
ଭୁବନେଶ୍ବର: ମହାନଦୀ ଜଳ ବିବାଦର ସମାଧାନ ପାଇଁ ରାୟପୁରରେ ଗୁରୁବାର ବସିଥିଲା ଗୋଲ ଟେବୁଲ ବୈଠକ । ବୈଠକ ପରେ ୨୯ ତାରିଖରେ ଛତିଶଗଡ ସରକାରଙ୍କ ପଦାଧିକାରୀଙ୍କ ସହିତ ଆଲୋଚନା କରାଯିବ । ବୈଠକରେ ଅଧ୍ୟକ୍ଷତା କରିଥିଲେ ଜଳ ମାନବ ଡ. ରାଜେନ୍ଦ୍ର ସିଂହ । ଏହି ଗୋଲ ଟେବଲ ବୈଠକରେ ମହାନଦୀ ବଞ୍ଚାଅ ଆନ୍ଦୋଳନ, ଛତିଶଗଡ ନଦୀ ଘଟି ମୋର୍ଚ୍ଚା ଓ ରାଷ୍ଟ୍ରୀୟ ଜଳ ବିରାଦରୀ ଇତ୍ୟାଦି ନଦୀ ଓ ଜଳକୁ ନେଇ ଜାତୀୟ ଓ ରାଜ୍ୟସ୍ତରରେ କାର୍ୟ୍ୟ କରୁଥିବା ସଂଗଠନ ଗୁଡ଼ିକ ସାମିଲ ହୋଇଥିଲେ । ଏନେଇ ମହାନଦୀ ବଞ୍ଚାଓ ଆନ୍ଦୋଳନ ଆବାହକ ସୁଦର୍ଶନ ଦାସ ସୂଚନା ଦେଇଛନ୍ତି ।ମହାନଦୀ ଉଭୟ ଓଡ଼ିଶା ଏବଂ ଛତିଶଗଡ ପାଇଁ ଗୁରୁତ୍ୱପୂର୍ଣ୍ଣ ଏବଂ ଜୀବନରେଖା। ଓଡ଼ିଶାରେ ସମୁଦ୍ରକୁ ଭେଟିବା ପୂର୍ବରୁ ୯୦୦ କିଲୋମିଟର ବ୍ୟାପିଛି। ଏହି ନଦୀ ଭାରତର ଜଳବାୟୁକୁ ସନ୍ତୁଳିତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଥିବାବେଳେ ଉଭୟ ରାଜ୍ୟର ସଂସ୍କୃତି, ସାହିତ୍ୟ, ଅର୍ଥନୀତି, ପରିବେଶ ଏବଂ ସମୃଦ୍ଧତାକୁ ବଜାୟ ରଖିଛି । ମହାନଦୀ ଅବବାହିକା ଏବେ ସଙ୍କଟର ସମ୍ମୁଖୀନ ହୋଇଛି । ବିଶେଷ କରି ଅଣ ମୌସୁମୀ ସମୟରେ ଜଳ ଉପଲବ୍ଧତା ହ୍ରାସ ପାଇଛି । ବ୍ୟାପକ ଶିଳ୍ପାୟନ ନଦୀର ଇକୋସିଷ୍ଟମକୁ କ୍ଷତି ପହଞ୍ଚାଇବା ସହ ସଙ୍କଟ ବଢାଇ ଦେଇଛି ।