
ଭୁବନେଶ୍ୱର:ରାଜ୍ୟରେ ଦିନକୁ ଦିନ ପାରଦ ଉପର ମୁହାଁ ହେବାରେ ଲାଗିଛି। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଦିନେ ଦୁଇ ଦିନ ମଧ୍ୟରେ ସ୍କୁଲ କଲେଜ ପାଇଁ ଆସିବ ଗାଇଡଲାଇନ୍ । ସ୍କୁଲ ଓ ଗଣଶିକ୍ଷା ବିଭାଗ ଓ ଉଚ୍ଚ ଶିକ୍ଷା ବିଭାଗ ସହିତ ରାଜସ୍ବ ବିଭାଗର ସରିଛି ଆଲୋଚନ ।
ବୃଦ୍ଧି ପାଉଥିବା ଗ୍ରୀଷ୍ମ ପ୍ରବାଳକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଉଛି । ମାର୍ଚ୍ଚ ଆରମ୍ଭ ରୁ ହିଁ ଅସହ୍ୟ ଗରମ ଅନୁଭୁତ ହେଲାଣି । ଏବେଠୁ ଜନଜୀବନ ଅସ୍ତବ୍ୟସ୍ତ ହେବା ସହ ଦିନ ୯ଟାରୁ ମଧ୍ୟ ଟାଇଁ ଟାଇଁ ଖରା ହେଉଛି । ଯାହାଦ୍ବାରା ଘରୁ ବାହାରିବା ମୁସ୍କିଲ ହେଇପଡୁଛି । ତେଣୁ ସ୍କୁଲ ଏବଂ କଲେଜ୍ ପିଲାଙ୍କ ପାଇଁ ଗାଇଡ୍ ଲାଇନ୍ ଆଣିବାକୁ ଯାଉଛନ୍ତି ସରକାର ।
ରବିବାର ଅପରାହ୍ନ ସାଢେ ୨ଟା ସୁଦ୍ଧା ରାଜଧାନୀ ଭୁବନେଶ୍ବରରେ ତାପମାତ୍ରା ୩୫.୬ ଡିଗ୍ରୀରେ ପହଞ୍ଚିଥିଲା। ମାର୍ଚ୍ଚ ଆରମ୍ଭରୁ ତାତି ବଢିବା ଲୋକଙ୍କ ପାଇଁ ଚିନ୍ତାର କାରଣ ହୋଇଛି। ଅନ୍ୟପକ୍ଷେ ଚାନ୍ଦବାଲିରେ ତାପମାତ୍ରା ୩୫.୪ ଡିଗ୍ରୀରେ ପହଞ୍ଚିଛି।ଚଳିତ ବର୍ଷ ଗ୍ରୀଷ୍ମ ପ୍ରବାହ ଅବଧି ଅଧିକ ରହିବ, ମେ’ ଶେଷ ପର୍ୟ୍ୟନ୍ତ ଖରା ଓ ଗୁଳୁଗୁଳି ରାଜ୍ୟବାସୀଙ୍କୁ ଅତିଷ୍ଠ କରିବ। ଏହି ୩ମାସ ମଧ୍ୟରେ ୮ରୁ ୯ଦିନ ଲଗାତର ହିଟ୍ଓ୍ବଭର ଆଶଙ୍କା ରହିଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ଆସନ୍ତା ୩ଦିନ ମଧ୍ୟରେ ରାତି ତାପମାତ୍ରା ଆହୁରି ୨ ଡିଗ୍ରୀ ପର୍ୟ୍ୟନ୍ତ ବଢ଼ିପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।




