
ମୋହନା : ବିଷାକ୍ତ ଛତୁ ଖାଇ ଦୁଇ ପରିବାରର ଆଠ ଜଣ ଗୁରୁତର। ଗଜପତି ଜିଲ୍ଲା ରାମଗିରି ଥାନା ଦେଉରୀସାହି ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି। ସମସ୍ତ ଗୁରୁତରଙ୍କୁ ପ୍ରଥମେ ରାମଗିରି ସ୍ଵାସ୍ଥ୍ୟକେନ୍ଦ୍ର ଓ ପରେ ଚନ୍ଦ୍ରଗିରି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଗୁରୁତରଙ୍କ ମଧ୍ୟରୁ ଦୁଇ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଡାକ୍ତର କହିଛନ୍ତି। ଦେଉରିସାହି ଗ୍ରାମର ସୋମନାଥ ବେହେରା ନାମକ ଜଣେ ବ୍ୟକ୍ତି ଗାଈ ଚରାଇବାକୁ ଯାଇ ଜଙ୍ଗଲରୁ କିଛି ଛତୁ ଆଣିଥିଲେ। ସନ୍ଧ୍ୟା ସମୟରେ ପରିବାର ଲୋକେ ତାକୁ ରୋଷେଇ କରି ଖାଇ ବଡ଼ଭାଇ ଶତପଥୀଙ୍କ ଘରକୁ ମଧ୍ୟ ଖାଇବା ଲାଗି ଦେଇଥିଲେ। ଦୁଇ ପରିବାର ଛତୁ ତରକାରୀ ଖାଇ ସାରିବା ପରେ ସମସ୍ତଙ୍କ ଗଳାରେ କୁଣ୍ଡେଇ ହେବା ସହ ଦେହରୁ ଅତ୍ୟଧିକ ଝାଳ ବାହାରି ବାନ୍ତି ହୋଇଥିଲା । ବିଳମ୍ବିତ ରାତିରେ ସମସ୍ତଙ୍କୁ ଚିକିତ୍ସା ପାଇଁ ପ୍ରଥମେ ରାମଗିରି ସ୍ଵାସ୍ଥ୍ୟକେନ୍ଦ୍ରକୁ ଯାଇଥିଲା। ପରେ ସେଠାରୁ ୧୦୮ ଆମ୍ବୁଲାନ୍ସ ଯୋଗେ ଆସି ଚନ୍ଦ୍ରଗିରି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଗୁରୁତରଙ୍କ ମଧ୍ୟରୁ ଦୁଇ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଡାକ୍ତର କହିଛନ୍ତି।




