
ଭୁବନେଶ୍ଵର: ରାଜ୍ୟ କ୍ୟାବିନେଟରେ ୬ଟି ବିଭାଗର ୭ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି । ଓଡ଼ିଶା ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ, ସମବାୟ ବିଭାଗ, ଅର୍ଥ ବିଭାଗ, ଗୃହ ଓ ନଗର ଉନ୍ନୟନ ବିଭାଗ, ବାଣିଜ୍ୟ ଓ ପରିବହନ ବିଭାଗ ଏବଂ ସ୍ଵାସ୍ଥ୍ୟ ଓ ପରିବାର ବିଭାଗର ପ୍ରସ୍ତାବକୁ ମଞ୍ଜୁରୀ ଦେଇଛି ରାଜ୍ୟ କ୍ୟାବିନେଟ୍ । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ୍ ବୈଠକ ଲୋକସେବା ଭବନରେ ବସିଥିଲା ।ରାଜ୍ୟରେ ଥିବା ସଂଗ୍ରହାଳୟ ଗୁଡ଼ିକର ସୁପରିଚାଳନା ଲାଗି ସଂଗ୍ରହାଳୟ ନିର୍ଦ୍ଦେଶାଳୟ କ୍ୟାର୍ଡର ପୁନର୍ଗଠନ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ଏଥିସହ ନିର୍ଦ୍ଦେଶାଳୟରେ ପଦବୀ ସଂଖ୍ୟା ୧୭ରୁ ୩୯କୁ ବୃଦ୍ଧି କରାଯାଇଛି । ସମବାୟ ବିଭାଗର ଆଦର୍ଶ ମଣ୍ଡି ପ୍ରସ୍ତାବକୁ ମଞ୍ଜୁରୀ ଦେଇଛି କ୍ୟାବିନେଟ୍ । ପ୍ରଥମ ପର୍ଯ୍ୟାୟରେ ରାଜ୍ୟରେ ୩୮ଟି ମଣ୍ଡିକୁ ଆଦର୍ଶ ମଣ୍ଡି କରାଯିବ । ପ୍ରତ୍ୟେକ ଜିଲ୍ଲାର ଅନୁନ୍ୟ ଗୋଟିଏ ମଣ୍ଡି ହେବ ଆଦର୍ଶ ମଣ୍ଡି । ଏଥିପାଇଁ ମୋଟ ୩୦୦ କୋଟି ଖର୍ଚ୍ଚ ହେବ । ୧୫୦ କୋଟି ଟଙ୍କା ବଜେଟରେ ୨ ବର୍ଷରେ ଦିଆଯିବ । ବାକି ଖର୍ଚ୍ଚ ଆରଏମସି ଦେବ । ଏଥିପାଇଁ ୨୦୨୫-୨୬ ଆର୍ଥିକ ବର୍ଷରେ ସମବାୟ ବିଭାଗ ବଜେଟ୍ରେ ୫୦ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି ।
ଆଦର୍ଶ ମଣ୍ଡିରେ ସମସ୍ତ ଅତ୍ୟାଧୁନିକ ସୁବିଧା ରହିବ । ଚାଷୀଙ୍କ ପାଇଁ ସମସ୍ତ ସୁବିଧା ସହ ବିହନ ମାନ ପରୀକ୍ଷଣ ସୁବିଧା ରହିବ । ଦ୍ଵିତୀୟ ପର୍ଯ୍ୟାୟରେ ଆଉ ୬୨ଟି ମଣ୍ଡିକୁ ମଡେଲ୍ ମଣ୍ଡି କରାଯିବ । ଓଡ଼ିଆ ଅମଲା ସେବା (ବାଣିଜ୍ୟ ଓ ଦ୍ରବ୍ୟକର) ନିୟମାବଳୀ, ୨୦୨୫ ସଂଶୋଧନକୁ କ୍ୟାବିନେଟ୍ ଅନୁମୋଦନ ଦେଇଛି ।
ଗୃହ ଓ ନଗର ଉନ୍ନୟନ ବିଭାଗର ପ୍ରସ୍ତାବ ୧୧୦ ସହରାଞ୍ଚଳରେ ଏଲ୍ଇଡି ଲାଇଟ୍ ଲଗାଯିବ । ଏଥିରେ ନୂଆ ଲାଇଟ୍ ସହ ପୁରୁଣାର ମରାମତି ହେବ । ଏଥିପାଇଁ ୩୫୦ କୋଟି ଟଙ୍କା ଖର୍ଚ୍ଚ କରାଯିବ । ସମ୍ବଲପୁର ସହର ପାଇଁ ବଡ଼ ପାନୀୟ ପ୍ରକଳ୍ପକୁ ଅନୁମୋଦନ ମିଳିଛି । ୨୪ ଘଣ୍ଟା ୭ ଦିନ ପାନୀୟ ଜଳ ଯୋଗାଣ ପାଇଁ ୩୮୨ କୋଟିର ଟେଣ୍ଡରକୁ ଅନୁମୋଦନ ମିଳିଛି । ଏହି ପ୍ରକଳ୍ପ ପରିଚାଳନା ସହ ୫ ବର୍ଷ ରକ୍ଷଣାବେକ୍ଷଣ କରାଯିବ ।
ଭୁବନେଶ୍ଵର ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦରରେ ବିମାନ ରକ୍ଷଣାବେକ୍ଷଣ, ମରାମତି ଓ ନବୀକରଣ (MRO) କାର୍ଯ୍ୟକାରୀ ହେବ । ଓଡ଼ିଶାର ଭୌଗଳିକ ସ୍ଥିତି ଦୃଷ୍ଟିକୋଣରୁ ଏ କ୍ଷେତ୍ରରେ ଯଥେଷ୍ଟ ସମ୍ଭାବନା ରହିଛି । ବିମାନ ସେବା ପାଇଁ ଓଡ଼ିଶାକୁ ଏକ ଆଞ୍ଚଳିକ ହବରେ ପରିଣତ କରିବାକୁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ପୂର୍ବ ଭାରତରେ ପ୍ରଥମ ପ୍ରମୁଖ MRO ସୁବିଧା ହେବ । ଏଥିପାଇଁ ସରକାର ଶିଳ୍ପ ନୀତି ସଂକଳ୍ପ (ଆଇପିଆର) ୨୦୨୨ ବ୍ୟତୀତ ଅତିରିକ୍ତ ପ୍ରୋତ୍ସାହନର ଏକ ସ୍ଵତନ୍ତ୍ର ପ୍ୟାକେଜକୁ ଅନୁମୋଦନ ମିଳିଛି ।
ରାଜ୍ୟରେ ଆଉ ୭ଟି ନର୍ସିଂ କଲେଜ ଖୋଲାଯିବ । ଏ ସବୁ ନର୍ସିଂ କଲେଜ ୭ଗୋଟି ମେଡିକାଲ କଲେଜ ଓ ହସ୍ପିଟାଲ ପରିସରରେ ଖୋଲିବାକୁ ପ୍ରକ୍ରିୟା ଜାରି ରହିଛି । ଓଡ଼ିଶା ନର୍ସିଂ ଏଜୁକେସନ ସର୍ଭିସ୍ ଅଧିନରେ ଖାଲି ପଡ଼ିଥିବା ମୂଳ ଟ୍ୟୁଟର୍ ପଦବୀ ପୂରଣ କରାଯାଇପାରିବ ।



