
ଭୁବନେଶ୍ୱର : ଅଶାନ୍ତ ବିଜେବି କଲେଜ । ଫେରୱେଲ୍ ପାର୍ଟିରୁ ପିଟାପିଟି । ଡିଜେ ବଜାଇବାକୁ ନେଇ କ୍ୟାମ୍ପସରେ ଉତ୍ତେଜନା ପ୍ରକାଶ ପାଇଛି । ଦୁଇ ହଷ୍ଟେଲ ପିଲାଙ୍କ ମଧ୍ୟରେ ଗଣ୍ଡଗୋଳ ପରିସ୍ଥିତି ସୃଷ୍ଟି ହୋଇଛି । ପଥର ମାଡ ଯୋଗୁ ୨୫ରୁ ଅଧିକ ଛାତ୍ର ଆହତ ହୋଇଛନ୍ତି । ସେମାନଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପୁଲିସ୍ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିଥିଲା । ଅଭିଯୋଗ ଅନୁଯାୟୀ, ଗତକାଲି ରାତିରେ ଅଶୋକା ହଷ୍ଟେଲରେ ଫେରୱେଲ ପାର୍ଟି ଚାଲିଥିଲା । ରାତିରେ ହଷ୍ଟେଲ ପିଲା ନାଚଗୀତରେ ମସଗୁଲ ଥିଲେ । ଏନେଇ ଆମ୍ବେଦକର ହଷ୍ଟେଲର କିଛି ପିଲା ପୁଲିସ୍ କୁ ଖବର ଦେଇଥିଲେ। ପୁଲିସ୍ ପହଞ୍ଚି ଡିଜେ ବନ୍ଦ କରିଥିଲା । ଏହାପରେ ଦୁଇ ହଷ୍ଟେଲ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ବିୟର ବୋତଲ ଏବଂ ପଥର ମାଡ ଆରମ୍ଭ ହୋଇଥିଲା। ରାତି ୧୧.୩୦ ରୁ ଆରମ୍ଭ ହୋଇ ୨.୩୦ ପର୍ୟ୍ୟନ୍ତ ଝଗଡ଼ା ଚାଲିଥିଲା । ପ୍ରାୟ ୨୫ରୁ ଅଧିକ ଛାତ୍ର ଆହତ ହୋଇ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଗତକାଲି ରାତିରୁ ବ୍ୟାପକ ପୁଲିସ୍ ଫୋର୍ସ ମୁତୟନ ହୋଇଛନ୍ତି।



