ଉତ୍କଳ ବିଶ୍ବବିଦ୍ୟାଳୟରେ ଅଣଛାତ୍ରଙ୍କ ଦୌରାତ୍ମ୍ୟ,ହଷ୍ଟେଲ୍‌ରେ ଭଙ୍ଗାରୁଜା

ଭୁବନେଶ୍ବର,03/09: ସେପ୍ଟେମ୍ବର ୪ ସୁଦ୍ଧା ହଷ୍ଟେଲ୍‌ ଛାଡ଼ିବାକୁ ନୋଟିସ୍‌ ଲାଗିବାର ୨୪ ଘଣ୍ଟା ନ ପୂରୁଣୁ ଉତ୍କଳ ବିଶ୍ବବିଦ୍ୟାଳୟରେ ଅଣଛାତ୍ରଙ୍କ ଦୌରାତ୍ମ୍ୟ ଆରମ୍ଭ ହୋଇଛି। ତିନିଟି ଯାକ ଛାତ୍ରାବାସକୁ କବ୍‌ଜା କରିବା ସହ ଛାତ୍ରମାନଙ୍କ ଉପରେ ପ୍ରତିଶୋଧ ପରାୟଣ ହୋଇଉଠିଛନ୍ତି। ହଷ୍ଟେଲ୍‌ ରୁମ୍‌ରେ ଭଙ୍ଗାରୁଜା କରିଛନ୍ତି। ହଷ୍ଟେଲ୍‌ କ୍ୟାମ୍ପସ ଭିତରକୁ କାହାରିକୁ ପ୍ରବେଶ କରିବାକୁ ସୁଯୋଗ ଦେଉ ନାହାନ୍ତି। ଏମିତିକି ଡେପୁଟି ୱାର୍ଡେନ୍‌ ପ୍ରଫେସର ଶିବଶଙ୍କର ମହାନ୍ତି, ସୁପରିନ୍‌ଟେଣ୍ଡେଣ୍ଟ ପ୍ରଫେସର ମନୋରଞ୍ଜନ ମଲ୍ଲିକ ଓ ପ୍ରଫେସର ପପେସ୍‌ ଲେଙ୍କା ଅଣଛାତ୍ରଙ୍କ ଆକ୍ରୋଶରୁ ବର୍ତ୍ତିପାରି ନାହାନ୍ତି। ସନ୍ଧ୍ୟାରେ ସେମାନଙ୍କୁ ଏକ ଘଣ୍ଟା ଅଟକ ରଖି ଗାଳିଗୁଲଜ କରିଛନ୍ତି। ଖବର ସଂଗ୍ରହ କରିବାକୁ ଯାଇଥିବା ଗଣମାଧ୍ୟମ ପ୍ରତିନିଧି ଓ ପୁଲିସ ଅଧିକାରୀଙ୍କ ଉପରକୁ ଟେକାପଥର ମାଡ଼ କରିଛନ୍ତି। କେହି ଆହତ ହୋଇ ନ ଥିଲେ ମଧ୍ୟ କ୍ୟାମ୍ପସ୍‌ରେ ଚାପା ଉତ୍ତେଜନା ଲାଗି ରହିଛି। ରିପୋର୍ଟ ଲେଖାଯିବା ବେଳକୁ ପରିସ୍ଥିତିରେ ସାମାନ୍ୟ ସୁଧାର ଆସିଛି ଏବଂ ବ୍ୟାପକ ପୁଲିସ ମୁତୟନ ହୋଇଛନ୍ତି। ବିଳମ୍ବିତ ରାତିରେ କିଛି ଅଣଛାତ୍ର କୁଳପତି ଓ ୱାର୍ଡେନ୍‌ଙ୍କ ବାସଭବନ ଆଗରେ ହୋହଲ୍ଲା କରିଥିଲେ। ପୁଲିସ ପହଞ୍ଚି ସେମାନଙ୍କୁ ଘଉଡ଼ାଇଥିଲା।
ବିଜ୍ଞପ୍ତି ଆଧାରରେ ହଷ୍ଟେଲ୍‌ ରୁମ୍‌ ଆଲଟ୍‌ ହୋଇଥିବା ଛାତ୍ରଙ୍କୁ ଏକ ନମ୍ବର ଛାତ୍ରାବାସରେ ରଖିବାକୁ ସ୍ଥିର ହୋଇଥିଲା। ସେହି ଅନୁଯାୟୀ ଡେପୁଟି ୱାର୍ଡେନ୍‌ ଓ ସୁପରିନ୍‌ଟେଣ୍ଡେଣ୍ଟ ଏକ ନମ୍ବର(ଗୋପବନ୍ଧୁ) ଛାତ୍ରାବାସ ଯାଇଥିବା ବେଳେ ସେଠାରେ ଥିବା ଅଣଛାତ୍ରମାନେ ସେମାନଙ୍କୁ ଅଟକ ରଖିଥିଲେ। ବାହାରକୁ ଛାଡ଼ି ନ ଥିଲେ। କେବଳ ସେତିକି ନୁହେଁ, ହଷ୍ଟେଲ୍‌ ଭିତରେ ଥିବା ଛାତ୍ରଙ୍କୁ ବାହାରକୁ ଛାଡ଼ି ନ ଥିଲେ କି ବାହାରେ ଥିବା ଛାତ୍ରଙ୍କୁ ଭିତରେ ପ୍ରବେଶ କରିବାକୁ ସୁଯୋଗ ଦେଇ ନ ଥିଲେ। ହ‌ଷ୍ଟେଲ୍‌ ଲାଇଟ୍‌କୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିଦେଇଥିଲେ। ଖବର ସଂଗ୍ରହ କରିବାକୁ ଯାଇଥିବା ବୈଦ୍ୟୁତିକ ଓ ଛାପା ଗଣମାଧ୍ୟମର ପ୍ରତିନିଧି ଅଣଛାତ୍ରଙ୍କ ଆକ୍ରୋଶର ଶିକାର ହୋଇଥିଲେ। ଅଣଛାତ୍ରମାନେ ଟେକାପଥର ମାଡ଼ କରିଥିଲେ। ପୁଲିସ ମଧ୍ୟ ସେମାନଙ୍କ ଆକ୍ରୋଶରୁ ବର୍ତ୍ତି ପାରି ନ ଥିଲା। ଘନ ଘନ ପଥର ମାଡ଼ କରିଥିଲେ। ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଯାଉଥିବା ଦେଖି ବିଶ୍ବବିଦ୍ୟାଳୟ ୱାର୍ଡେନ୍‌ ପ୍ରଫେସର କବୀର ମୋହନ ସେଠୀ ଓ ସହିଦନଗର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ। ପ୍ରାୟ ଅଧ ଘଣ୍ଟା ଧରି ଅଣଛାତ୍ରଙ୍କୁ ବୁଝାସୁଝା ପରେ ଡେପୁଟି ୱାର୍ଡେନ୍‌ ଓ ସୁପରି‌ନ୍‌ଟେଣ୍ଡେଣ୍ଟ ଅଣଛାତ୍ରଙ୍କ କବ୍‌ଜାରୁ ମୁକୁଳିଥିଲେ। ମିଳିଥିବା ସୂଚନା ଅନୁଯାୟୀ ଗୋପବନ୍ଧୁ ଛାତ୍ରାବାସରେ ଦୌରାତ୍ମ୍ୟ କରିଥିବା ଅଣଛାତ୍ରଙ୍କ ମଧ୍ୟରେ ତିନି ରାଜନୈତିକ ଦଳର ଛାତ୍ରନେତା ରହିଛନ୍ତି। ଯେଉଁମାନେ କି ବର୍ଷ ବର୍ଷ ଧରି ହଷ୍ଟେଲ୍‌ ରୁମ୍‌ଗୁଡ଼ିକୁ ନିଜ ଅକ୍ତିଆରରେ ରଖିଛନ୍ତି। ଏକ ନମ୍ବର ଛାତ୍ରାବାସର ୨୪ଟି, ଦୁଇ ନମ୍ବର ଛାତ୍ରାବାସର ୩୬ଟି ଓ ତିନି ନମ୍ବର ଛାତ୍ରାବାସର ଶତାଧିକ ରୁମ୍‌ ଏବେ ଅଣଛାତ୍ରଙ୍କ କବ୍‌ଜାରେ ରହିଛି। ରୁମ୍‌ ଭଡ଼ାରେ ଦେଇ ସେମାନେ ପ୍ରଚୁର ଅର୍ଥ ଉପାର୍ଜନ କରୁଛନ୍ତି। ଶିକ୍ଷାବର୍ଷ ଅଧାରୁ ଯଦି ଅଣଛାତ୍ରଙ୍କୁ କଢ଼ାଯାଏ ତେବେ ସେମାନଙ୍କ ବେପାର ଠପ୍‌ ହୋଇଯିବ। ରୁମ୍‌ ଭଡ଼ାରେ ଦେଇ ଯେଉଁ ଟଙ୍କା ରୋଜଗାର କରିଛନ୍ତି ତାହା ଚାଲିଯିବାର ଭୟ ସୃଷ୍ଟି ହୋଇଛି। ଯେଉଁଥିପାଇଁ ସେମାନେ ହଷ୍ଟେଲ୍‌ ରୁମ୍‌ ଛାଡ଼ିବାକୁ ଚାହୁ ନ ଥିବା ଜଣେ ପୁଲିସ ଅଧିକାରୀ କହିଛନ୍ତି।

