
ଯାଜପୁର: ଯାଜପୁର ଜିଲ୍ଲାର ବିଜେଡି ନେତାମାନେ ମଙ୍ଗଳବାର ସକାଳେ ବିରୋଧୀ ଦଳର ମୁଖ୍ୟ ସଚେତକ ତଥା ବିଧାୟିକା ପ୍ରମିଳା ମଲ୍ଲିକଙ୍କ ଭୁବନେଶ୍ବରସ୍ଥିତ ସରକାରୀ ବାସଭବନରେ ଏକାଠି ହୋଇ ସିଧା ଯାଇଥିଲେ ନବୀନ ନିବାସକୁ। ସେଠାରେ ସୁପ୍ରିମୋ ନବୀନ ପଟ୍ଟନାୟକ ଜଣ ଜଣ କରି ସମସ୍ତଙ୍କୁ ଜିଲ୍ଲାର ସ୍ଥିତି ସମ୍ପର୍କରେ ପଚାରି ବୁଝିଥିଲେ। ବିଜେପି ସରକାର ଦାୟିତ୍ୱ ନେବା ପରେ ଯାଜପୁରର ବିକାଶ କାମରେ ସ୍ଥାଣୁତା ଦେଖାଦେଇଥିବାରୁ ଶ୍ରୀ ପଟ୍ଟନାୟକ ଉଦ୍ବେଗ ପ୍ରକାଶ କରିଥିଲେ। ଆଲୋଚନା ସମୟରେ ଜିଲ୍ଲାର ନେତୃବୃନ୍ଦ ପଞ୍ଚାୟତ ଓ ପୌରାଞ୍ଚଳର ନିର୍ବାଚିତ ପ୍ରତିନିଧିଙ୍କ କ୍ଷମତା ବିଜେପି ସରକାର ସଙ୍କୁଚିତ କରି ଦେଇଥିବାରୁ ପରିସ୍ଥିତି କିପରି ଅଧିକ ଗମ୍ଭୀର ହୋଇଛି ସେ ସମ୍ପର୍କରେ ଅବଗତ କରିଥିଲେ। ଏଥିସହିତ ରାଜନୈତିକ ହସ୍ତକ୍ଷେପ ଯୋଗୁଁ ଜିଲ୍ଲାରେ ଆଇନଶୃଙ୍ଖଳା ପରିସ୍ଥିତିରେ ଅବନତି ଘଟିଥିବା ନେଇ ସଭାପତିଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ଉତ୍ତରରେ ଶ୍ରୀ ପଟ୍ଟନାୟକ ଦଳକୁ ଆହୁରି ମଜଭୁତ କରିବା ସହ ସମସ୍ତ ପ୍ରତିକୂଳ ସ୍ଥିତିରେ ଲୋକଙ୍କ ସେବା ଜାରି ରଖିବାକୁ ପରାମର୍ଶ ଦେଇଥିଲେ। ଜିଲ୍ଲାରେ ବିଜେଡି ନେତୃବୃନ୍ଦ ଭାଗ ଭାଗ ସ୍ଥିତିରେ ଥିବାବେଳେ ମୁଖିଆଙ୍କ ପାଖରେ ସମସ୍ତେ ଏକାଠି ବୋଲି ପ୍ରମାଣିତ କରିବାକୁ ଯଥାସାଧ୍ୟ ଉଦ୍ୟମ କରାଯାଇଥିଲା। ତେବେ ଏସବୁ ଭିତରେ ଆଜି ନବୀନ ନିବାସ ଭିତରେ ଘଟିଥିବା କିଛି ଅପ୍ରୀତିକର ଘଟଣା ଜିଲ୍ଲା ରାଜନୀତିକୁ ସରଗରମ କରିଛି।
ନବୀନ ସାଂଗଠନିକ ସ୍ଥିତି ଓ ଅନ୍ୟକିଛି ବ୍ୟକ୍ତିଗତ ପ୍ରସଙ୍ଗକୁ ନେଇ ପ୍ରଣବପ୍ରକାଶ ଦାସ (ବବି)ଙ୍କ ଉପରେ ଭୀଷଣ ବିରକ୍ତି ହୋଇଥିଲେ। ଦଳର ନେତାଙ୍କ ସୂତ୍ରରୁ ମିଳିଥିବା ଖବର ଅନୁସାରେ, ନବୀନ କୁଆଡେ ସିଧା ସିଧା କହିଥିଲେ, ବିଜେଡି ଲୋକଙ୍କ ସେବା ପାଇଁ ଗଠନ ହୋଇଛି। ନିଜର ସମ୍ପତ୍ତି ବଢ଼ାଇ, ବଡ଼ ଘର କରି ସୋ’ବାଜି ପାଇଁ ନୁହେଁ। ୨୫ ବର୍ଷ ତଳେ ନବୀନ ନିବାସରେ ଯାହା ଥିଲା ଆଜି ସେତିକି ଅଛି। ହେଲେ କିଛି ନେତା ସମ୍ପତ୍ତି ଆହରଣ କରି ଦଳକୁ ବଦନାମ କରିଛନ୍ତି। ଖାଲି ସେତିକି ନୁହେଁ, ରାଜ୍ୟସଭା ନିର୍ବାଚନବେଳେ ଯେଉଁପ୍ରକାର ସହଯୋଗ କରିଥିଲ, ସେଥିପାଇଁ ଧନ୍ୟବାଦ କହି ବବିଙ୍କୁ ଏକପ୍ରକାର ଅପ୍ରସ୍ତୁତ କରି ଦେଇଥିଲେ।
ନବୀନ ପୂର୍ବରୁ କେବେ ଏଭଳି ଢଙ୍ଗରେ ବବିଙ୍କ ଉପରେ ବିରକ୍ତି ପ୍ରକାଶ କରିନଥିଲେ। ଏବେ ହଠାତ୍ କାହିଁକି ରାଗିଲେ ତାକୁ ନେଇ ଅନ୍ୟ ନେତାମାନେ ମଧ୍ୟ ଚକିତ ହୋଇପଡ଼ିଥିଲେ। ବୈଠକରେ ବିରୋଧୀଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, ବରୀ ବିଧାୟକ ବିଶ୍ୱରଞ୍ଜନ ମଲ୍ଲିକ, ଯାଜପୁର ବିଧାୟିକା ସୁଜାତା ସାହୁ, ପୂର୍ବତନ ମନ୍ତ୍ରୀ ପ୍ରଣବପ୍ରକାଶ ଦାସ, ପ୍ରୀତିରଞ୍ଜନ ଘଡ଼େଇ, ପୂର୍ବତନ ସାଂସଦ ଶର୍ମିଷ୍ଠା ସେଠୀ, ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟ, କ୍ୟାପଟେନ୍ ରାଜନାରାୟଣ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।




