
ନୂଆଦିଲ୍ଲୀ : ଭାରତୀୟ ବାୟୁସେନାକୁ ଦୀର୍ଘ ୬ ଦଶନ୍ଧି (୬୨ ବର୍ଷ) ଧରି ସେବା ଯୋଗାଇ ଦେଇ ଆସୁଥିବା ମିଗ୍-୨୧ ଯୁଦ୍ଧବିମାନକୁ ଅବସର ଦିଆଯିବ। ଏହି ଯୁଦ୍ଧ ବିମାନକୁ ଅବସର ଦେବା ପାଇଁ ଆସନ୍ତା ସେପ୍ଟେମ୍ବର ୧୯ରେ ଚଣ୍ଡିଗଡ ଏୟାରବେସ୍ ଏକ ବିଦାୟକାଳୀନ ଉତ୍ସବର ଆୟୋଜନ କରାଯିବ। ମିଗ୍-୨୧କୁ ନେଇ ଗଠିତ ବାୟୁସେନାର ବାହିନୀ ନାମ ହେଉଛି ପାନ୍ଥର ସ୍କ୍ବାର୍ଡନ ବା ସ୍କ୍ବାର୍ଡନ ନମ୍ବର ୨୩। ଏହା ବାୟୁସେନାର ପ୍ରଥମ ସୁପରସୋନିକ୍ ଜେଟ୍ ଥିଲା। ୧୯୬୦ ଓ ୭୦ ଦଶକରେ ଏହା ବାୟୁସେନାର ମୁଖ୍ୟ ଆୟୁଧ ବିବେଚିତ ହେଉଥିଲା। ମାତ୍ର ପରବର୍ତ୍ତୀ ସମୟରେ ଏହି ଯୁଦ୍ଧବିମାନ ବାରମ୍ବାର ଦୁର୍ଘଟଣାଗ୍ରସ୍ତ ହେବାରୁ ଏହାକୁ ‘ଉଡନ୍ତା କଫିନ’ ଭାବରେ ନାମିତ କରାଯାଇଥିଲା। ୧୯୬୫ ପାକିସ୍ତାନ ବିରୋଧୀ ଯୁଦ୍ଧ, ୧୯୭୧ ବାଂଲାେଦଶ ସ୍ବାଧୀନତା ଯୁଦ୍ଧ ଓ ୧୯୯୯ କାର୍ଗିଲ ଯୁଦ୍ଧ ସମୟରେ ମିଗ୍-୨୧ ପ୍ରମୁଖ ଭୂମିକା ନିର୍ବାହ କରିଥିଲା। ଏପରି କି ଅପରେସନ ସିନ୍ଦୂର ସମୟରେ ମଧ୍ୟ ମିଗ୍-୨୧କୁ ସଜାଗ ରଖାଯାଇଥିଲା। ସ୍କ୍ବାର୍ଡନ ନମ୍ବର ୨୩ର ଅବସର ପରେ ଭାରତୀୟ ବାୟୁସେନାର ସ୍କ୍ବାର୍ଡନ ସଂଖ୍ୟା ୨୯କୁ ହ୍ରାସ ପାଇବ।