  • Related Posts

    ଟ୍ରମ୍ପଙ୍କ ‘ଷଡ଼ଯନ୍ତ୍ର’ ଅଭିଯୋଗ ଖଣ୍ଡନ କଲା ରୁଷ

    ବେଜିଂ,04/09: ରୁଷର କ୍ରେମଲିନ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଅଭିଯୋଗକୁ ଖଣ୍ଡନ କରିଛି। ଟ୍ରମ୍ପ ଦାବି କରିଥିଲେ ଯେ ରୁଷ, ଚୀନ ଓ ଉତ୍ତର କୋରିଆ ଆମେରିକା ବିରୁଦ୍ଧରେ ଷଡ଼ଯନ୍ତ୍ର କରୁଛନ୍ତି। କ୍ରେମଲିନ କହିଛି, ଏପରି କୌଣସି ଯୋଜନା ନାହିଁ। ଚୀନରେ…

    Continue reading
    ଆମ ଦଳର କୌଣସି ନେତା ପ୍ରଧାନମନ୍ତ୍ରୀଙ୍କ ମା’ଙ୍କୁ ଅସମ୍ମାନ କରି ନାହାନ୍ତି: କଂଗ୍ରେସ

    ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମା’ଙ୍କୁ କଟୁ ଶବ୍ଦ ନେଇ ରାଜନୀତି ଜୋର ଧରିଛି। ଗତକାଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଦେଇଥିବା ବୟାନକୁ କଂଗ୍ରେସ କାଉଣ୍ଟର କରିଛି। କଂଗ୍ରେସ ମୁଖପାତ୍ର ସୋନାଲି ସାହୁ କହିଛନ୍ତି, ଆମ ଦଳର କୌଣସି ନେତା ପ୍ରଧାନମନ୍ତ୍ରୀଙ୍କ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଠକେଇ ଅଭିଯୋଗ ପରେ ଶିଳ୍ପା ଶେଟ୍ଟୀଙ୍କ ରେସ୍ତୋରାଁ ବଷ୍ଟିଅନ୍ ବାନ୍ଦ୍ରା ବନ୍ଦ

    ଆସୁଛି ଦଶହରା,୨୦ ସୁଦ୍ଧା ସହରାଞ୍ଚଳ ରାସ୍ତା ମରାମତି

    ଘର ସଫା କରିବ ରୋବଟ୍

    ୟୁଏସ୍ ଓପନ୍ ଗ୍ରାଣ୍ଡସ୍ଲାମ୍‌ର କ୍ବାର୍ଟର୍‌ଫାଇନାଲ୍‌ରେ ପ୍ରବେଶ କଲେ ଭାରତୀୟ ଟେନିସ୍ ତାରକା ୟୁକି ଭାମ୍ବ୍ରି

    ସେମିକନ୍ ଇଣ୍ଡିଆ ୨୦୨୫: ୨୬୫୫ କୋଟି ଟଙ୍କାର ରାଜିନାମା ସ୍ବାକ୍ଷର କଲେ ରାଜ୍ୟ ସରକାର

    ଆଇଏମ୍ଏସ୍ ଆଣ୍ଡ ସମ ହସପିଟାଲ-୨ରେ ୫୦ ସିଟ ବୃଦ୍ଧି କଲା ଏନ୍ଏମ୍ସି ଭୁବନେଶ୍ବର