
ନୟାଗଡ଼: ନୟାଗଡ଼ ଜିଲ୍ଲା ଫତେଗଡ଼ ଥାନା ଅନ୍ତର୍ଗତ ଗୋଳାପୋଖରୀ ପଞ୍ଚାୟତର କରଡ଼ାପଲ୍ଲୀ ଏବଂ ପାଥପୁର ଗ୍ରାମରେ ଗଣେଶ ଭଷାଣି ଉତ୍ସବ ସମୟରେ ଦୁଇ ଗ୍ରାମର ଯୁବକଙ୍କ ମଧ୍ୟରେ ସଂଘର୍ଷ ଘଟିଛି । ଏଥିରେ ଜଣଙ୍କର ମୃତ୍ୟୁ ଘଟିଛି । ରବିବାର ରାତି ପ୍ରାୟ ୧୦ଟା ସମୟରେ ପାଥପୁର ଏବଂ କରଡ଼ାପଲ୍ଲୀ ଗ୍ରାମରେ ଗଣେଶ ଠାକୁରଙ୍କ ଭଷାଣି ପର୍ବ ଅନୁଷ୍ଠିତ ହେଉଥିଲା । କେଉଁ ଠାକୁର ଆଗରେ ଯିବେ ତାକୁନେଇ ଉତ୍ତେଜନା ଦେଖାଦେଇଥିଲା । କରଡ଼ାପଲ୍ଲୀ ଗ୍ରାମ ଠାକୁରଙ୍କ ଡିଜେ ବାଜାର ଅତ୍ୟଧିକ ସାଉଣ୍ଡ ନେଇ ପାଥପୁର ଗ୍ରାମର କିଛି ଯୁବକ ବାରଣ କରିଥିଲେ। ଫଳରେ ଦୁଇ ଗ୍ରାମର ଯୁବକଙ୍କ ମଧ୍ୟରେ ଉତେଜନା ଦେଖାଦେଇଥିଲା ହାତାହାତି ପର୍ୟ୍ୟନ୍ତ କଥା ଯାଇଥିଲା କରଡ଼ାପଲ୍ଲୀ ଗ୍ରାମର ରଶ୍ମିରଂଜନ ସ୍ବାଇଁଙ୍କ ଉପରେ ଆକ୍ରମଣ ବେଳେ ତାଙ୍କ ବାପା ହରିହର ସ୍ୱାଇଁ ଛଡାଇବାକୁ ଆସିଥିବାବେଳେ ଆସେ ମଧ୍ୟ ଆକ୍ରମଣର ଶିକାର ହୋଇଥିଲେ ଓ ତଳେପଡି ମୃତ୍ୟୁବରଣ କରିଥିଲେ । ଗ୍ରାମର କିଛି ଲୋକେ ତାଙ୍କୁ ଭାପୁର ମେଡିକାଲକୁ ଆଣିଥିଲେ। ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ। ଫତେଗଡ଼ ଥାନା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିଛି । କରଡ଼ାପଲ୍ଲୀ ଏବଂ ପାଥପୁର ଗ୍ରାମରେ ପୁଲିସ୍ ପଇଁତରା ମାରିବା ସହ ତଦନ୍ତ ଚଳାଇଛି। ଦୁଇ ଗ୍ରାମରେ ଏବେ ଚାପା ଉତେଜନା ଲାଗିରହିଛି ।