
ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇଛନ୍ତି ଜଗଦୀପ ଧନଖଡ । ଧନଖଡ ତାଙ୍କ ଇସ୍ତଫା ପଛରେ ତାଙ୍କ ସ୍ୱାସ୍ଥ୍ୟ କାରଣ ଦର୍ଶାଇଛନ୍ତି । ସେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଇସ୍ତଫାପତ୍ର ପ୍ରଦାନ କରିଛନ୍ତି । ଧନଖଡଙ୍କ ଇସ୍ତଫା ପରେ, ବିରୋଧୀ ଏବେ ଅନେକ ପ୍ରଶ୍ନ ଉଠାଇଛନ୍ତି। ସେମାନେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ମଧ୍ୟ ଚିନ୍ତା ପ୍ରକାଶ କରିଛନ୍ତି।
ଉପରାଷ୍ଟ୍ରପତି ଜଗଦୀପ ଧନଖଡଙ୍କ ଇସ୍ତଫା ଉପରେ ଝାମୁମୋ ସାଂସଦ ମହୁଆ ମାଜି କହିଛନ୍ତି, “ଏହା ଅତ୍ୟନ୍ତ ଆଶ୍ଚର୍ୟ୍ୟଜନକ ଖବର । ବିଶେଷକରି ବିରୋଧୀ ଦଳଗୁଡ଼ିକ ପାଇଁ, ଆଜି ଗୃହରେ ଆମେ ଭାବି ନଥିଲୁ ଯେ ସେ ଆଜି ହିଁ ଇସ୍ତଫା ଦେବେ। ସେ ଆହୁରି ଅନେକ ଗୁରୁତ୍ୱପୂର୍ଣ୍ଣ କଥା ମଧ୍ୟ କହିଥିଲେ। କିଛି ଲୋକ ଏହାକୁ ହଜମ କରିପାରୁ ନାହାଁନ୍ତି। ଏହା ପଛରେ ଅନ୍ୟ କୌଣସି କାରଣ ଥାଇପାରେ ବୋଲି ଅନୁମାନ କରାଯାଉଛି। ଆମେ ସମସ୍ତେ ଚାହୁଁଛୁ ଯେ ସେ ଏହି ନିଷ୍ପତ୍ତିର ପୁନର୍ବିଚାର କରନ୍ତୁ।”