
ନବରଙ୍ଗପୁର: ନର୍ସିଂ ଛାତ୍ରୀଙ୍କ ମୃତଦେହ ଗାଁରେ ପହଞ୍ଚିବା ପରେ ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି । ଅନ୍ୟ ପକ୍ଷରେ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ଦାବି କରି ବଙ୍ଗୀୟ ସମାଜ ମୃତଦେହକୁ ଆମ୍ବୁଲାନ୍ସରୁ ଓହ୍ଲାଉ ନାହାନ୍ତି । ସେଭଳି ବିଜେଡି ନେତା ପ୍ରଦୀପ ମାଝୀଙ୍କ ନେତୃତ୍ୱରେ ତାଙ୍କର ଶତାଧିକ ସମର୍ଥକ ଓ କର୍ମୀ ରାଇଘର ଡୁମରୀମୁଣ୍ଡା ଠାରେ ଧାରଣା ଦେଇଛନ୍ତି । ପ୍ରଦୀପ ପୀଡିତାଙ୍କ ପରିବାରକୁ କ୍ଷତିପୂରଣ ବାବଦକୁ ୧ କୋଟି ଦାବି କରିଛନ୍ତି। କାରଣ ପ୍ରଶାସନର ନିଷ୍କ୍ରିୟତା ଯୋଗୁଁ ମହିଳା ଓ ଛାତ୍ରୀ ଅସୁରକ୍ଷିତ । ମହିଳାଙ୍କ ସୁରକ୍ଷା ଦିଗରେ ରାଜ୍ୟ ସରକାର ସମ୍ବେଦନଶୀଳ ନୁହେଁ ବୋଲି ଅଭିଯୋଗ କରିଛନ୍ତି। ତେଣୁ କ୍ଷତିପୂରଣ ନ ମିଳିବା ଯାଏଁ ଆନ୍ଦୋଳନ ଜାରି ରହିବ ବୋଲି ପ୍ରଦୀପ କହିଛନ୍ତି। ଅନ୍ୟପକ୍ଷରେ ପୀଡିତାଙ୍କ ନ୍ୟାୟ ଦାବିରେ ରାଇଘରରେ ଦୋକାନ ବଜାର ବନ୍ଦ ରହିଥିବା ବେଳେ ଯାନବାହନ ଚଳାଚଳ ବନ୍ଦ ରହିଛି । ସେଭଳି ପୁଲିସ ପ୍ରଶାସନ ପକ୍ଷରୁ ରାଇଘର ଠାରେ ୭ ପ୍ଳାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଛି।
ସୂଚନାଯୋଗ୍ୟ ଯେ, ରାଇଘର ନର୍ସିଂ ଛାତ୍ରୀଙ୍କ ଆପତ୍ତିଜନକ ଫଟୋ ଭାଇରାଲ ପରେ ଛାତ୍ରୀ ଲୋକ ଲଜ୍ଜା ପାଇଁ ବିଷପାନ କରି ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଦୀର୍ଘଦିନ ଦିନ ଧରି ଚିକିତ୍ସା ପରେ ଶନିବାର ଭୁବନେଶ୍ଵର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଛାତ୍ରୀଙ୍କ ମୃତ୍ୟୁ ହୋଇଛି।




