
ମାଲକାନଗିରି: ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ କୋଣ୍ଡାଗାଁ ଜିଲାରେ ୪ହାର୍ଡକୋର୍ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ଦୀର୍ଘଦିନ ଧରି ଓଡ଼ିଶା-ଛତିଶଗଡ ସୀମାରେ ସକ୍ରିୟ ଥିଲେ ଏହି ୪ମାଓବାଦୀ । ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ନାଁରେ ୨୨ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା । ଆତ୍ମସମର୍ପଣ କରିଥିବା ଦୁଇ ମାଓବାଦୀ ଲକ୍ଷ୍ମଣ କୋରାମ ଓରଫ ଜୁନୁ ଓ ସଖରମଙ୍କ ମୁଣ୍ଡ ଉପରେ ଛତିଶଗଡ ସରକାର ପୂର୍ବରୁ ୮ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ରାଶି ଘୋଷଣା କରିଥିଲେ । ସେହିଭଳି ଲକ୍ଷଣଙ୍କ ପତ୍ନୀ ମାଦୋ ଓରଫ ଜରିନା ଉପରେ ୫ ଲକ୍ଷ ଓ ପାଣ୍ଡୁରାମ ଉପରେ ଲକ୍ଷ ଟଙ୍କା ଇନାମ ଘୋଷଣା କରାଯାଇଥିଲା । ସମସ୍ତ ମାଓବାଦୀ ବସ୍ତର, କୋଣ୍ଡାଗାଁ, କାଙ୍କେର, ଦନ୍ତେୱାଡା ଓ ମାନପୁର ଅଞ୍ଚଳରେ ଅନେକ ମାଓ ହିଂସାରେ ସାମିଲ ଥିଲେ । ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ଅର୍ଥ ପ୍ରଦାନ କରାଯାଇଛି । ଏହାସହ ଛତିଶଗଡ଼ ସରକାରଙ୍କ ଦ୍ଵାରା ପ୍ରସ୍ତୁତ ହୋଇଥିବା ନୂଆ ଆତ୍ମସମର୍ପଣ ନୀତି ଅନୁସାରେ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯିବ ବୋଲି କୋଣ୍ଡାଗାଁ ଏସ୍ପି ଓ୍ବାଇ ଅକ୍ଷୟ କୁମାର କହିଛନ୍ତି ।




