
ଚଳିତ ବର୍ଷ ଆଇପିଏଲ ନିଲାମରେ ନାହାନ୍ତି ଜଣେ ହେଲେ ଓଡ଼ିଆ । ୨୦୦ରୁ ଅଧିକ ଅନକ୍ୟାପଡ୍ ପ୍ଲେୟାର ଅକ୍ସନ ପାଇଁ ସର୍ଟ ଲିଷ୍ଟ ହୋଇଥିବା ବେଳେ ଏଥିରେ ଜଣେ ହେଲେ ଓଡ଼ିଆ ଖେଳାଳି ସ୍ଥାନ ପାଇନାହାନ୍ତି । ବିସିସିଆଇର ବିଭିନ୍ନ ଟୁର୍ଣ୍ଣାମେଣ୍ଟରେ ଓଡ଼ିଶା ଟିମ୍ର ଖରାପ ପ୍ରଦର୍ଶନ ଯୋଗୁଁ ଓଡ଼ିଆ ଖେଳାଳିମାନେ ସୁଯୋଗରୁ ବଞ୍ଚିତ ହେଉଛନ୍ତି । ଏବେ ଆତ୍ମସମୀକ୍ଷାର ବେଳେ ନ ହେଲେ ରାଜ୍ୟରେ ବୁଡିଯିବ କ୍ରିକେଟର ଭାଗ୍ୟ ।
ପ୍ରଥମେ ହଳଧର, ପରେ ବିପ୍ଳବ ଏବଂ ତାଙ୍କ ପରେ ଶୁଭ୍ରାଂଶୁ । ଆଇପିଏଲ ଇତିହାସରେ ଏହି ତିନି ଓଡ଼ିଆ କ୍ରିକେଟରଙ୍କୁ ମିଳିଛି ଆଇପିଏଲ କ୍ୟାମ୍ପରେ ସୁଯୋଗ । ହଳଧର ଦାସ ଏବଂ ବିପ୍ଳବ ସାମନ୍ତରାୟ ଡେକାନ ଚାର୍ଜସ ଓ ସନ ରାଇଜର୍ସ ହାଇଦ୍ରାବାଦ ପକ୍ଷରୁ ଖେଳିବାକୁ ସୁଯୋଗ ପାଇଥିବା ବେଳେ । ଦୁଇ ଦୁଇଥର ଆଇପିଏଲ ସିଜିନରେ ଚେନ୍ନାଇ ସହ ରହି ଗୋଟିଏ ମ୍ୟାଚ ଖେଳିବାକୁ ସୁଯୋଗ ପାଇନଥିଲେ ଶୁଭ୍ରାଂଶୁ ସେନାପତି । ମାତ୍ର ବିଗତ କିଛି ବର୍ଷ ହେଲା ଅକ୍ସନରେ ପିକ୍ ହେଉନାହାନ୍ତି ଓଡ଼ିଆ ପ୍ଲେୟାର । କୌଣସି ଫ୍ରାଞ୍ଚାଇଜ୍ରେ ଖେଳିବା ତ ଦୂରର କଥା ଅକ୍ସନ ଟେବୁଲରେ ପହଞ୍ଚି ପାରୁନାହାନ୍ତି ଓଡ଼ିଆ ଖେଳାଳି । ଘରୋଇ କ୍ରିକେଟରେ ଖରାପ ପ୍ରଦର୍ଶନ ଏବଂ ଭିଜନ୍ ଲେସ୍ ପାଇଁ ଏଭଳି ସ୍ଥିତି ସୃଷ୍ଟି ହୋଇଛି ।
ବିଗତ ଦିନରେ ଘରୋଇ କ୍ରିକେଟରେ ଓଡ଼ିଶାର ଭଲ ପ୍ରଦର୍ଶନ କରି ନାହିଁ । ଦଳ ଗତ ହେଉ କିମ୍ବା ବ୍ୟକ୍ତିଗତ କାହାର ନାହିଁ ଖାସ ପ୍ରଦର୍ଶନ । ପଡ଼ୋଶୀ ରାଜ୍ୟ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ବିହାର, ଛତିଶଗଡ଼ ରାଜ୍ୟର ଏକାଧିକ କ୍ରିକେଟର ଏହି ଅକ୍ସନରେ ସାମିଲ ହୋଇଥିବା ବେଳେ ଓଡ଼ିଶାର ନାହାନ୍ତି ଗୋଟିଏ ବି ପ୍ଲେୟାର । ଚଳିତ ବର୍ଷ ମଧ୍ୟ ଖେଳାଯାଇଥିବା ଘରୋଇ ଟୁର୍ଣ୍ଣାମେଣ୍ଟ ସୟଦ ମୁସ୍ତାକ ଅଲ୍ଲୀରେ ବିଶେଷ ଭଲ ପ୍ରଦର୍ଶନ ନଥିବା ଯୋଗୁଁ ସୁପର ଲିଗ୍ ଷ୍ଟେଜ ପାଇଁ କ୍ୱାଲିଫାଏ କରିବାକୁ ଫେଲ୍ ମାରିଲା ଦଳ ।
ଅନେକ ରାଜ୍ୟ ବିଭିନ୍ନ କ୍ରିକେଟ ଲିଗ୍ କରି ଅନେକ ପ୍ରତିଭାବାନ ପ୍ଲେୟାର ସୃଷ୍ଟି କରୁଥିବା ବେଳେ ପଛରେ ପଡ଼ିଯାଇଛି ଓଡ଼ିଶା । ଓସିଏ କର୍ତ୍ତୁପକ୍ଷ ଆଗାମୀ ଦିନରେ ଏ ଦିଗରେ ଧ୍ୟାନ ଦେବାକୁ ବିଭିନ୍ନ ମହଲରେ ଦାବି ଉଠୁଛି ।




