
ମାଲକାନଗିରି: ସୁକମା ପାଲମପଲ୍ଲୀ ଜଙ୍ଗଲରେ ଏନ୍କାଉଣ୍ଟରରେ ଟଳିଲେ ମାଓ କମାଣ୍ଡର ମୁଚାକି କେଲାସ। ତାଙ୍କ ନିକଟରୁ ବିପୁଳ ପରିମାଣ ମାଓ ସାମଗ୍ରୀ ଜବତ ହୋଇଥିବା ସୂଚନା ମିଳିଛି।
ଆଜି ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲାର ପାଲମପଲ୍ଲୀ ଜଙ୍ଗଲରେ ପୁଲିସ -ମାଓବାଦୀ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ପୁଲିସର ଏନକାଉଣ୍ଟରରେ ୫ ଲକ୍ଷ ଟଙ୍କାର ଇନାମୀ ହାର୍ଡକୋର ମାଓବାଦୀ ନିହତ ହୋଇଛି। ମୃତ ମାଓବାଦୀ ନାଁ ମୁଚାକି କେଲାସ। ମାଓ ସଙ୍ଗଠନ ରେ ପ୍ଲାଟୁନ ୩୧ର PPCM କ୍ୟାଡ଼ର ସେକ୍ସନ କମାଣ୍ଡର ଭାବେ ସକ୍ରିୟ ଥିଲା।ଘଟଣା ସ୍ଥଳରୁ ଗୋଟିଏ ଅଟମେଟିକ ବନ୍ଧୁକ ସହ ବିପୁଳ ପରିମାଣର ମାଓ ବିସ୍ପୋରକ ସାମଗ୍ରୀ ଜବତ କରିଛି ସୁରକ୍ଷାକର୍ମୀ। ଡିଆର୍ଜି ଯବାନଙ୍କ ଅପରେସନ ବେଳେ ଏହି ସଫଳତା ମିଳିଛି।ସୂଚନା ଦେଇଛନ୍ତି ସୁକମା ଏସ୍ପି ରଣ ଚୌହାନ।
ମାର୍ଚ୍ଚ ୩୧ ସୁଦ୍ଧା ଦେଶକୁ ମାଓବାଦୀ ମୁକ୍ତ କରିବାକୁ ଲକ୍ଷ୍ୟ ରଖିଛନ୍ତି କେନ୍ଦ୍ର ସରକାର । ଡେଡ୍ଲାଇନ୍କୁ ଆଉ ୨୪ ଘଣ୍ଟା ବାକି ରହିଛି । ଇତିମଧ୍ୟରେ ଓଡ଼ିଶା-ଛତିଶଗଡ଼ ସୀମାବର୍ତ୍ତୀ ଅଞ୍ଚଳରେ ସକ୍ରିୟ ଶତାଧିକ କ୍ୟାଡର, ସହଯୋଗୀ ମୁଖ୍ୟସ୍ରୋତକୁ ଫେରିଛନ୍ତି । ଓଡ଼ିଶାରେ ମଧ୍ୟ ହାତଗଣତି ମାଓବାଦୀ ଅଛନ୍ତି । କିନ୍ତୁ ଅସ୍ତ୍ର ଛାଡ଼ି ମୁଖ୍ୟସ୍ରୋତରେ ସାମିଲ କରିବାକୁ ବାରମ୍ବାର ପ୍ରୟାସ ସତ୍ତେ୍ୱ ଓଡ଼ିଶା-ଝାଡ଼ଖଣ୍ଡ ସୀମାବର୍ତ୍ତୀ ସରଣ୍ଡା ଜଙ୍ଗଲରେ ଆଡ୍ଡା ଜମାଇଥିବା ମାଓବାଦୀମାନେ ଆତ୍ମସମର୍ପଣ କରୁନାହାନ୍ତି ।




