ବାରବାଟୀରେ ଏକତରଫା ବିଜୟ: ଦକ୍ଷିଣ ଆଫ୍ରିକାର ସର୍ବନିମ୍ନ ସ୍କୋର

କଟକ: କଟକ ବାରବାଟୀ ଷ୍ଟାଡିୟମ୍‌ରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଏକତରଫା ବିଜୟ ହାସଲ ସହ ଟ୍ବେଣ୍ଟି୨୦ ଶୃଙ୍ଖଳା ଆରମ୍ଭ କରିଛି। ହାର୍ଦିକ ପାଣ୍ଡ୍ୟାଙ୍କ ଚିତ୍ତାକର୍ଷକ ଇନିଂସ ପରେ ବୋଲରଙ୍କ ସାମୂହିକ ପ୍ରଦର୍ଶନ ଭାରତକୁ ଏହି ସଫଳତା ଦେଇଛି। ଫଳରେ ମଙ୍ଗଳବାର ଦକ୍ଷିଣ ଆଫ୍ରିକାକୁ ୧୦୧ ରନ୍‌ରେ ଭାରତ ପରାସ୍ତ କରିଛି। ବାରବାଟୀର ଏହି ନାଲିମାଟି ପିଚ୍‌ରେ ବ୍ୟାଟିଂ ସହଜ ନଥିଲା। ଆରମ୍ଭରୁ ଭାରତୀୟ ଦଳ ପାଇଁ ଏକପ୍ରକାର ବ୍ୟାଟିଂ ବିପର୍ୟ୍ୟୟ ଘଟିଥିଲା। ତେବେ ହାର୍ଦିକ ପାଣ୍ଡ୍ୟା ଏହାକୁ ଭୁଲ୍‌ ପ୍ରମାଣିତ କରି ବିସ୍ଫୋରକ ଅପରାଜିତ ୫୯ ରନ୍‌ କରିଥିଲେ। ଫଳରେ ଭାରତ ପାଇଁ ଦେଢ଼ଶହ ରନ୍‌ ଏକଦା ଅପହଞ୍ଚ ଲାଗୁଥିବା ବେଳେ ହାର୍ଦିକଙ୍କ ଇନିଂସ ବଳରେ ଘରୋଇ ଦଳ ୬ ୱିକେଟ୍‌ରେ ୧୭୫ ରନ୍‌ କରିଥିଲା। ପରେ ଭାରତର ଛଅ ଜଣ ବୋଲର ବୋଲିଂକରି ପ୍ରତିଦ୍ବନ୍ଦ୍ବୀ ଦକ୍ଷିଣ ଆଫ୍ରିକାର ସମସ୍ତ ୱିକେଟ୍‌ ନେଇଥିଲେ। ନିୟମିତ ବ୍ୟବଧାନରେ ୱିକେଟ୍‌ ହରାଇ ଦକ୍ଷିଣ ଆଫ୍ରିକା ୧୨.୩ ଓଭରରେ ମାତ୍ର ୭୪ ରନ୍‌କରି ଅଲ୍‌ଆଉଟ୍‌ ହୋଇ ଯାଇଥିଲା। ବିଜୟ ସହ ଭାରତ ୫ ମ୍ୟାଚ୍‌ର ଟ୍ବେଣ୍ଟି୨୦ ଶୃଙ୍ଖଳାରେ ୧-୦ରେ ଆଗୁଆ ହୋଇଛି।

