
ବଡ଼ବିଲ : କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ରିମୁଳି କଲୋନୀ ସାହିରେ ବଡ଼ ଭାଇକୁ ଟାଙ୍ଗିଆରେ ହାଣି ହତ୍ୟା କରିଲା ସାନ ଭାଇ । ମଙ୍ଗଳବାର ବିଳମ୍ବିତ ରାତିରେ କୌଣସି କଥାକୁ ନେଇ ଦୁଇ ଭାଇଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା । ସାନ ଭାଇ ଧନୁ ନାଏକ ନିଶାଶକ୍ତ ଅବସ୍ଥାରେ ରହିଥିବା ବେଳେ ପାଟିତୁଣ୍ଡ ସମୟରେ ହଠାତ୍ ସେ ଉତ୍କ୍ଷିପ୍ତ ହୋଇଉଠିଥିଲେ । ଆଉ ଏକ ଟାଙ୍ଗିଆରେ ବଡ଼ ଭାଇ ରାହୁଲ ନାଏକକୁ ହାଣି ଥିଲେ । ଯାହାପରେ ଘଟଣାସ୍ଥଳରେ ହିଁ ରାହୁଲଙ୍କର ମୃତ୍ୟୁ ହୋଇଯାଇଥିଲା । ଅନ୍ୟପଟେ ହତ୍ୟା ସଂପର୍କରେ ଖବର ପାଇ ଚମ୍ପୁଆ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ୍ ଆରମ୍ଭ କରିବା ସହ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛି । ଏହାସହିତ ଅଭିଯୁକ୍ତ ଭାଇ ଧନୁକୁ ଗିରଫ କରି ଛାନ୍ଭିନ୍ ଜାରି ରଖିଛି ।




