
ଭୁବନେଶ୍ବର:ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟାନନ୍ଦ ପଟ୍ଟନାୟକ ବା ବିଜୁ ବାବୁଙ୍କ ବାବଦରେ ବିଜେପି ସାଂସଦ ନିଶିକାନ୍ତ ଦୁବେ ଦେଇଥିବା ବିବାଦୀୟ ମନ୍ତବ୍ୟକୁ ନେଇ ତେଜୁଛି ରାଜନୀତି । ନିଶିକାନ୍ତଙ୍କ ମନ୍ତବ୍ୟକୁ ନେଇ ଓଡ଼ିଶାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବାରେ ଲାଗିଛି ।
ଏହି ଘଟଣାକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ବିଜେପି ବିଧାୟକ ବାବୁୂ ସିଂହ । ସେ ଏକ୍ସରେ ଏକ ପୋଷ୍ଟକରି ବିଜୁ ବାବୁଙ୍କ ବିଷୟରେ କୌଣସି ବିବାଦୀୟ ମନ୍ତବ୍ୟ ଗ୍ରହଣ କରାଯିବ ନାହିଁ ବୋଲି କହିଛନ୍ତି । ସେ ଲେଖିଛନ୍ତି, ‘ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କୁ ନେଇ ଗତକାଲି ଠାରୁ ଯେଉଁ ଧରଣର ଚର୍ଚ୍ଚା ଓ ମନ୍ତବ୍ୟ ପ୍ରକାଶ ପାଉଛି, ତାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ବିଜୁ ବାବୁ କେବଳ ଜଣେ ଜନନେତା ନଥିଲେ, ସେ ଜୀବନର ଶେଷ ନିଃଶ୍ୱାସ ପର୍ୟ୍ୟନ୍ତ ଓଡ଼ିଶା ଓ ଓଡ଼ିଆ ଜାତିର ସେବା ପାଇଁ ଚେଷ୍ଟିତ ଥିଲେ । ତାଙ୍କ ବିରୋଧରେ ହୋଇଥିବା ଅଶୋଭନୀୟ ମନ୍ତବ୍ୟକୁ ମୁଁ କଠୋର ଶବ୍ଦରେ ନିନ୍ଦା କରୁଛି । ବ୍ୟକ୍ତି ବିଶେଷ ଯିଏ ହୁଅନ୍ତୁ ନା କାହିଁକି, ବିଜୁ ବାବୁଙ୍କ ଭଳି ଜଣେ ଜନନେତାଙ୍କ ବିରୋଧରେ ଏଭଳି ମନ୍ତବ୍ୟ ଦେବା ମୋଟେ ଗ୍ରହଣୀୟ ନୁହେଁ । ଏହି ଘଟଣା ସାରା ଓଡ଼ିଶାର ଜନସାଧାରଣଙ୍କ ମନରେ ଗଭୀର ଆଘାତ ଦେଇଛି । ଯେଉଁମାନେ ତାଙ୍କ ବିରୋଧରେ କଥାକୁ କଦର୍ଥ କରି କହୁଛନ୍ତି, ସେମାନେ ଏଭଳି ଅପଚେଷ୍ଟାରୁ ଦୂରେଇ ରୁହନ୍ତୁ ଏବଂ ନିଜର ଭୁଲ୍ ପାଇଁ ସାର୍ବଜନୀନ ଭାବେ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରନ୍ତୁ ।’




