
ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌର ଏକ ହୋଟେଲରେ ମଙ୍ଗଳବାର ଜଣେ ଯୁବକ ତାଙ୍କ ମା’ ଓ ୪ ଭଉଣୀଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତଙ୍କ ନାଁ ଅର୍ଶଦ (୨୪)। ତାଙ୍କୁ ପୁଲିସ ଗିରଫ କରିଛି। ଅର୍ଶଦଙ୍କ ବାପା ବଦରଙ୍କର ମଧ୍ୟ ଏହି ହତ୍ୟାକାଣ୍ଡରେ ସଂପୃକ୍ତି ଥିବା ପୁଲିସ ସନ୍ଦେହ କରୁଛି। ସେ ଫେରାର ଅଛନ୍ତି। ତାଙ୍କୁ ଧରିବାକୁ ପୁଲିସ ପ୍ରୟାସ ଜାରି ରଖିଛି।
ମୃତକମାନେ ହେଉଛନ୍ତି, ଅର୍ଶଦଙ୍କ ମା’ ଅସମା, ଭଉଣୀ ଅଲଶିୟା (୧୯), ରହମୀନ (୧୮), ଅକସା (୧୬), ଓ ଆଲିୟା (୯)। ସେମାନେ ସମସ୍ତେ ଆଗ୍ରାର ବାସିନ୍ଦା ଥିଲେ। ଗତ ସୋମବାର (ଡିସେମ୍ବର ୩୦) ସେମାନେ ଲକ୍ଷ୍ନୌ ଆସିଥିଲେ ଓ ଏକ ହୋଟେଲରେ ରହୁଥିଲେ। ସେମାନଙ୍କ ସହିତ ଅର୍ଶଦ ଓ ବଦର ମଧ୍ୟ ଆସିଥିଲେ।
ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ପାରିବାରିକ କଳହକୁ ନେଇ ଏହି ଘଟଣା ଘଟିଛି। ତେବେ କେଉଁ କଥାକୁ ନେଇ ପରିବାରର ସଦସ୍ୟଙ୍କ ମଧ୍ୟ କନ୍ଦଳ ଲାଗିଥିଲା, ସେ ନେଇ ପୁଲିସ କିଛି କହି ନାହିଁ।ଗତକାଲି ରାତିରେ ହୋଟେଲରେ ଏହି ପରିବାରର ସଦସ୍ୟଙ୍କ ମଧ୍ୟରେ ପ୍ରବଳ ଯୁକ୍ତିତର୍କ ହୋଇଥିଲା। ଆଉ ତା’ପରେ ଏହି ଘଟଣା ଘଟିଥିଲା। ଅର୍ଶଦ ସମସ୍ତଙ୍କ ଖାଦ୍ୟରେ କୌଣସି ପ୍ରକାରର ନିଶା ଦ୍ରବ୍ୟ ମିଶାଇ ଦେଇଥିଲେ। ମା’ ଓ ଭଉଣୀମାନେ ଖାଇପିଇ ଶୋଇବା ପରେ ଖାଦ୍ୟରେ ପଡ଼ିଥିବା ନିଶା ଦ୍ରବ୍ୟ ପ୍ରଭାବରେ ଅଚେତ ହୋଇଯାଇଥିଲେ। ତା’ପରେ ଅର୍ଶଦ ସେମାନଙ୍କୁ ହତ୍ୟା କରିଥିଲେ। ସମସ୍ତ ମୃତକଙ୍କ ମଣିବନ୍ଧକୁ ବ୍ଲେଡ୍ରେ କଟାଯାଇଥିଲା। ମୃତଦେହଗୁଡ଼ିକ ରକ୍ତଜୁଡ଼ୁବୁଡ଼ୁ ହୋଇ ପଡ଼ି ରହିଥିଲା।