
ପାତ୍ରପୁର : ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକରେ ଦାଦନ ମୃତ୍ୟୁ ପିଛା ଛାଡୁନି। ଗତ ବର୍ଷ ଏହି ବ୍ଲକ୍ ରେ ୯ ଜଣ ଦାଦନ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ଗତକାଲି ପୁଣି ଖାରିଆ ଗୁଡା ଗ୍ରାମର ଦୁଇ ଯୁବକଙ୍କ କେରଳରେ ମୃତ୍ୟ ଘଟିଛି। ଫଳରେ ତେର ମାସରେ ଏଗାର ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି।
ପାତ୍ରପୁର ବ୍ଲକର ଖାରିଆ ଗୁଡାର ମୃତ ଦୁଇ ଯୁବକ ହେଲେ ଈଶ୍ୱର ପ୍ରଧାନଙ୍କ ମଝିଆ ପୁଅ ନରସିଂହ ପ୍ରଧାନ(୩୨) ଏବଂ କୁମାରୀ ବାଡ଼ତ୍ୟାଙ୍କ ଏକମାତ୍ର ପୁତ୍ର ସନ୍ତୋଷ ଵାଡତ୍ୟା (୩୧)। ଦୁହେଁ ଗ୍ରାମର ଅନ୍ୟ କିଛି ସାଙ୍ଗଙ୍କ ସହ କେରଳର ତ୍ରିସୁର କଇଁକର୍ଡର ମାଲବା ଟେକ୍ ରିଡ ମିକ୍ସ କମ୍ପାନୀରେ ଅପରେଟର ଭାବେ କାର୍ଯ୍ୟ କରୁଥିଲେ। କାମ କରୁଥିବା ବେଚିଙ୍ଗ ପ୍ଲାଣ୍ଟ ନିକଟ ଏକ କୂଅ ମଧ୍ୟରେ ଗୋଟିଏ ଛେଳି ମରି ପଡ଼ିଥିଲା। ଅପରାହ୍ନରେ କମ୍ପାନୀ କର୍ତ୍ତୃପକ୍ଷ ଏହା ଜାଣିବା ପରେ ଉଭୟେ ଛେଳିଟିକୁ ବାହାର କରିବା ନିମନ୍ତେ କୂଅ ମଧ୍ୟକୁ ଜଣେ ପରେ ଜଣେ ଯାଇ ଅଟକି ଯାଇଥିଲେ। ତୁରନ୍ତ ଅନ୍ୟ କର୍ମଚାରୀ ମାନେ ଉଦ୍ୟମ କରି ଦୁହିଙ୍କୁ କୂଅ ମଧ୍ୟରୁ ଉଦ୍ଧାର କରି ନିକଟ ଡାକ୍ତରଖାନାକୁ ସନ୍ଧ୍ୟାରେ ନେଇଥିଲେ। ତେବେ ଡାକ୍ତର ଦୁହିଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ମେଞ୍ଜରି ପୁଲିସ ଡାକ୍ତରଖାନାରେ ପହଞ୍ଚି ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ଶବ ବ୍ୟବଚ୍ଛେଦ କରିଥିଲେ। ଆଜି ଅପରାହ୍ନରେ ଶବ ସମ୍ପର୍କୀୟଙ୍କୁ ହସ୍ତାନ୍ତର କରିବା ପରେ ଦୁହିଁଙ୍କ ଶବ ଆମ୍ବୁଲାନ୍ସ ଯୋଗେ ଗ୍ରାମକୁ ଅଣାଯାଉଛି। ତେବେ କୂଅ ମଧ୍ୟରେ ଶ୍ୱାସରୁଦ୍ଧ କିମ୍ବା ବିଦ୍ୟୁତ ସଂସ୍ପର୍ଶରେ ଆସି ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି। ଦୁହେଁ ତିନିଦିନ ପରେ ରାମ ନବମୀ ଯାତ୍ରାକୁ ଆସିବା ନିମନ୍ତେ ଟିକେଟ କରିଥିଲେ। ଦୁହେଁ ଅନ୍ୟ ସାଙ୍ଗଙ୍କ ସହ ଆଜି ଗ୍ରାମକୁ ଆସିବାର ଥିଲା। କିନ୍ତୁ ଆଜି ଶବ ହୋଇ ସାଙ୍ଗଙ୍କ ସହିତ ଆମ୍ବୁଲାନ୍ସ ଯୋଗେ ଫେରିବା ବହୁତ ଦୁଃଖଦ ପରିସ୍ଥିତି ସୃଷ୍ଟି କରିଛି। ମୃତକ ସନ୍ତୋଷଙ୍କ ବାପାଙ୍କର କିଛିବର୍ଷ ପୂର୍ବେ ମୃତ୍ୟୁ ଘଟିଥିବା ବେଳେ ଏକ ମାତ୍ର ପୁଅ ସନ୍ତୋଷଙ୍କ ମୃତ୍ୟୁ ପରେ ତାଙ୍କ ମା ଭାଙ୍ଗି ପଡିଛନ୍ତି। ସନ୍ତୋଷଙ୍କ ଗୋଟିଏ ଝିଅ ରହିଥିବା ବେଳେ ଶାଶୁ ବୋହୂଙ୍କ ପରିବାର ଉପରେ ଦୁଃଖର ପାହାଡ ସୃଷ୍ଟି ହୋଇଛି। ସେହିପରି ନରସିଂହଙ୍କ ଦୁଇଟି ପୁତ୍ର ସନ୍ତାନ ଅଛନ୍ତି। ତାଙ୍କ ବିୟୋଗରେ ସପରିବାର ଭାଙ୍ଗି ପଡିଛନ୍ତି।



