
ନୂଆଦିଲ୍ଲୀ : ମିନି ବିଶ୍ୱକପ୍ ଭାବେ ପରିଚିତ ଚାମ୍ପିଅନ୍ସ ଟ୍ରଫି ଆରମ୍ଭ ହେବାକୁ ଥିବାବେଳେ ଭାରତୀୟ କ୍ରିକେଟ୍ ଦଳକୁ ଶକ୍ତ ଧକ୍କା ଲାଗିଛି। ପ୍ରମୁଖ ଦ୍ରୁତ ବୋଲର ଯଶପ୍ରୀତ୍ ବୁମ୍ରା ପିଠି ଯନ୍ତ୍ରଣାରୁ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ନ ପାରିବାରୁ ତାଙ୍କୁ ଏହି ମେଗା ଟୁର୍ଣ୍ଣାମେଣ୍ଟରୁ ବାଦ୍ ଦିଆଯାଇଛି। ତାଙ୍କ ସ୍ଥାନରେ ହର୍ଷିତ ରାଣାଙ୍କୁ ଭାରତୀୟ ଦଳରେ ସାମିଲ କରାଯାଇଛି।
ସେହିଭଳି ଯଶସ୍ୱୀ ଜୟସ୍ୱାଲଙ୍କ ସ୍ଥାନରେ ସ୍ପିନର ବରୁଣ ଚକ୍ରବର୍ତ୍ତୀଙ୍କୁ ନିଆଯାଇଛି। ଚାମ୍ପିଅନ୍ସ ଟ୍ରଫି ଲାଗି ବିସିସିଆଇ ରୋହିତ୍ ଶର୍ମାଙ୍କ ନେତୃତ୍ୱରେ ପୂର୍ବରୁ ସମ୍ଭାବ୍ୟ ଦଳ ଘୋଷଣା କରିଥିଲା। ଏଥିରେ ବୁମ୍ରାଙ୍କ ନାମ ରହିଥିଲା। କିନ୍ତୁ ସେ ସମୟସୀମା ସୁଦ୍ଧା ସମ୍ପୂର୍ଣ୍ଣ ସୁସ୍ଥ ହେବାରେ ସମର୍ଥ ହୋଇନାହାନ୍ତି। ଆୟୋଜକ ତଥା ଡିଫେଣ୍ଡିଂ ଚାମ୍ପିଅନ ପାକିସ୍ତାନ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଚାମ୍ପିଅନ୍ସ ଟ୍ରଫିର ଉଦ୍ଘାଟନୀ ମ୍ୟାଚ୍ ୧୯ରେ କରାଚିରେ ଖେଳାଯିବ। ଗ୍ରୁପ୍-ଏ’ରେ ସ୍ଥାନ ପାଇଥିବା ଭାରତ ଏହା ପରଦିନ ବାଂଲାଦେଶ ବିପକ୍ଷରେ ଖେଳି ଅଭିଯାନ ଆରମ୍ଭ କରିବ। ସେହିଭଳି ରୋହିତ୍ ସେନା ୨୩ରେ ପାକିସ୍ତାନ ଓ ମାର୍ଚ୍ଚ ୨ରେ ନ୍ୟୁଜିଲାଣ୍ଡ ସହ ଖେଳିବାର କାର୍ୟ୍ୟସୂଚୀ ରହିଛି। ଭାରତ ଏହାର ସମସ୍ତ ମ୍ୟାଚ୍ ଦୁବାଇରେ ଖେଳିବ।



