
ଭୁବନେଶ୍ୱର : ନିଷ୍କ୍ରିୟ ମୌସୁମୀ ଯୋଗୁଁ ରାଜ୍ୟରେ ବର୍ତ୍ତମାନ ନିଅଣ୍ଟିଆ ବର୍ଷା ଜାରି ରହିବ। ପ୍ରତିଦିନ ସ୍ୱାଭାବିକ ତୁଳନାରେ କମ୍ ବର୍ଷା ହେବ। ତେବେ ଏହି ସମୟରେ କେତେକ ଅଞ୍ଚଳରେ କାଁ ଭାଁ ବର୍ଷା ହୋଇପାରେ। ଏହି ସମୟରେ ବିଜୁଳି ଘଡ଼ଘଡ଼ିର ପ୍ରଭାବ ରହିପାରେ। ତେବେ ଆସନ୍ତା ୧୪ରୁ ରାଜ୍ୟକୁ ପୁଣି ବର୍ଷା ଫେରିବାର ସମ୍ଭାବନା ରହିଛି।ରାଜ୍ୟରେ ବର୍ଷା ସମ୍ପର୍କରେ ସୂଚନା ଦେଇ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ବର୍ତ୍ତମାନ ରାଜ୍ୟରେ ମୌସୁମୀ ବାୟୁ ନିଷ୍କ୍ରିୟ ରହିଛି। ଆସନ୍ତା ୧୩ରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ଏହା ପ୍ରଭାବରେ ଲଘୁଚାପ ସୃଷ୍ଟି ହୋଇ ମୌସୁମୀ ବର୍ଷା ହୋଇପାରେ। ବର୍ତ୍ତମାନ ମୌସୁମୀ ଟ୍ରଫ୍ ଉତ୍ତର ମୁହାଁ ହୋଇଛି। ଯାହାଦ୍ୱାରା ହିମାଳୟ ଅଞ୍ଚଳରେ ଭାରୀ ବର୍ଷା ହୋଇଛି। ଏହାସହିତ ବଙ୍ଗୋପସାଗରରେ ଆସନ୍ତା ୧୦ ଦିନ ପର୍ୟ୍ୟନ୍ତ ଲଘୁଚାପର ସମ୍ଭାବନା ନାହିଁ। ତେଣୁ ଏହି ସମୟରେ କେବଳ ପରିଚଳନଜନିତ ସ୍ୱଳ୍ପ ବର୍ଷା ହୋଇପାରେ। ବିସ୍ତୃତ ଭାରୀ ବର୍ଷା ନାହିଁ। ଆକଳନ କରାଯାଉଛି ଆସନ୍ତା ୧୩ ବେଳକୁ ଓଡ଼ିଶା ସଂଲଗ୍ନ ଉତ୍ତର ପଶ୍ଚିମ ବଙ୍ଗପୋସାଗର କିମ୍ବା ଏହାର ଦକ୍ଷିଣାଂଶରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇ ପରବର୍ତ୍ତୀ ସମୟରେ ଲଘୁଚାପ ହୋଇପାରେ। ଏହାର ପ୍ରଭାବରେ ରାଜ୍ୟରେ ୧୭ ତାରିଖ ପର୍ୟ୍ୟନ୍ତ ବର୍ଷା ହେବ। କେନ୍ଦ୍ରୀୟ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହେବ ବୋଲି ପ୍ରଫେସର ପଶୁପାଳକ ଆକଳନ କରିଛନ୍ତି।




