
ନୂଆଦିଲ୍ଲୀ: ନାମାଙ୍କନ ଭରିଲେ ଏନଡିଏ ପ୍ରାର୍ଥୀ ସି.ପି ରାଧାକ୍ରିଷ୍ଣନ । ୪ ସେଟ୍ର ନାମାଙ୍କନ ଭରିଛନ୍ତି ରାଧାକ୍ରିଷ୍ଣନ । ତାଙ୍କର ମୁଖ୍ୟ ପ୍ରସ୍ତାବକ ରହିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ସି.ପି. ରାଧାକୃଷ୍ଣନଙ୍କ ନାମାଙ୍କନରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହିତ ଏନଡିଏ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ଓ ମେଣ୍ଟର ପ୍ରାୟ ୧୬୦ ସାଂସଦ, ୨୦ ପ୍ରସ୍ତାବକ ଏବଂ ୨୦ ସମର୍ଥକ ସାମିଲ ହୋଇଥିଲେ ।
ମଙ୍ଗଳବାର ସଂସଦ ଭବନରେ ଅନୁଷ୍ଠିତ ଏନଡିଏ ସଂସଦୀୟ ଦଳ ବୈଠକରେ ପ୍ରଧାନମନ୍ତ୍ରୀ ମୋଦୀ ରାଧାକ୍ରିଷ୍ଣନଙ୍କୁ ମେଣ୍ଟ ସାଂସଦଙ୍କ ସହ ପରିଚିତ କରାଇଥିଲେ । ତାଙ୍କୁ ସର୍ବସମ୍ମତି ସମର୍ଥନ ପାଇଁ ଅପିଲ୍ କରିଥିଲେ। ଉପରାଷ୍ଟ୍ରପତି ପଦ ପାଇଁ ନିର୍ବାଚନ ସେପ୍ଟେମ୍ବର ୯ ତାରିଖରେ ସଂସଦ ଭବନରେ ଅନୁଷ୍ଠିତ ହେବ । ସେହି ଦିନ ରାତି ସୁଦ୍ଧା ଫଳାଫଳ ଘୋଷଣା କରାଯିବ ।
୨୦୨୪ ଜୁଲାଇରୁ ସେ ମହାରାଷ୍ଟ୍ର ରାଜ୍ୟପାଳ ଥିବା ବେଳେ, ଏହା ପୂର୍ବରୁ ୨୦୨୩ ଫେବ୍ରୁଆରୀରୁ ସେ ଝାଡ଼ଖଣ୍ଡର ରାଜ୍ୟପାଳ ବି ରହିଥିଲେ। ପୂର୍ବରୁ ତେଲେଙ୍ଗାନା ରାଜ୍ୟପାଳ ଏବଂ ପୁଡୁଚେରୀ ଉପରାଜ୍ୟପାଳ ଭାବରେ ମଧ୍ୟ ଅତିରିକ୍ତ ଦାୟିତ୍ବ ସମ୍ଭାଳିଥିଲେ ୬୭ ବର୍ଷୀୟ ସି.ପି. ରାଧାକ୍ରିଷ୍ଣନ୍। ରାଜନୈତିକ କ୍ୟାରିୟର କଥା ଦେଖିଲେ, ୧୯୫୭ ଅକ୍ଟୋବର ୨୦ରେ ତାମିଲନାଡୁ ତିରୁପୁରରେ ଜନ୍ମଗ୍ରହଣ କରିଥିବା ରାଧାକ୍ରିଷ୍ଣନ୍, ୧୯୯୮ରେ ପ୍ରଥମେ ଲୋକସଭାକୁ ନିର୍ବାଚିତ ହୋଇଥିଲେ ଏବଂ କୋଏମ୍ବାଟୁରରୁ ୨ ଥର ସାଂସଦ ବନିଥିଲେ।




