
ଭୁବନେଶ୍ବର: ନିଶାମାଫିଆ ଓ କାରବାର କରୁଥିବା ବେପାରୀଙ୍କୁ ମିଳିବ ମୁହଁତୋଡ଼ ଜବାବ। ନିଶା କାରବାରକୁ ଦମନ ଲାଗି ଆଜିଠାରୁ ଆରମ୍ଭ ହେଉଛି ଅପରେସନ୍ ପ୍ରହାର। ବେଆଇନ ମାଦକ ଦ୍ରବ୍ୟ ବିକ୍ରି ଓ ଚୋରାଚାଲାଣ ବିରୋଧରେ ରାଜ୍ୟବ୍ୟାପୀ ଧରପଗଡ଼ ଆରମ୍ଭ ହେବ। ବିଭିନ୍ନ ତଦନ୍ତକାରୀ ସଂସ୍ଥା ପକ୍ଷରୁ ବେଆଇନ ନିଶାକୁ ମୂଳପୋଛ ଲାଗି ରଣନୀତି ପ୍ରସ୍ତୁତ ହୋଇଛି।
ସେପଟେ ରାଜ୍ୟ ସରକାରଙ୍କ ପକ୍ଷରୁ ଗଠିତ କମିଟି ସଦସ୍ୟଙ୍କ ମନୋନୟନ ସରିଛି। ବିଭିନ୍ନ ତଦନ୍ତକାରୀ ଦଳ ମଧ୍ୟରେ ସମନ୍ବୟ ରକ୍ଷା କରାଯାଇ କିପରି ବେଆଇନ ନିଶା କାରବାର ରୋକାଯାଇପାରିବ, ସେଦିଗରେ ଖସଡ଼ା ପ୍ରସ୍ତୁତ କରାଯାଇ କାର୍ୟ୍ୟକାରୀ କରାଯିବ। ବିଭିନ୍ନ ଜିଲାକୁ ଜୋନ୍ରେ ବିଭକ୍ତ କରାଯାଇଛି ଏସ୍ଟିଏଫ୍, ଅବକାରୀ, ଜିଲା ପୁଲିସ ଓ ଏନ୍ସିବିର ମିଳିତ ଦଳ ପକ୍ଷରୁ ଚଢ଼ଉ କରାଯିବ ବୋଲି ଜଣେ ଅଧିକାରୀ ସୂଚନା ଦେଇଛନ୍ତି।