ଅନ୍ତିମ ଟେଷ୍ଟ: ୬ ରନରେ ମ୍ୟାଚ୍‌ ଜିତିଲା ଭାରତ

ଲଣ୍ଡନର ଦ ଓଭାଲରେ ଖେଳା ଯାଇଥିବା ଭାରତ ଓ ଇଂଲଣ୍ଡ ଟେଷ୍ଟର ଅନ୍ତିମ ଦିନରେ ଦେଖିବାକୁ ମିଳିଛି ଭରପୂର ରୋମାଞ୍ଚ। ଇଂଲଣ୍ଡ ମାଟିରେ ସିଂହ ଭଳି ଋଣହୁଙ୍କାର ଦେଇ ଭାରତୀୟ ବୋଲର ଘରୋଇ ଟିମ ହାତରୁ ମ୍ୟାଚ୍‌ ଛଡ଼ାଇ ଆଣିଛନ୍ତି। ଶେଷ ଦିନରେ ବିଜୟ ପାଇଁ ଇଂଲଣ୍ଡକୁ ୩୫ ରନ ଦରକାର ଥିବା ବେଳେ ଇଂଲଣ୍ଡ ୩୬୭ ରନରେ ଅଲଆଉଟ ହୋଇଯାଇଛି। ଭାରତ ଶେଷ ଦିନରେ ୪ ୱିକେଟ ଦଖଲ କରି ମାତ୍ର ୬ ରନରେ ମ୍ୟାଚ୍‌ ଜିତି ଆଣ୍ତରସନ-ତେନ୍ଦୁଲକର ଟେଷ୍ଟ ସିରିଜକୁ ୨-୨ର ଶେଷ କରିଛି। ଶୁବମନ ଗିଲଙ୍କ ନେତୃତ୍ୱରେ ପ୍ରଥମଥର ଟେଷ୍ଟ ସିରିଜ ଖେଳୁଥିବା ଇଂଲଣ୍ତକୁ ତା’ରି ମାଟିରେ ପାଣି ପିଆଇ ଦେଇଛି।
୫ମ ଟେଷ୍ଟ ପୂର୍ବରୁ ଭାରତୀୟ ଟିମ ୧-୨ରେ ପଛରେ ରହିଥିଲା। ଶେଷ ଟେଷ୍ଟରେ ରୋମାଞ୍ଚ ଭରି ରହିଥିଲେ ହେଁ ଶେଷରେ ଭାରତ ବାଜି ମାରିନେଇଛି। ଦିବସର ପ୍ରଥମ ଓଭରରେ ଜାମି ଓଭରଟନ ଦମଦାର ଢଙ୍ଗରେ ପ୍ରସିଦ୍ଧ କ୍ରିଷ୍ଣାଙ୍କୁ ଦୁଇଟି ଚୌକା ମାରିଥିଲେ। କିନ୍ତୁ ପରବର୍ତ୍ତୀ ଓଭରରେ ଦେଖିବାକୁ ମିଳିଥିବା ମିଆଁ ମ୍ୟାଜି ବା ମହମ୍ମଦଙ୍କ ଧମାଲ। ସିରାଜ ୨ ରନ କରିଥିବା ଜାମି ସ୍ମିଥଙ୍କୁ ଆଉଟ କରି ଇଂଲଣ୍ଡକୁ ୭ମ ଝଟକା ଦେଇଥିଲେ। ପରବର୍ତ୍ତୀ ବଲରେ ଗସ ଅଟକିନସନ ଦ୍ୱିତୀୟ ସ୍ଲିପ ଅଞ୍ଚଳରେ ସୁଯୋଗ ଦେଇଥିଲେ ହେଁ କେଏଲ ରାହୁଲଙ୍କ ହାତକୁ ବଲ ପହଞ୍ଚି ନଥିଲା। ଏହି ଓଭରରେ ସିରାଜ ମାତ୍ର ୨ ରନ ଦେଇଥିଲେ।

ପରବର୍ତ୍ତୀ ଓଭରରେ ସିରାଙ୍କ ଶିକାର ବନିଥିଲେ ଜାମି ଓଭରଟନ। ଇଂଲଣ୍ଡକୁ ଜିତିବା ପାଇଁ ୧୭ ରନ ଦରକାର ଥିବା ବେଳେ ପ୍ରସିଦ୍ଧ କ୍ରିଷ୍ଣା ଚମତ୍କାର ଢଙ୍ଗରେ ଜୋଶ ଟଙ୍ଗଙ୍କୁ ବୋଲ୍ଡ କରି ଦେଇଥିଲେ। ଶେଷ ବ୍ୟାଟର ଭାବେ ପ୍ରଥମ ଇନଂସରେ କାନ୍ଧ ଖସି ଯିବା ଯୋଗୁ ଡ୍ରେସିଂ ରୁମରେ ରହିଥିବା କ୍ରିସ ୱିକ୍ସ ଗୋଟିଏ ହାତରେ ବ୍ୟାଟ ଧରି ପଡ଼ିଆକୁ ପ୍ରବେଶ କରିଥିଲେ। ତାଙ୍କୁ କେବଳ ଗସ ଅଟକିନସଙ୍କୁ ସାଥ ଦେବାର ଥିଲା। କାରଣ ସେ ଗୋଟିଏ ହାତରେ ବ୍ୟାଟିଂ କରିବା ସମ୍ଭବ ନୁହେଁ। କେବଳ ଶେଷ ୱିକେଟ ଭାବେ ସେ କ୍ରିଜକୁ ଆସିଥିଲେ।

ଏତିକି ବେଳେ ସିରାଜଙ୍କୁ ଅଟକିନସନ ଗୋଟିଏ ଛକା ମାରିଥିଲେ। ବିଜୟ ଟାର୍ଗେଟ ୧୧କୁ ଖସି ଆସିଥିଲା। ପରବର୍ତ୍ତୀ ଦୁଇଟି ବଲରେ କୌଣସି ରନ ହୋଇ ନଥିଲା। ଓଭରର ଶେଷ ବଲ ଅଟକିନସନଙ୍କ ବ୍ୟାଟରେ ବାଜି ନଥିଲେ ହେଁ ବାଇରେ ୧ ରନ ୱକ୍ସ ଚୋରାଇ ନେଇଥିଲେ। ଧ୍ରୁବ ଜୁରେଲଙ୍କ ସିଧା ଥ୍ରୋ ୱିକେଟରେ ବାଜି ନଥିଲା।

ଇଂଲଣ୍ଡକୁ ବିଜୟ ପାଇଁ ୧୦ ରନ ଦରକାର ଥିବା ବେଳେ ଅଟକିନସନ ୨ ରନ ନେଇ ଯାଇଥିଲେ। ସେହିପରି ଓଭରର ଶେଷ ବଲରେ ସେ ପ୍ରସିଦ୍ଧଙ୍କ ବଲରେ ୧ରନ ନେଇ ପୁଣି ଷ୍ଟ୍ରାଇକ ନିଜ ପାଖରେ ରଖିଥିଲେ।

ବିଜୟ ପାଇଁ ୭ ରନ ଦରକାର ଥିବା ବେଳେ ଆସିଥିଲେ ସିରାଜ। ପ୍ରଥମ ବଲରେ ସେ ଅଟକିସନଙ୍କୁ ବୋଲ୍ଡ କରି ଭାରତକୁ ୬ ରନରେ ବିଜୟ ଭେଟି ଦେଇଛି। ଗିଲ ପ୍ରଥମ ଥର କୌଣସି ଟେଷ୍ଟ ସିରିଜରେ ନିଜର କ୍ୟାପ୍ଟେନ ଇନିଂସ ଆରମ୍ଭ କରିଥିବା ବେଳେ ଏହା ୨-୨ରେ ଶେଷ ହୋଇଛି। ଦ୍ୱିତୀୟ ଇଂନିସରେ ସିରାଜ ୫ ୱିକେଟ ନେଇଥିବା ବେଳେ ପ୍ରସିଦ୍ଧ କ୍ରିଷ୍ଣା ୪ଟି ଓ ଆକାଶ ଦୀପ ଗୋଟିଏ ସଫଳତା ପାଇଛନ୍ତି। ଏହି ୫ ଟିକିଆ ଟେଷ୍ଟ ସିରିଜରେ ସିରାଜ ସବୁ ମ୍ୟାଚ ଖେଳିଥିବା ବେଳେ ୨୩ଟି ୱିକେଟ ଦଖଲ କରିଛନ୍ତି। ତାଙ୍କ ଠାରୁ ଅଧିକ ୱିକେଟ କୌଣସି ଖେଳାଳି ନେଇ ନାହାନ୍ତି। ସେହିପରି ୫ମ ଟେଷ୍ଟର ପ୍ରଥମ ଇନିଂସରେ ସିରାଜ ୪ ୱିକେଟ ନେଇଥିଲେ। ଉଭୟ ଇନଂସରେ ୯ଟି ୱିକେଟ ନେଇଥିବାରୁ ତାଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଛି।