ପୂର୍ବରୁ ବାରବାଟୀ ଷ୍ଟାଡିୟମ୍‌ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତ ଦୁଇଟି ଟ୍ବେଣ୍ଟି୨୦ ମ୍ୟାଚ୍‌ ଖେଳି ଉଭୟ ମ୍ୟାଚ୍‌ ହାରିଥିବା ବେଳେ ତୃତୀୟ ମୁକାବିଲାରେ ଏହି ଧାରାକୁ ସୂର୍ୟ୍ୟକୁମାର ଯାଦବଙ୍କ ବ୍ରିଗେଡ୍‌ ଭାଙ୍ଗିପାରିଛି। ଓଡ଼ିଶାର ଦର୍ଶକ ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌ ଦେଖିବାକୁ ବାରବାଟୀ ଆସିଥିଲେ ହେଁ ଭାରତ ଯେପରି ଭାବେ ସମ୍ପୂର୍ଣ୍ଣ ପ୍ରାଧାନ୍ୟ ବିସ୍ତାରକରି ବିଜୟୀ ହେଲା; ସେଥିରେ ୪୫ ହଜାର ଦର୍ଶକଙ୍କ ପଇସା ପୂରା ଅସୁଲ ହୋଇଥିଲା। ଭାରତୀୟ ବ୍ୟାଟ୍‌ସମ୍ୟାନଙ୍କ ପ୍ରତି ବାଉଣ୍ଡରୀ ଏବଂ ପରେ ପ୍ରତି ଭାରତୀୟ ବୋଲରଙ୍କ ପ୍ରତି ୱିକେଟ୍‌ ସହ ଦର୍ଶକଙ୍କ ହର୍ଷନାଦରେ ବାରବାଟୀ ଷ୍ଟାଡିୟମ୍‌ ଦୁଲୁକି ଯାଇଥିଲା। ଭାରତ ୧୭୫ ରନ୍‌ କରିବା ପରେ ଏହା ମ୍ୟାଚ୍‌ ବିଜୟୀ ସ୍କୋର୍‌ ମନେ ହୋଇଥିଲା। ହେଲେ ଦକ୍ଷିଣ ଆଫ୍ରିକା ତା’ର ଟ୍ବେଣ୍ଟି୨୦ ଇତିହାସରେ ସର୍ବନିମ୍ନ ସ୍କୋର୍ ୭୪ ରନ୍‌ରେ ଅଲ୍‌ଆଉଟ୍‌ ହେବ ବୋଲି କେହି ଭାବି ନ ଥିଲେ। ପୁଣି କାକର ଭାରତୀୟ ବୋଲରଙ୍କୁ ପ୍ରଭାବିତ କରି ପାରି ନ ଥିଲା। ସୂଚନାଯୋଗ୍ୟ; ୨୦୨୨ରେ ରାଜକୋଟରେ ଭାରତଠାରୁ ଦକ୍ଷିଣ ଆଫ୍ରିକା ଟ୍ବେଣ୍ଟି୨୦ ମ୍ୟାଚ୍‌ରେ ୮୭ ରନ୍‌ରେ ଅଲ୍‌ଆଉଟ୍‌ ହୋଇଥିଲା।
ମ୍ୟାଚ୍‌ରେ ଅର୍ଶଦୀପ ସିଂହ ନୂଆ ବଲ୍‌ରେ ତାଙ୍କ ପ୍ରଥମ ୨ ଓଭରରେ ୨ଟି ୱିକେଟ୍‌ ନେଇ ଦକ୍ଷିଣ ଆଫ୍ରିକାର ବ୍ୟାଟିଂ ବିପର୍ୟ୍ୟୟ ଘଟାଇଥିଲେ। ପ୍ରଥମ ଓଭରରେ କ୍ବିଣ୍ଟନ ଡି କକ୍‌ ବିନା ସ୍କୋର୍‌ରେ ଆଉଟ୍‌ ହୋଇଥିଲେ। ଟ୍ରିଷ୍ଟାନ୍ ଷ୍ଟବ୍‌ସ (୧୪)ଙ୍କୁ ଆଉଟ୍‌କରି ଅର୍ଶଦୀପ ଭାରତକୁ ଦ୍ବିତୀୟ ସଫଳତା ଦେଇଥିଲେ। ଅଧିନାୟକ ଐଡେନ୍ ମାର୍କରାମ ୧୪ ବଲ୍‌ରୁ ୧୪ ରନ୍‌ କରି ଆଉଟ୍‌ ହୋଇଥିଲେ। ବହୁତ ଦିନ ପରେ ଦଳକୁ ଫେରିଥିବା ଡେଭିଡ୍‌ ମିଲର ମାତ୍ର ୧ ରନ୍‌ କରିଥିଲେ। ଡାନୋଭାନ୍ ଫରେରା ୫ ରନ୍‌ କରିଥିଲେ। ମାତ୍ର ୫୦ ରନ୍‌ରେ ଦକ୍ଷିଣ ଆଫ୍ରିକା ୫ଟି ୱିକେଟ୍‌ ହରାଇବା ପରେ ଏହାର ପରାଜୟ ନିଶ୍ଚିତ ଲାଗୁଥିଲା। ମାର୍କୋ ୟାନ୍‌ସେନ ୨ଟି ଛକା ସହ ୧୨ ଏବଂ
ଡିୱାଲ୍‌ଡ ବ୍ରେଭିସ୍‌ ଗୋଟିଏ ଛକା ଓ ୩ଟି ଚୌକା ସହ ୨୨ ରନ୍‌କରି କେବଳ ପରାଜୟ ବ୍ୟବଧାନ ହ୍ରାସ କରିଥିଲେ। ମାତ୍ର ୬ ରନ୍‌ରେ ଦକ୍ଷିଣ ଆଫ୍ରିକା ଶେଷ ୫ଟି ୱିକେଟ୍‌ ହରାଇଥିଲା। ଅର୍ଶଦୀପ ସିଂହ, ଯଶପ୍ରୀତ ବୁମ୍‌ରା, ବରୁଣ ଚକ୍ରବର୍ତ୍ତୀ ଓ ଅକ୍ଷର ପଟେଲ ୨ଟି ଲେଖାଏଁ ୱିକେଟ୍‌ ନେଇଥିଲେ।

ଟସ୍ ଜିତି ଦକ୍ଷିଣ ଆଫ୍ରିକା ଫିଲ୍‌ଡିଂ କରିଥିଲା। ଭାରତର ପ୍ରାରମ୍ଭ ସେପରି ଭଲ ନଥିଲା। ୪୮ ରନ୍‌ରେ ଘରୋଇ ଦଳ ୩ଟି ୱିକେଟ୍‌ ହରାଇବା ବାରବାଟୀ ଦର୍ଶକଙ୍କୁ ନିରାଶ କରିଥିଲା। ପ୍ରଥମ ବଲ୍‌ରେ ଏକ ଚୌକା ମାରି ଶୁଭମନ ଗିଲ୍‌ ଆଉଟ୍‌ ହୋଇଥିଲେ। ଅଧିନାୟକ ସୂର୍ୟ୍ୟକୁମାର ଯାଦବ ୧୧ ବଲ୍‌ରୁ ଗୋଟିଏ ଛକା ଓ ଚୌକା ସହ ୧୨ ରନ୍‌ କରିଥିଲେ। ଅଭିଷେକ ଶର୍ମା ୧୨ ବଲ୍‌ରୁ ୧୭ ରନ୍‌କରି ଆଉଟ୍‌ ହୋଇଥିଲେ। ପରେ ଦୁଇ ବାମହାତି ତିଳକ ବର୍ମା ଓ ଅକ୍ଷର ପଟେଲ ଦଳୀୟ ସ୍କୋର୍‌ରେ ୩୦ ରନ୍‌ ଯୋଡ଼ିଥିଲେ। ତିଳକ ୩୨ ବଲ୍‌ରୁ ଗୋଟିଏ ଛକା ଓ ୨ଟି ଚୌକା ସହ ୨୬ ରନ୍‌କରି ଆଉଟ୍‌ ହୋଇଥିଲେ। ପରେ ହାର୍ଦିକ ପାଣ୍ଡ୍ୟା ଏକା ଇନିଂସ ସମ୍ଭାଳିଥିଲେ। ଅକ୍ଷର ୨୧ ବଲ୍‌ରୁ ୨୩ ରନ୍‌ କରିଥିଲେ। ଶିବମ୍ ଦୁବେ ଦୁଇଟି ଚୌକା ସହ ୧୧ ରନ୍‌ କରିଥିଲେ। ଶେଷ ୩ ଓଭରରେ ହାର୍ଦିକ ପାଣ୍ଡ୍ୟା ଓ ଜିତେଶ ଶର୍ମା ୩୮ ରନ୍‌ ଯୋଡ଼ିଥିଲେ। ଏସିଆ କପ୍ ପରେ ଦଳକୁ ଫେରିଥିବା ହାର୍ଦିକ ବାରବାଟୀରେ ବିସ୍ଫୋରକ ଇନିଂସ ଖେଳିଥିଲେ। ସେ ୨୮ ବଲରୁ ୪ଟି ଛକା ଓ ୬ଟି ଚୌକା ସହ ୫୯ ରନ୍‌କରି ଅପରାଜିତ ଥିଲେ। ଜିତେଶ ୫ ବଲ୍‌ରୁ ୧୦ ରନ୍‌କରି ଅପରାଜିତ ଥିଲେ। ଦକ୍ଷିଣ ଆଫ୍ରିକା ପକ୍ଷରୁ ଲୁଙ୍ଗି ଏନ୍‌ଗିଡି ୩ଟି ଓ ଲୁଥୋ ସିପାମ୍‌ଲା ୨ଟି ୱିକେଟ୍‌ ନେଇଥିଲେ। ମ୍ୟାଚ୍‌ ବିଜୟୀ ଇନିଂସ ପାଇଁ ହାର୍ଦିକ ପାଣ୍ଡ୍ୟା ପ୍ଲେୟର ଅଫ୍ ଦି ମ୍ୟାଚ୍‌ ହୋଇଥିଲେ।

