
ଭୁବନେଶ୍ୱର: ବିଜୁ ଜନତା ଦଳକୁ ଧୋଇଲେ ବରିଷ୍ଠ ରାଜନେତା ସୌମ୍ୟରଞ୍ଜନ ପଟ୍ଟନାୟକ । ରାଜ୍ୟସଭା ନିର୍ବାଚନରେ ବିଜେଡି ବିଧାୟକ କ୍ରସଭୋଟିଂ କରିବାକୁ ନେଇ ବିଜୁ ଜନତା ଦଳକୁ ଶ୍ରୀ ପଟ୍ଟନାୟକ କଡ଼ା ଟାର୍ଗେଟ କରିଛନ୍ତି ।
ସେ ନିଜ ପ୍ରତିକ୍ରିୟା ରଖି କହିଛନ୍ତି ଯେ ବିଜେଡି ୫୧ରୁ ଖସି ୫୦ ପରେ ୪୮ରେ ପହଞ୍ଚିଥିଲା । ଏବେ ବିଜେଡି ୧୯ ପ୍ରତିଶତ କ୍ଷୟ ହୋଇସାରିଲେଣି । ଧୀରେ ଧୀରେ କ୍ଷୟ ହୋଇଯିବ । ବିଜେଡି ସଭାପତି ନବୀନ ପଟ୍ଟନାୟକ ନିଜର ବିଧାୟକମାନଙ୍କୁ ଏକାଠି କରିବାକୁ ବହୁତ ଚେଷ୍ଟା କରିଥିଲେ । ୨ଜଣଙ୍କୁ ପୂର୍ବରୁ ନିଲମ୍ବନ କଲେ । କିନ୍ତୁ ତାହା କାମ ଦେଲାନି । ବର୍ତ୍ତମାନ ନେତୃତ୍ୱ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ନେତା, ବିଧାୟକ ସବୁ ଉତ୍ତର ପାଇଲେଣି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି ।
ପ୍ରକାଶ ଯେ କ୍ରସ୍ ଭୋଟିଂ କରି ନବୀନଙ୍କୁ ଜବରଦସ୍ତ ଚେକ୍ ଦେଲେ ୬ ବିଧାୟକଙ୍କ ସମେତ ୨ ନିଲମ୍ବିତ ଏମଏଲଏ। ସବୁଠାରୁ ଆଶ୍ଚର୍ୟ୍ୟର କଥା ଦେବୀରଞ୍ଜନ ତ୍ରିପାଠୀ ଓ ସୌଭିକ ବିଶ୍ବାଳଙ୍କ ପରି ଯୁବ ବିଧାୟକ ନବୀନଙ୍କୁ ଖୋଲା ଚ୍ୟାଲେଞ୍ଜ୍ ଦେଇଛନ୍ତି। ସୁଯୋଗ ଦେଖି ନିଜ ନିଜ ବାପାଙ୍କ ପ୍ରତି ଅପମାନ ଓ ଅବିଚାରର ନେଇଛନ୍ତି କଡ଼ା ପ୍ରତିଶୋଧ।
ନୂଆ ସମୀକରଣ ଇଙ୍ଗିତ କରି ଦୁଇ ପ୍ରଭାତ ବି ନବୀନଙ୍କୁ ଶୁଣାଇଛନ୍ତି ଚେତାବନୀ। ଦଳୀୟ ନେତୃତ୍ବ ମନଇଚ୍ଛା ନିଷ୍ପତ୍ତି ନେଇ ଅନ୍ୟମାନଙ୍କ ଉପରେ ଲଦିପାରିବେ ନାହିଁ ବୋଲି ସ୍ପଷ୍ଟ ଶୁଣାଇଛନ୍ତି। ବସ୍ତା ବିଧାୟିକା ସୁବାସିନୀ ଜେନା, ବାଲିଗୁଡା ବିଧାୟକ ଚକ୍ରମଣି କହଁର, ଜୟଦେବ ବିଧାୟକ ନବକିଶୋର ମଲ୍ଲିକ ଓ ତିର୍ତ୍ତୋଲ ବିଧାୟକ ରମାକାନ୍ତ ଭୋଇ ଏବଂ ଦୁଇ ନିଲମ୍ବିତ ବିଧାୟକ ସନା ମହାକୁଡ଼ ଏବଂ ଅରବିନ୍ଦ ମହାପାତ୍ରବି କ୍ରସ୍ ଭୋଟିଂ କରି ବିଜେଡିରେ ବଡ଼ ବିସ୍ଫୋରଣର ନିଅଁ ପକାଇଛନ୍ତି।
ଭୋଟ୍ ଗଣତି ପରେ କ୍ରସ୍ ଭୋଟିଂ ସମ୍ପର୍କରେ ବିଜେଡିର ଏଜେଣ୍ଟ୍ ପ୍ରତାପ କେଶରୀ ଦେବ ଗଣମାଧ୍ୟମକୁ ବିଧିବଦ୍ଧ ସୂଚନା ଦେଇଥିଲେ। ସେ କହିଥିଲେ, ୮ ଜଣ ଦଳୀୟ ବିଧାୟକ ଦଳର ନିର୍ଦ୍ଦେଶକୁ ଉଲ୍ଲଂଘନ କରିଛନ୍ତି। ସେମାନଙ୍କ ବିରୋଧରେ ଅଭିଯୋଗ କରାଯାଇଛି। ୧୦ ଜଣ ଠିକଣା ଲୋକ ରହିବା ଦରକାର। ୫୦ ଜଣ ବେଇମାନ ଲୋକ ରଖି ଲାଭ କ’ଣ? କ୍ରସ୍ ଭୋଟିଂ କରିଥିବା ବିଧାୟକଙ୍କ ବିରୋଧରେ ସଭାପତି କାର୍ୟ୍ୟାନୁଷ୍ଠାନ ନେବେ। ସଭାପତି ପୂର୍ବରୁ ଘୋଡ଼ା ବେପାର କଥା କହିଥିଲେ ଏବଂ ତାହା ହିଁ ହେଲା। ଏବେ ଯେଉଁ ବିଜୁ ଲିଗାସୀ କଥା କୁହାଯାଉଛି, ତାହା କେବଳ ଆଳ। ଯେଉଁମାନେ କ୍ରସ୍ ଭୋଟିଂ କରିଛନ୍ତି, ସେମାନେ ଠାକୁର ଧଣ୍ଡା କାହିଁକି ଛୁଉଁଥିଲେ? ସେମାନେ ଘର ଭିତରେ ରହି ବିଶ୍ବାସରେ ବିଷ ମିଶାଇଥିବାରୁ ସେମାନେ ବେଇମାନ ନୁହେଁ ତ ଆଉ କ’ଣ?




