଏହି କଟକଣା ଲାଗୁ ହେବ ତେବେ ଆଗାମୀ ଦିନରେ ଡିଜିଟାଲ ପେମେଣ୍ଟ୍ରେ ବଡ଼ ଧରଣର ପରିବର୍ତ୍ତ ଘଟିବ, କିନ୍ତୁ ତାହା ଅଧିକ ସୁରକ୍ଷିତ ହୋଇପାରିବ।




