ଓଏସଏପି ବାଟାଲିୟନ ପରିସରରେ ରାଜ୍ୟସ୍ତରୀୟ ରାଷ୍ଟ୍ରୀୟ ଏକତା ଦିବସ ପାଳିତ

ଭୁବନେଶ୍ୱର, ୩୧ ଅକ୍ଟୋବର ୨୦୨୫: ଆଜି ପୂର୍ବାହ୍ନରେ କଟକସ୍ଥିତ ଷଷ୍ଠ ଓଏସଏପି ବାଟାଲିୟନ ପରିସରରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ 150 ତମ ଜନ୍ମ ଜୟନ୍ତୀ ଅବସରରେ ରାଜ୍ୟସ୍ତରୀୟ ରାଷ୍ଟ୍ରୀୟ ଏକତା ଦିବସ ସମାରୋହ ପାଳିତ ହୋଇଯାଇଛି। ଏହି ଅବସରରେ ଆରକ୍ଷୀ ମହାନିର୍ଦ୍ଦେଶକ (କ୍ରାଇମ ବ୍ରାଞ୍ଚ) ଶ୍ରୀ ବିନୟତୋଷ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ମହାପୁରୁଷ ସର୍ଦ୍ଦାର ପଟେଲଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ସମ୍ମିଳିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିଥିଲେ। ରାଷ୍ଟ୍ରର ଏକତା, ଅଖଣ୍ଡତା, ସୁରକ୍ଷା ତଥା ଦେଶର ଆଭ୍ୟନ୍ତରୀଣ ସୁରକ୍ଷାକୁ ସୁଦୃଢ କରିବାପାଇଁ ଉପସ୍ଥିତ ପୋଲିସ ଅଧିକାରୀ, କର୍ମଚାରୀ ଏବଂ ପ୍ୟାରେଡରେ ସାମିଲ ହୋଇଥିବା ଯବାନଙ୍କୁ ଆରକ୍ଷୀ ମହାନିର୍ଦ୍ଦେଶକ, ଶ୍ରୀ ମିଶ୍ର ଶପଥ ପାଠ କରାଇଥିଲେ। ଏହା ସହ ସର୍ଦ୍ଦାର ପଟେଲଙ୍କ ଜୀବନ ଦର୍ଶନ ଉପରେ ଆଲୋକପାତ କରିବା ସହ ତାଙ୍କ କାର୍ଯ୍ୟଦକ୍ଷତା, ଦେଶପ୍ରେମ ଓ ସ୍ଵାଧୀନତା ସଂଗ୍ରାମରେ ଅତୁଳନୀୟ ଅବଦାନ ସମ୍ପର୍କରେ ମତବ୍ୟକ୍ତ କରିଥିଲେ । ସ୍ଵାଧୀନତା ପରେ 562ଟି ଦେଶୀୟ ରାଜ୍ୟଗୁଡିକୁ ଭାରତରେ ମିଶାଇବା ପାଇଁ ସର୍ଦ୍ଦାର ପଟେଲ ଯେଉଁ ଅକ୍ଲାନ୍ତ ପରିଶ୍ରମ କରିଥିଲେ, ତାହା ଅତୁଳନୀୟ ଥିଲା। ଯାହା ଫଳରେ ବିଶ୍ଵ ଦରବାରରେ ଭାରତ ଆଜି ଏକ ସ୍ଵତନ୍ତ୍ର ରାଷ୍ଟ୍ର ଭାବେ ପରିଚୟ ଲାଭ କରିଛି ବୋଲି ଶ୍ରୀ ମିଶ୍ର ମତବ୍ୟକ୍ତ କରିଥିଲେ ।
ଦେଶର ପ୍ରତ୍ୟେକ ନାଗରିକ ଭାଇଚାରା, ବନ୍ଧୁତା ଏବଂ ଏକତାର ମନୋଭାବ ନେଇ କାର୍ଯ୍ୟ କରିବା ସହ ଭାରତର ଇତିହାସ ପାଇଁ ଏକ ସ୍ଵତନ୍ତ୍ର ଅଧ୍ୟାୟ ସୃଷ୍ଟି କରିବାକୁ ମଧ୍ୟ ସେ ଆହ୍ଵାନ ଦେଇଥିଲେ । ଆଗାମୀ ଦିନରେ ସମସ୍ତେ ମିଳିମିଶି ରାଜ୍ୟରେ ଆଇନଶୃଙ୍ଖଳା ନିୟନ୍ତ୍ରଣ, ଅପରାଧ ଦମନ ଓ ସମାଜରେ ଶାନ୍ତି ପ୍ରତିଷ୍ଠା କରିବାକୁ ଶ୍ରୀ ମିଶ୍ର ଗୁରୁତ୍ଵାରୋପ କରିଥିଲେ। ଏହି ଅବସରରେ ଓଡିଶା ପୋଲିସର 34 ପୋଲିସ ଜିଲ୍ଲାର ସମସ୍ତ ଥାନାରେ ରାଷ୍ଟ୍ରୀୟ ଏକତା ଦିବସ ପାଳିତ ହୋଇଥିବା ସମ୍ପର୍କରେ ସୂଚନା ଦେଇଥିଲେ। ଏହା ସହ ସମାଜର ସମସ୍ତ ବ୍ୟକ୍ତି ବିଶେଷଙ୍କୁ ନେଇ ଏକତା ପାଇଁ ଦୌଡ଼ ( Run for Unity), ଶିକ୍ଷାନୁଷ୍ଠାନର ଛାତ୍ର ଛାତ୍ରୀଙ୍କ ମଧ୍ୟରେ ଚିତ୍ରାଙ୍କନ, ପ୍ରବନ୍ଧ, ତର୍କ ଭଳି ପ୍ରତିଯୋଗିତା ଆୟୋଜନ କରାଯାଇ କାର୍ଯ୍ୟକ୍ରମକୁ ଆକର୍ଷଣୀୟ କରାଯାଇଛି ବୋଲି ମତବ୍ୟକ୍ତ କରିଥିଲେ। ଆଜିର ସମ୍ମିଳିତ ପ୍ୟାରେଡରେ ଓ.ଏସ.ଏ.ପି ଷଷ୍ଠ ବାଟାଲିୟନ (କଟକ), ଷଷ୍ଠ ଆଇ.ଆର ବାଟାଲିୟନ (ଖୋର୍ଦ୍ଧା), ତୃତୀୟ ଆଇ. ଆର. ବାଟାଲିୟନ, ପୋଲିସ କଲର ପାର୍ଟି (କଟକ), ବ୍ରାସବ୍ୟାଣ୍ଡ ପାର୍ଟି (କଟକ) ଅଂଶଗ୍ରହଣ କରିଥିଲେ l ଶ୍ରୀ ୟାକୁବ ଖାନ ତୃତୀୟ ଆଇ. ଆର. ବାଟାଲିୟନ (Commandant) ପ୍ୟାରେଡର ନେତୃତ୍ଵ ନେଇଥିଲେ। ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ(ଆଧୁନିକୀକରଣ) ଶ୍ରୀ ଏସ. କେ. ପ୍ରିୟଦର୍ଶୀ, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ମୁଖ୍ୟାଳୟ) ଶ୍ରୀ ଅରୁଣ ବୋଥ୍ରା, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଆଇନ ଓ ଶୃଙ୍ଖଳା) ଶ୍ରୀ ସଞ୍ଜୟ କୁମାର, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (କମୁନିକେସନ) ଶ୍ରୀ ଦୟାଲ ଗଙ୍ଗୱାର, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଏସଏପି) ଶ୍ରୀ ରାଜେଶ କୁମାରଙ୍କ ସମେତ ପୋଲିସ ବିଭାଗର ବହୁ ବରିଷ୍ଠ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ ।

  • Related Posts

    ‘ହର୍ ଘର୍ ଜଲ୍’ ଲକ୍ଷ୍ୟ ପୂରଣ ପାଇଁ ଓଡିଶାରେ ସ୍ପଷ୍ଟ ରୋଡମ୍ୟାପ ପ୍ରସ୍ତୁତ- ମୁଖ୍ୟମନ୍ତ୍ରୀ

    ଭୁବନେଶ୍ୱର,୨୪/୦୩/୨୦୨୬: ଓଡିଶାରେ ଜଳ ଜୀବନ ମିଶନ 2.0ର କାର୍ଯ୍ୟକାରିତା ଉଦ୍ଦେଶ୍ୟରେ ଆଜି ନୂଆଦିଲ୍ଲୀ ଠାରେ କେନ୍ଦ୍ର ଜଳ ଶକ୍ତି ମନ୍ତ୍ରାଳୟ ଏବଂ ଓଡିଶା ସରକାରଙ୍କ ମଧ୍ୟରେ ଏକ MoU ସ୍ଵାକ୍ଷର ହୋଇଛି | ଆଭାସୀ ମାଧ୍ୟମରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଲୋକସେବା…

    Continue reading
    ସଚିବାଳୟର ଅଧିକାରୀମାନଙ୍କ ପାଇଁ ‘ପୋଶ୍’ ସଚେତନତା କର୍ମଶାଳା

    ଭୁବନେଶ୍ୱର, ୨୪/୦୩/୨୦୨୬: କର୍ମକ୍ଷେତ୍ରରେ ମହିଳାମାନଙ୍କ ଯୌନ ନିର୍ଯାତନା (ପ୍ରତିରୋଧ, ନିଷେଧ ଏବଂ ନିରାକରଣ) ଅଧିନିୟମ, ୨୦୧୩ (POSH Act) ଉପରେ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଏକ କର୍ମଶାଳା ଭୁବନେଶ୍ୱରସ୍ଥିତ ରାଜ୍ୟ ସଚିବାଳୟର ଅଧିକାରୀମାନଙ୍କ ପାଇଁ ଅନୁଷ୍ଠିତ ହୋଇଯାଇଛି।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