
ଭୁବନେଶ୍ୱର: ଆଜି ଉତ୍କଳ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓଡିଶାବାସୀଙ୍କୁ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଐତିହାସିକ ଦିବସ ଅବସରରେ ଦେଶ ଓ ବିଦେଶରେ ରହୁଥିବା ସମସ୍ତ ଓଡ଼ିଆ ଭାଇ ଭଉଣୀମାନଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି । ସେ ନିଜ X ପୋଷ୍ଟରେ ଲେଖିଛନ୍ତି, “ଭାଷା ଭିତ୍ତିରେ ଗଠିତ ପ୍ରଥମ ପ୍ରଦେଶ ଭାବେ ଓଡ଼ିଶା ବିଶ୍ୱ ଦରବାରରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲା। ଏହି ଅବସରରେ ମୁଁ ସେହି ମହାନ ବରପୁତ୍ରମାନଙ୍କୁ ମୋର ଗଭୀର ଶ୍ରଦ୍ଧାଞ୍ଜଳି ଜଣାଉଛି, ଯେଉଁମାନଙ୍କ ତ୍ୟାଗ ଓ ଦୂରଦୃଷ୍ଟି ଯୋଗୁଁ ଏକ ସ୍ୱତନ୍ତ୍ର ଓଡ଼ିଶା ସମ୍ଭବ ହୋଇଥିଲା। ଆମ ସରକାର ଓଡ଼ିଆ ଅସ୍ମିତା ଓ ସଂସ୍କୃତିର ସୁରକ୍ଷା ପାଇଁ ସଦାସର୍ବଦା ପ୍ରତିଶ୍ରୁତିବଦ୍ଧ। ପ୍ରତିଟି ଓଡ଼ିଆର ସ୍ୱପ୍ନ ଓ ଆକାଂକ୍ଷାକୁ ପୂରଣ କରିବା ପାଇଁ ଆମେ ନିରନ୍ତର କାର୍ୟ୍ୟ କରିଚାଲିଛୁ। ଓଡ଼ିଶାକୁ ଦେଶର ଶ୍ରେଷ୍ଠ ରାଜ୍ୟ ଭାବେ ଗଢ଼ିତୋଳିବା ଆମର ଏକମାତ୍ର ଲକ୍ଷ୍ୟ। ଆଜିର ଏହି ପବିତ୍ର ଦିନରେ ଆସନ୍ତୁ ଆମେ ସମସ୍ତେ ମିଶି ଏକ ‘ସମୃଦ୍ଧ ଓଡ଼ିଶା’ ଗଠନ ପାଇଁ ଦୃଢ଼ ଶପଥ ନେବା।”
ଆଜି ଉତ୍କଳ ଦିବସ । ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନକୁ ଆଜି ୯୦ ବର୍ଷ ପୁରଣ ହୋଇଛି । ଦେଶର ପ୍ରଥମ ଭାଷା ଭିତ୍ତିକ ରାଜ୍ୟ ଭାବେ ଆଜି ଓଡ଼ିଶା ମାନ୍ୟତା ହାସଲ କରିଥିଲା । ଏହି ସଫଳତା ପଛରେ ନିଜର ବଳିଦାନ ଦେଇଥିବା ବୀରଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହିତ ତାଙ୍କ ମହାନତାକୁ ନତମସ୍ତକ ପ୍ରଣାମ । ଚଳିତବର୍ଷ ଉତ୍କଳ ଦିବସ ଅବସରରେ ଆଜିଠାରୁ ଆସନ୍ତା ଏପ୍ରିଲ ୧୪ ତାରିଖ ପର୍ୟ୍ୟନ୍ତ ୧୫ ଦିନ ଧରି ‘ଓଡ଼ିଆ ପକ୍ଷ’ ଭାବେ ଧୁମ୍ଧାମ୍ରେ ପାଳନ କରାଯିବ ।
ରାଜ୍ୟ ପାଇଁ ଆଜି ଏକ ଗରିମାମୟ ଦିବସ । ରାଜ୍ୟ ତଥା ରାଜ୍ୟ ବାହାରେ ପ୍ରତ୍ୟେକ ଓଡ଼ିଆଙ୍କ ହୃଦୟରେ ନିଜ ଭାଷା, ରାଜ୍ୟ, ଐତିହ୍ୟ, ଇତିହାସକୁ ନେଇ ଗର୍ବ ଅନୁଭବ କରିଥାନ୍ତି । ଦେଶର ବହୁ ଉଚ୍ଚ ପଦପଦବୀରେ ଏବେ ଓଡ଼ିଆମାନେ ରହି ଦେଶର ପ୍ରଗତିରେ ଅସୀମ ଯୋଗଦାନ ଦେଉଛନ୍ତି । ଆଜି ଓଡ଼ିଶା ସହିତ ଓଡ଼ିଆ ଭାଷାଭାଷୀ ଲୋକଙ୍କ ପାଇଁ ଏକ ଗର୍ବର ଦିନ । ଏହି ଅବସରରେ ଦେଶର ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ ଅନେକ କେନ୍ଦ୍ରମନ୍ତ୍ରୀ ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି ।




