
ପୁରୀ: ଚୈତ୍ର ଶୁକ୍ଳପକ୍ଷ ଶ୍ରୀରାମ ନବମୀ ତିଥିରେ ଆଜି ଶ୍ରୀମନ୍ଦିରରେ ଶ୍ରୀରାମଚନ୍ଦ୍ରଙ୍କ ଜନ୍ମ ନୀତି ଅନୁଷ୍ଠିତ ହେବ। ଏଥିପାଇଁ ଅପରାହ୍ଣ ୫ଟାରୁ ରାତି ୧୦ଟା ପର୍ୟ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ଆଜି ନବମୀ ତିଥିରେ ଠାକୁରମାନଙ୍କ ମଧ୍ୟାହ୍ନ ଧୂପ ନୀତି ଶେଷ ପରେ ଜନ୍ମନୀତି ହେବ। ୨ ମହାଜନ ସେବକ ଦଶରଥ ଓ କୌଶଲ୍ୟା ହୋଇ ଜନ୍ମବିଧି ପାଳନ କରିବେ। ଏହି ଗୁପ୍ତ ନୀତିକୁ କେହି ଯେପରି ଦେଖି ନ ପାରିବେ ସେଥିପାଇଁ ଗର୍ଭଗୃହରେ ଥିବା ଜୟବିଜୟ ଦ୍ୱାରକୁ ବନ୍ଦ କରାଯାଇଥାଏ। ମଧ୍ୟାହ୍ନ ଧୂପ ଭୋଗ ଉଠିବା ପରେ ଶ୍ରୀରାମ ଜନ୍ମ ନୀତି ଶେଷ ହେବା ପର୍ୟ୍ୟନ୍ତ ଆପାତତଃ ଅପରାହ୍ଣ ୫ଟାରୁ ରାତି ୧୦ଟା ପର୍ୟ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଶ୍ରୀରାମ ଜନ୍ମ ନୀତି ପରେ କର୍ପୂର ଆଳତି ବନ୍ଦାପନା କରାଯାଇ ମହାସୁଆର ଗଣ୍ଡୁସ ମସଲା, କ୍ଷୀର ମଣୋହୀ କରାଯିବାର ନିୟମ ରହିଛି। ଏହା ପରେ ପଣ୍ଡା ଶୀତଳ ଭୋଗ କରାଇବା ସହ ମହାସୁଆର ଜୟବିଜୟ ଦ୍ୱାରରେ ଚରୁଭାତ ମଣୋହି କରାଇଥାନ୍ତି।




