ଭୁବନେଶ୍ୱର: ଆଜି ରାଜ୍ୟ କ୍ୟାବିନେଟର ୨୪ତମ ବୈଠକ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନ ସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା କ୍ୟାବିନେଟ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ସମ୍ପର୍କରେ ଗଣ ମାଧ୍ୟମକୁ ସୂଚନା ଦେଇଥିଲେ । କ୍ୟାବିନେଟ ବୈଠକରେ ମୋଟ ୬ ଟି ବିଭାଗର ୦୭ଟି ପ୍ରସ୍ତାବ ଆଲୋଚନା ପୂର୍ବକ ଅନୁମୋଦନ କରାଯାଇଥିଲ ।
ସମ୍ବଲପୁର, ହୀରାକୁଦ ଓ ବୁର୍ଲା ସହରରେ ୨୪ଘଂଟିଆ ପାନୀୟ ଜଳ ଯୋଗାଣ ପାଇଁ ଏକ ବଡ଼ ପ୍ରକଳ୍ପକୁ କ୍ୟାବିନେଟ ଅନୁମୋଦନ ଦେଇଛି । ୩୮୨.୪୦ କୋଟି ଟଙ୍କା (ଜିଏସଟି ବ୍ୟତୀତ) ବ୍ୟୟରେ ଏହି ପ୍ରକଳ୍ପ ଏମ/ଏସ ଇଗଲ ଇନଫ୍ରା ଇଣ୍ଡିଆ ଲିମିଟେଡ ଦ୍ୱାରା କାର୍ୟ୍ୟକାରୀ ହେବ । ଏଥିରେ ୧୧୦ ଏମଏଲଡି କ୍ଷମତାର ଏକ ଜଳ ଗ୍ରହଣ କୂଅ ଓ ୬୫ ଏମଏଲଡି ଏବଂ ୩୫ ଏମଏଲଡି କ୍ଷମତାର ଦୁଇଟି ଜଳ ଶୁଦ୍ଧିକରଣ କେନ୍ଦ୍ର ନିର୍ମାଣ ହେବ । ଏହି କାମ ୧ ସେପେ୍ଟମ୍ବର ୨୦୨୫ରୁ ଆରମ୍ଭ ହୋଇ ୩୧ ଅଗଷ୍ଟ ୨୦୨୭ ସୁଦ୍ଧା ଶେଷ ହେବ ।
୧୧୦ଟି ସହରୀ ସ୍ଥାନୀୟ ନିକାୟରେ ଏଲଇଡି ରାସ୍ତା ଆଲୋକ ପ୍ରକଳ୍ପ ପାଇଁ ଓଡ଼ିଶା ନଗର ଭିତ୍ତିଭୂମି ଉନ୍ନୟନ ପାଣ୍ଠି (ଓୟୁଆଇଡିଏଫ)ରୁ ୨୦୦ କୋଟି ଟଙ୍କା ବ୍ୟୟ ପାଇଁ ଅନୁମୋଦନ ମିଳିଛି । ମୋଟ ୩୫୦.୦୪ କୋଟି ଟଙ୍କା ବ୍ୟୟରେ ଏହି ପ୍ରକଳ୍ପ କାର୍ୟ୍ୟକାରୀ ହେବ, ଯାହାର କାମ ଆରମ୍ଭ ପାଇଁ ୬ଟି ସଂସ୍ଥାକୁ କାର୍ୟ୍ୟାଦେଶ ଦିଆଯାଇଛି ।



