
ହୀରାକୁଦ : ହୀରାକୁଦ ଡ୍ୟାମ୍ର ଆଉ ୪ଟି ଗେଟ୍ ଶୁକ୍ରବାର ସକାଳେ ଖୋଲାଯାଇଛି । ବର୍ତ୍ତମାନ ମୋଟ ୧୨ଟି ସ୍ଲୁଇସ୍ ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ଜାରି ରଖିଛି । ବାମପଟରେ ୮ଟି ଓ ଡାହାଣ ପଟରେ ୪ଟି ସ୍ଲୁଇସ୍ ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ଜାରି ରଖିଛି ।
ସୂଚନାନୁଯାୟୀ, ଗତକାଲି ଅର୍ଥାତ୍ ଗୁରୁବାର ସୁଦ୍ଧା ମୋଟ୍ ୮ଟି ଗେଟ୍ ନେଇ ବନ୍ୟା ଜଳ ନିଷ୍କାସନ ହେଉଥିଲା। ବାମ ପାର୍ଶ୍ବର ୫ଟି ଓ ଡାହାଣ ପାର୍ଶ୍ବର ୩ଟି ସ୍ଲୁଇସ୍ ଗେଟ୍ ଖୋଲାଥିଲା। ଗତ କିଛି ଦିନ ହେବ ରାଜ୍ୟର ବିଭିନ୍ନ ସ୍ଥାନରେ ଲଘୁଚାପଜନିତ ବର୍ଷା ଲାଗି ରହିଛି। ଫଳରେ ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି।
ଉତ୍ତର ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଆଗାମୀ ୧୨ଘଣ୍ଟାରେ ଏହା ଘନୀଭୂତ ହୋଇ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରିବା ସହ ଉତ୍ତର ଓଡ଼ିଶା ଏବଂ ଏହାର ପାର୍ଶ୍ବବର୍ତ୍ତୀ ପଶ୍ଚିମବଙ୍ଗ ଉପକୂଳ ମୁହାଁଇବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଆସନ୍ତା ୩ଦିନ ପର୍ୟ୍ୟନ୍ତ ଉତ୍ତର, ଉପକୂଳ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷା ହେବ।