ଇଂଲଣ୍ଡ ପାଇଁ ପ୍ରଥମ ଇନିଂସରେ ୫୩ ଓ ଦ୍ୱିତୀୟ ଇନିଂସରେ ୧୧୧ ରନ କରିଥିବା ହ୍ୟାରୀ ବ୍ରୁକଙ୍କୁ ସିରିଜର ଶ୍ରେଷ୍ଠ ଖେଳାଳି ପୁରସ୍କାର ଦିଆଯାଇଛି। ଭାରତୀୟ ଟିମର କୋଚ୍‌ ଗୌତମ ଗମ୍ଭୀରଙ୍କ ପକ୍ଷରୁ ଇଂଲଣ୍ଡର ବ୍ରୁକଙ୍କୁ ମ୍ୟାନ ଅ‍ଫ ଦି ସିରିଜ ଭାବେ ଚୟନ କରାଯାଇଥିଲା।

ସିରିଜରେ ରେକର୍ଡ ୭୫୪ ରନ କରିଥିବା ଭାରତୀୟ ଟିମର ଅଧିନାୟକ ଶୁବମନ ଗିଲଙ୍କୁ ଇଂଲଣ୍ଡର ମୁଖ୍ୟ କୋଚ୍‌ ବ୍ରେଣ୍ଡନ ମ୍ୟାକକୁଲମ ମ୍ୟାନ ଅଫ ଦି ସିରିଜ ପାଇଁ ଚୟନ କରିଥିଲେ। ସେହି ଅନୁସାରେ ଗିଲଙ୍କୁ ମଧ୍ୟ ମ୍ୟାନ ଅଫ ଦି ସିରିଜ ପୁରସ୍କାର ମିଳିଛି। ଉଭୟ ଟିମର ଜଣେ ଲେଖାଏ ଖେଳାଳି ମ୍ୟାନ ଅଫ ଦି ସିରିଜ ପୁରସ୍କାର ଜିତିଛନ୍ତି।

ମ୍ୟାଚ୍‌ କଥା ବିଚାରକୁ ନେଲେ ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିବା ଟିମ୍ ଇଣ୍ଡିଆ ପ୍ରଥମ ଦିନ ବ୍ୟାଟିଂ ବିପର୍ୟ୍ୟୟର ସମ୍ମୁଖୀନ ହୋଇଥିଲା। କରୁଣ ନାୟରଙ୍କ ୫୭ ରନ ଓ ସାଇ ସୁଦର୍ଶନଙ୍କ ୩୮ ରନ ବଳରେ ଭାରତ ୨୨୪ ରନରେ ଅଲଆଉଟ ହୋଇଯାଇଥିଲା। ଏହାର ଜବାବରେ ଜ୍ୟାକ କ୍ରଉଲୀଙ୍କ ୬୪ ରନ ବଳରେ ଇଂଲଣ୍ଡ ତା’ର ପ୍ରଥମ ଇନଂସରେ ୨୪୭ ରନ କରିଥିଲା। ଫଳରେ ଘରୋଇ ଟିମକୁ ଗୁରୁତ୍ୱପୂର୍ଣ୍ଣ ୨୩ ରନର ଲିଡ ମିଳି ଯାଇଥିଲା।