  • Related Posts

    ବିଶ୍ବ ପାରା ତୀରନ୍ଦାଜୀ ସିରିଜ୍‌,ବିଶ୍ବ ଚମ୍ପିଆନ୍‌ଙ୍କୁ ହରାଇ ପାୟଲଙ୍କୁ ସ୍ବର୍ଣ୍ଣ

    ବଲାଙ୍ଗିର: ବ୍ୟାଙ୍ଗକକ୍‌ରେ ଚାଲିଥିବା ବିଶ୍ବ ପାରା ତୀରନ୍ଦାଜୀ ସିରିଜ୍‌ରେ କ୍ରମାଗତ ୨ୟ ଦିନ​‌ରେ ଦେଶ ପାଇଁ ୨ୟ ସ୍ବର୍ଣ୍ଣ ପଦକ ଜିତିଛନ୍ତି ଓଡ଼ିଆ ଝିଅ ପାୟଲ ନାଗ। ଶନିବାର ଫାଇନାଲରେ ୧୮ ବର୍ଷ ବୟସ୍କା ପାୟଲ ମହିଳା କମ୍ପାଉଣ୍ଡ ବ୍ୟକ୍ତିଗତ ବର୍ଗରେ…

    Continue reading
    ୱାର୍ଲ୍ଡ ଆଥେଲେଟିକ୍ସ ଚମ୍ପିଅନସିପ ୨୦୨୮; ଆୟୋଜନ ପାଇଁ ପ୍ରସ୍ତୁତ ଓଡି଼ଶା, କାଉଣ୍ଟଡାଉନ ଆରମ୍ଭ

    ଭୁବନେଶ୍ବର: ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଆୟୋଜନ ହେବ ୱାର୍ଲ୍ଡ ଆଥେଲେଟିକ୍ସ ଚମ୍ପିଅନସିପ ୨୦୨୮ । ଏହି ବିଶ୍ୱସ୍ତରୀୟ ପ୍ରତିଯୋଗିତା ଆୟୋଜନ ପାଇଁ ଓଡିଶା ପ୍ରସ୍ତୁତ ରହିଛି । ଅନ୍ତର୍ଜାତୀୟ ପ୍ରତିଯୋଗିତା ପାଇଁ କାଉଣ୍ଟଡାଉନ ଆରମ୍ଭ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