
ଭୁବନେଶ୍ୱର: ରାଜ୍ୟ ସଭା ନିର୍ବାଚନ ପାଇଁ ସେମବାର ମତଦାନ ଚାଲିଛି। ଏହାରି ମଧ୍ୟରେ କଂଗ୍ରେସ ବିଧାୟକ ଦାଶରଥି ଗମାଙ୍ଗ ଭୋଟ ଦେଇଛନ୍ତି। ଏହି ସମୟରେ ସେ କହିଛନ୍ତି, ପିସିସି ସଭାପତି ଯାହାକୁ କହିଲେ ତାଙ୍କୁ ଭୋଟ ଦେଇଛି। ଯାହାଙ୍କୁ ନିର୍ଣ୍ଣୟ କରିଥିଲି ତାଙ୍କୁ ଭୋଟ ଦେଇଛି। ଯୋଗାଯୋଗ ହୋଇ ପାରୁ ନ ଥିବା ପ୍ରଶ୍ନରେ ଜବାବ ରଖି କହିଲେ, ମୋ ଘର ପାହାଡ଼ ଉପରେ, ନେଟୱର୍କ ନ ଥିଲା। ହ୍ବିପ ମାନି ନ ଥିବାରୁ ୨ ଥର ନୋଟିସ କରିଥିଲା କଂଗ୍ରେସ।
ବିଧାୟକ ଦାଶରଥି ଗମାଙ୍ଗ କଂଗ୍ରେସର କୌଣସି ନେତାଙ୍କୁ ଧରାଛୁଆଁ ଦେଉ ନ ଥିଲେ। ଟେଲିଫୋନ୍ ଯୋଗେ ମଧ୍ୟ ଦଳର ନେତୃତ୍ୱଙ୍କ ସହିତ ସେ ଯୋଗାଯୋଗ ରଖୁ ନ ଥିବା ଦଳୀୟ ସୂତ୍ରରୁ ଜଣାପଡ଼ିଥିଲା। ଜଣେ ବରିଷ୍ଠ ବିଧାୟକ ନିଜ ନାମ ଗୋପନ ରଖିବା ସର୍ତ୍ତରେ କହିଥିଲେ, ଦାଶରଥିଙ୍କ ସହ ଦଳ ପକ୍ଷରୁ କୌଣସି ଯୋଗାଯୋଗ ହୋଇପାରୁ ନ ଥିବାବେଳେ ସେ କେଉଁଠାରେ ଅଛନ୍ତି କାହାକୁ ଜଣାନାହିଁ। ଦଳର ୨ ବିଧାୟକ ତାରାପ୍ରସାଦ ବାହିନୀପତି ଏବଂ ରମେଶ ଜେନା ତାଙ୍କ ବିଷୟରେ ଜାଣିଥିଲେ ସୁଦ୍ଧା ସେମାନେ ନ ଜାଣିବା ଭଳି ଅଭିନୟ କରୁଥିବା ସେ କହିଥିଲେ।




