
କଟକ: ଚଳିତ ବର୍ଷ ସଡ଼କ ସୁରକ୍ଷା ମାସରେ ଦୁର୍ଘଟଣା ଓ ମୃତ୍ୟୁସଂଖ୍ୟା ପୂର୍ବ ବର୍ଷ ତୁଳନାରେ ହ୍ରାସ ପାଇଛି। ୨୦୨୫ ଜାନୁଆରିରେ ୯୯୪ଟି ଦୁର୍ଘଟଣାରେ ୪୧୭ ଜଣଙ୍କର ମୃତ୍ୟୁ ହୋଇଛି। ପୂର୍ବ ବର୍ଷ ତୁଳନାରେ ୯୯ଟି କମ୍ ଦୁର୍ଘଟଣା ଘଟିଥିବା ବେଳେ ମୃତ୍ୟୁସଂଖ୍ୟା ବି ୪୪ କମ୍ ରହିଛି। ପରିବହନ ବିଭାଗ ଓ ପୁଲିସ ମିଳିତ ଭାବେ ଏନ୍ଫୋର୍ସମେଣ୍ଟ ବ୍ୟବସ୍ଥା କଡ଼ାକଡ଼ି କରିଥିବାରୁ ଦୁର୍ଘଟଣା ସଂଖ୍ୟା ହ୍ରାସରେ ଯଥେଷ୍ଟ ସହାୟକ ହୋଇଥିବା କୁହାଯାଉଛି। ତଥ୍ୟ ଅନୁଯାୟୀ, ପୂର୍ବ ବର୍ଷ ମାନଙ୍କରେ ଜାନୁଆରି ମାସରେ ସଡ଼କ ସୁରକ୍ଷା ସପ୍ତାହ ପାଳନ ହେଉଥିଲା। କିନ୍ତୁ ୨୦୨୫ରେ ପ୍ରଥମ ଥର ପାଇଁ ସଡ଼କ ସୁରକ୍ଷା ମାସ ଜାନୁଆରି ପହିଲାରୁ ଆରମ୍ଭ ହୋଇଥିଲା। ଏହି ମାସରେ ବଣଭୋଜି ଅଞ୍ଚଳରେ ମଦ୍ୟପାନ କରି ଯାନବାହନ ଚାଳନା ବିରୋଧରେ ଅଧିକ ଯାଞ୍ଚ ହୋଇଥିଲା।ପରିବହନ ବିଭାଗର ତଥ୍ୟ ଅନୁଯାୟୀ, ୨୦୨୫ ଜାନୁଆରିରେ ରାଜ୍ୟରେ ୯୯୪ ଦୁର୍ଘଟଣା ଘଟିଥିବା ବେଳେ ମୃତ୍ୟୁସଂଖ୍ୟା ହେଉଛି ୪୧୭। ୨୦୨୪ରେ ଦୁର୍ଘଟଣା ସଂଖ୍ୟା ଥିଲା ୧୦୯୩ ଓ ମୃତ୍ୟୁସଂଖ୍ୟା ଥିଲା ୫୬୧। ସେହିଭଳି ୨୦୨୩ରେ ଏହି ସଂଖ୍ୟା ଯଥାକ୍ରମେ ୧୧୯୯ ଓ ୫୫୪ ରହିଥିଲା। ନିର୍ଦ୍ଦିଷ୍ଟ ଭାବେ ଡିସେମ୍ବର ଓ ଜାନୁଆରିରେ ସର୍ବାଧିକ ଦୁର୍ଘଟଣା ଘଟିଥାଏ। ଏହି ସମୟରେ ଅଧିକ ବଣଭୋଜି ହେଉଥିବାରୁ ମଦ୍ୟପାନ ଓ ଦ୍ରୁତଗତି ଜନିତ ଦୁର୍ଘଟଣା ବୃଦ୍ଧି ପାଏ। ସେହିଭଳି କୁହୁଡ଼ି ଯୋଗୁଁ ବି ଅନେକ ଦୁର୍ଘଟଣା ଘଟିଥାଏ। ତେଣୁ ସଡ଼କ ଦୁର୍ଘଟଣା ହ୍ରାସ ପାଇଁ ଏହି ମାସରେ ବିଶେଷ ନଜର ରଖିବାକୁ ବିଭାଗ ନିଷ୍ପତ୍ତି ନେଇଥିଲା। ଜାନୁଆରି ମାସରେ ପ୍ରତି ବୁଧବାରକୁ ଜିରୋ ଟଲେରାନ୍ସ ଡେ’ ଭାବେ ପାଳନ କରାଯାଉଛି। ଆଗକୁ ସଚତେନତା କାର୍ୟ୍ୟକ୍ରମ ଓ ଏନ୍ଫୋର୍ସମେଣ୍ଟକୁ ଅଧିକ ବ୍ୟାପକ କରାଯିବ। ସଡ଼କ ଦୁର୍ଘଟଣା ହ୍ରାସ ପାଇଁ ନିୟମ ଉଲ୍ଲଂଘନ କରୁଥିବା ଗାଡ଼ି ଚାଳକଙ୍କ ବିରୋଧରେ କଡ଼ାକଡ଼ି ଯାଞ୍ଚ ଓ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ରାଜ୍ୟ ପରିବହନ ପ୍ରାଧିକରଣ ପକ୍ଷରୁ କୁହାଯାଇଛି।



