
ଭୁବନେଶ୍ୱର: ଆଜି ଉତ୍କଳ ଦିବସ । ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନକୁ ଆଜି ୯୦ ବର୍ଷ ପୁରଣ ହୋଇଛି । ଦେଶର ପ୍ରଥମ ଭାଷା ଭିତ୍ତିକ ରାଜ୍ୟ ଭାବେ ଆଜି ଓଡ଼ିଶା ମାନ୍ୟତା ହାସଲ କରିଥିଲା । ଏହି ସଫଳତା ପଛରେ ନିଜର ବଳିଦାନ ଦେଇଥିବା ବୀରଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହିତ ତାଙ୍କ ମହାନତାକୁ ନତମସ୍ତକ ପ୍ରଣାମ । ଚଳିତବର୍ଷ ଉତ୍କଳ ଦିବସ ଅବସରରେ ଆଜିଠାରୁ ଆସନ୍ତା ଏପ୍ରିଲ ୧୪ ତାରିଖ ପର୍ୟ୍ୟନ୍ତ ୧୫ ଦିନ ଧରି ‘ଓଡ଼ିଆ ପକ୍ଷ’ ଭାବେ ଧୁମ୍ଧାମ୍ରେ ପାଳନ କରାଯିବ ।
ରାଜ୍ୟ ପାଇଁ ଆଜି ଏକ ଗରିମାମୟ ଦିବସ । ରାଜ୍ୟ ତଥା ରାଜ୍ୟ ବାହାରେ ପ୍ରତ୍ୟେକ ଓଡ଼ିଆଙ୍କ ହୃଦୟରେ ନିଜ ଭାଷା, ରାଜ୍ୟ, ଐତିହ୍ୟ, ଇତିହାସକୁ ନେଇ ଗର୍ବ ଅନୁଭବ କରିଥାନ୍ତି । ଦେଶର ବହୁ ଉଚ୍ଚ ପଦପଦବୀରେ ଏବେ ଓଡ଼ିଆମାନେ ରହି ଦେଶର ପ୍ରଗତିରେ ଅସୀମ ଯୋଗଦାନ ଦେଉଛନ୍ତି । ଆଜି ଓଡ଼ିଶା ସହିତ ଓଡ଼ିଆ ଭାଷାଭାଷୀ ଲୋକଙ୍କ ପାଇଁ ଏକ ଗର୍ବର ଦିନ । ଏହି ଅବସରରେ ରାଜ୍ୟପାଳ ଶୁଭେଚ୍ଛା ଜଣାଇଛନ୍ତି ।
ଉତ୍କଳ ଦିବସ ଅବସରରେ ଓଡିଶା ରାଜ୍ୟପାଳ ହରିବାବୁ କମ୍ଭମପାଟି ଶୁଭେଚ୍ଛା ଜଣାଇଛନ୍ତି । ସେ ନିଜX ହ୍ୟାଣ୍ଡେଲରେ ଲେଖିଛନ୍ତି, “ରାଜ୍ୟର ସମସ୍ତ ପ୍ରିୟ ଭଉଣୀ ଓ ଭାଇମାନଙ୍କୁ ଓଡ଼ିଶାଦିବସର ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ। ସ୍ୱତନ୍ତ୍ର ଓଡ଼ିଶା ଗଠନ ପାଇଁ ଅତୁଳନୀୟ ଅବଦାନ ଦେଇ ଆମର ଭାଷା, ସାହିତ୍ୟ ଓ ସଂସ୍କୃତିକୁ ସମ୍ମାନ ଓ ପରିଚୟ ଦେଇଥିବା ମହାପୁରୁଷମାନଙ୍କୁ ମୋର ଗଭୀର ଶ୍ରଦ୍ଧାଞ୍ଜଳି। ଆସନ୍ତୁ, ଆମେ ସମସ୍ତେ ମିଳିମିଶି ଓଡ଼ିଶାର ଅସ୍ମିତା ଓ ଗୌରବକୁ ଅଧିକ ରୁଦ୍ଧିମନ୍ତ କରିବାପାଇଁ ସଂକଳ୍ପ ନେବା ।”




