
ଭୁବନେଶ୍ୱର : ଦୁର୍ବଳ ହେଲା ଲଘୁଚାପ । ରାଜ୍ୟରେ କମିବ ବର୍ଷାର ପ୍ରଭାବ । ଗୁରୁବାର ଠାରୁ ପାଗରେ ପରିବର୍ତ୍ତନ ହେବାକୁ ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ସାମାନ୍ୟ ପଶ୍ଚିମ ଦିଗକୁ ଗତି କରି ଦୁର୍ବଳ ହେଲା ଲଘୁଚାପ । ଉପକୂଳ ସମେତ ଆଭ୍ୟନ୍ତରୀଣ ଜିଲାରେ କୋହଲା ପାଗ ଜାରି ରହିଛି । ଆଜି ଠାରୁ ବର୍ଷାର ପରିମାଣ ଧିରେ ଧିରେ କମିବ। ଆଜି ମଧ୍ୟ ରାଜ୍ୟର କିଛି ସ୍ଥାନରେ ବର୍ଷା ହେଉଛି ।
ପାଣିପାଗ ବିଭାଗ କହିଛି, ଗୁରୁବାର ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା, ଗଜପତି, ଗଞ୍ଜାମ ଜିଲ୍ଲାର ସ୍ଥାନେ ସ୍ଥାନେ ହାଲୁକା ବର୍ଷା ସମ୍ଭାବନା ଅଛି । ବାକି ଅଞ୍ଚଳରେ ପାଗ ଶୁଖିଲା ରହିବ । ଶୁକ୍ରବାରଠାରୁ ସାରା ରାଜ୍ୟରେ ପାଗ ଶୁଖିଲା ରହିବ । ୩୧ ତାରିଖ ପର୍ୟ୍ୟନ୍ତ ରାଜ୍ୟରେ ବର୍ଷା ସମ୍ଭାବନା ନଥିବା ଭୁବନେଶ୍ୱରସ୍ଥିତ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । ଅନ୍ୟପକ୍ଷରେ ରାଜ୍ୟରେ କୁହୁଡ଼ି ବଢ଼ିବ। ଗୁରୁବାର ସକାଳେ ବରଗଡ଼, ସୁନ୍ଦରଗଡ଼, ଝାରସୁଗୁଡ଼ା, ମୟୂରଭଞ୍ଜ, କେନ୍ଦୁଝର, ସମ୍ବଲପୁର, ବଲାଙ୍ଗୀର, ସୋନପୁରରେ ଘନ କୁହୁଡ଼ି ହୋଇପାରେ । ଗୁରୁବାର ରାତିରୁ ଶୁକ୍ରବାର ସକାଳ ଯାଏଁ ସୋନପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ, ମାଲକାନଗିରିରେ ଘନ କୁହୁଡ଼ି ଘେରିବ । ସୁନ୍ଦରଗଡ଼, ସମ୍ବଲପୁର, ବଲାଙ୍ଗୀର, ଝାରସୁଗୁଡ଼ା, ନୂଆପଡ଼ା, ବରଗଡ଼, କେନ୍ଦୁଝର, ମୟୂରଭଞ୍ଜରେ ମଧ୍ୟମ ଧରଣର କୁହୁଡ଼ି ନେଇ ସତର୍କ ସୂଚନା ଜାରି ହୋଇଛି ।