ଦ୍ୱିତୀୟ ଇନିଂସରେ ଭାରତ ଦମଦାର ବ୍ୟାଟିଂ କରିଥିଲା। ଯଶସ୍ୱୀ ଜୈସୱାଲ ୧୧୮ ରନ କରିଥିବା ବେଳେ ନାଇଟ ୱାଚ ମ୍ୟାନ ଆକାଶ ଦୀପଙ୍କ ବ୍ୟାଟରୁ ତାଙ୍କ ଟେଷ୍ଟ କ୍ୟାରିୟରର ପ୍ରଥମ ଅର୍ଦ୍ଧଶତକ ବାହାରିଥିଲା। ସେ ୬୬ ରନ କରିଥିଲେ। ରବୀନ୍ଦ୍ର ଜାଡେଜା ଓ ୱାଶିଂଟନ ସୁନ୍ଦର ଶେଷ ଭାଗରେ ୫୩ ରନ୍ ଲେଖାଏ କରିଥିଲେ। ଏମାନଙ୍କ ବ୍ୟତୀତ ଧ୍ରୁବ ଜୁଏଲ ୩୪, କେଏଲ ରାହୁଲ ୭, ସାଇ ସୁଦର୍ଶନ ୧୧, ଶୁବମନ ଗିଲ ୧୧ ଓ କରୁଣ ନାୟର ୧୭ ରନ୍ କରିଥିଲେ। ଭାରତ ଦ୍ୱିତୀୟ ଇନିଂସରେ ୩୯୬ ରନ କରିବାରୁ ଇଂଲଣ୍ଡକୁ ଜିତିବା ପାଇଁ ମିଳିଥିଲା ୩୭୪ ରନର ଟାର୍ଗେଟ।

ଇଂଲଣ୍ଡ ତା’ର ଦ୍ୱିତୀୟ ଇନିଂସରେ ଏକଦା ୧୦୬ ରନ୍‌ରେ ୩ଟି ୱିକେଟ୍ ହରାଇଥିଲା। କିନ୍ତୁ ତା’ପରେ ପ୍ରାୟ ୩୫ ଓଭର ଧରି ଦଳ ଆଦୌ ୱିକେଟ୍ ହରାଇ ନଥିଲା। ଜୋ ରୁଟ୍ ଓ ହ୍ୟାରୀ ବ୍ରୁକ୍‌ ଭାରତୀୟ ଦଳ ପାଇଁ କଣ୍ଟା ସାଜିଲେ। ଏହି ଯୋଡ଼ି ଭାଙ୍ଗିଲା ବେଳକୁ ଦଳର ସ୍କୋର ୩୦୧ରେ ପହଞ୍ଚି ସାରିଥିଲା।

ହ୍ୟାରୀ ବ୍ରୁକ୍‌ ୯୮ ବଲ୍‌ରେ ୨ ଛକା ଓ ୧୪ ଚୌକା ସହାୟତାରେ ୧୧୧ ରନ୍ କରି ଆକାଶ ଦୀପଙ୍କ ବଲରେ କ୍ୟାଚ୍ ଆଉଟ୍ ହୋଇଥିଲେ। ସେ ଆଉଟ୍ ହେବା ପରେ ଜୋ ରୁଟ୍ ଖେଳ ବଜାୟ ରଖି ଶତକ ପୂରଣ କରିଥିଲେ। ସେ ୧୦୫ ରନ କରି ଆଉଟ୍ ହେବା ପରେ ମ୍ୟାଚ୍‌ରେ ରୋମାଞ୍ଚ ଭରିଥିଲା। ଜ୍ୟାକବ ବେଥଲ ୨ ମଧ୍ୟ ୪ର୍ଥ ଦିନରେ ଆଉଟ ହୋଇଥିଲେ।

ଶେଷ ଦିନରେ ଇଂଲଣ୍ଡକୁ ଜିତିବା ପାଇଁ ୩୫ ରନ ଓ ଭାରତକୁ ୪ ୱିକେଟ ଦରକାର ଥିବା ବେଳେ ମିଆଁ ମ୍ୟାଜିକ କିଛି ସମୟ ପାଇଁ ଦେଖିବବାକୁ ମିଳିଥିଲା। ସିରାଜ ପ୍ରଥମେ ଜାମି ସ୍ମିଥ ଓ ପରେ ୯ ରନ କରିଥିବା ଓଭରଟନଙ୍କୁ ଆଉଟ କରିଥିଲେ। ଓଭରଟନ ଆଉଟ ହେବା ବେଳକୁ ଇଂଲଣ୍ଡକୁ ଜିତିବା ପାଇଁ ୨୦ ରନ ଦରକାର ଥିଲା। ଏହାପରେ ମଧ୍ୟ ସିରାଜ ନିଜର ଶତ ପ୍ରତିଶତ ଦେଇଥିଲେ।

୪ର୍ଥ ଦିନରେ ଜୋ ରୁଟ ଓ ବେଥେଲଙ୍କ ୱିକେଟ ନେଇଥିବା ପ୍ରସିଦ୍ଧ କ୍ରିଷ୍ଣା ଆଜି ଜୋଶ ଟଙ୍ଗଙ୍କୁ ବୋଲ୍ଡ କରିଥିଲେ। ବାକି କାମ ସିରାଜ କରିବା ସହ ୫ ୱିକେଟ ସଫଳତା ହାସଲ କରିଥିଲେ। ବିଜୟ ପରେ ପୂରା ଷ୍ଟାଡିୟମରେ ଖେଳାଳିମାନେ ବୁଲିବୁଲି ଦର୍ଶକଙ୍କ ଅଭିବାଦନ ଗ୍ରହଣ କରିଥିଲେ।

ସିରିଜର ପ୍ରଥମ ମ୍ୟାଚ୍‌ ଇଂଲଣ୍ଡ ଜିତିଥିବା ବେଳେ ଭାରତ ଦ୍ୱିତୀୟ ମ୍ୟାଚ୍‌ରେ କମବ୍ୟାକ କରିଥିଲା। ତୃତୀୟ ମ୍ୟାଚ୍‌ରେ ଐତିହାସିକ ଲର୍ଡସରେ ଖେଳା ଯାଉଥିବା ବେଳେ ଭାରତ ପାଖରେ ବିଜୟର ସୁଯୋଗ ଥିଲା। କିନ୍ତୁ ଇଂଲଣ୍ଡ ୨୨ ରନରେ ମ୍ୟାଚ୍‌ ଜିତି ସିରିଜକୁ ୨-୧ ସ୍ଥିତିକୁ ନେଇ ଆସିଥିଲା। ମାଞ୍ଚେଷ୍ଟରେ ଇଂଲଣ୍ଡର ନିଶ୍ଚିତ ବିଜୟକୁ ଭାରତ ଡ୍ର କରି ଦେଇଥିଲା। ଏବେ ୫ମ ଟେଷ୍ଟରେ ଭାରତ ୬ରେ ବିଜୟ ହୋଇଛି।

  • Related Posts

    ଲକ୍ଷ୍ନୌକୁ ୬ ଓ୍ବିକେଟରେ ହରାଇଲା ଦିଲ୍ଲୀ

    ଲକ୍ଷ୍ନୌ:ଆଇପିଏଲ୍ ୨୦୨୬ ର ପଞ୍ଚମ ଲିଗ୍ ମ୍ୟାଚ୍ ରେ, ଦିଲ୍ଲୀ କ୍ୟାପିଟାଲ୍ସ ଲକ୍ଷ୍ନୌ ସୁପରଜାଏଣ୍ଟସ୍ କୁ ୬ ୱିକେଟରେ ପରାସ୍ତ କରିଛି। ସମୀର ରିଜଭି ଏବଂ ଟ୍ରିଷ୍ଟନ୍ ଷ୍ଟବ୍ସ ଦଳକୁ ବିଜୟୀ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଏହି ଯୋଡ଼ି…

    Continue reading
    ଆଇପିଏଲ: ଆଜି ଦିଲ୍ଲୀ-ଲକ୍ଷ୍ନୌ ମୁହାଁମୁହିଁ

    ଆଜି ଆଇପିଏଲ ୨୦୨୬ର ପଞ୍ଚମ ମ୍ୟାଚ ଖେଳାଯିବ । ରିଷଭ ପନ୍ତଙ୍କ ନେତୃତ୍ୱରେ ଲକ୍ଷ୍ନୌ ଦଳ ଘରୋଇ ଗ୍ରାଉଣ୍ଡ୍‌ରେ ଦିଲ୍ଲୀକୁ ଭେଟିବ । ଉଭୟ ଦଳ ବିଜୟ ସହ ଅଭିଯାନ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଥିବାରୁ ଆଜି ଏକ ସଂଘର୍ଷପୂର୍ଣ୍ଣ ମୁକାବିଲା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