
ବିହାରରେ ଜଣେ ୨୬ ବର୍ଷୀୟ ମହିଳାଙ୍କୁ ଚଳନ୍ତା ଆମ୍ବୁଲାନ୍ସ ଭିତରେ କରାଯାଇଛି ଗଣ ଦୁଷ୍କର୍ମ। ମହିଳା ଜଣଙ୍କ ଗୃହରକ୍ଷୀ ନିଯୁକ୍ତି ପାଇଁ ଆବଶ୍ୟକ ଶାରୀରିକ ଟେଷ୍ଟରେ ସାମିଲ ହେଉଥିଲେ। କିନ୍ତୁ ପରୀକ୍ଷା ବେଳେ ସେ ଅଚେତ ହୋଇ ଯାଇଥିଲେ। ଏଥିପାଇଁ ତାଙ୍କୁ ଆମ୍ବୁଲାନ୍ସରେ ହସ୍ପିଟାଲ ପଠାଯାଇଥିଲା। ହସ୍ପିଟାଲ ଯିବା ବାଟରେ ତାଙ୍କୁ ଚଳନ୍ତା ଆମ୍ବୁଲାନ୍ସରେ ଗଣ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ମହିଳାଙ୍କ ସହ ବିହାରର ଗୟା ଜିଲ୍ଲାରେ ଏପରି ଘଟଣା ଘଟିଥିବା ସାମ୍ନାକୁ ଆସିବା ପରେ ହଇଚଇ ସୃଷ୍ଟି ହୋଇଛି।
ଅଭିଯୋଗ ଅନୁସାରେ ପୂରା ଘଟଣା ଜୁଲାଇ ୨୪ ତାରିଖରେ ଘଟିଥିଲା। ୨୪ ତାରିଖରେ ଗୃହରକ୍ଷୀ ନିଯୁକ୍ତି ପାଇଁ ଶାରୀରିକ ଫିଟନେସ ପରୀକ୍ଷା ବୋଧ ଗୟାରେ ଥିବା ବିହାର ମିଲିଟାରୀ ପୁଲିସ୍ ଗ୍ରାଉଣ୍ଡରେ ଅନୁଷ୍ଠିତ ହୋଇଥିଲା। ଶାରୀରିକ ଟେଷ୍ଟ ବେଳେ ୨୬ ବର୍ଷୀୟ ମହିଳା ଜଣଙ୍କ ଅଚେତ ହୋଇ ଯାଇଥିଲେ। ଘଟଣା ସ୍ଥଳରେ ରହିଥିବା ଆମ୍ବୁଲାନ୍ସ ଜରିଆରେ ପରୀକ୍ଷା ଆୟୋଜନ କରୁଥିବା ଅଧିକାରୀମାନେ ମହିଳାଙ୍କୁ ହସ୍ପିଟାଲ ପଠାଇ ଦେଇଥିଲେ। ମହିଳା ଜଣଙ୍କ ଆମ୍ବୁଲାନ୍ସ ଭିତରେ ଅଚେତ ଅବସ୍ଥାରେ ଥିବା ବେଳେ ତାଙ୍କୁ ଏକାଧିକ ଲୋକ ଦୁଷ୍କର୍ମ କରିଥିବା ଅଭିଯୋଗ କରିଛନ୍ତି।ତାଙ୍କ ଅଭିଯୋଗ ଆଧାରରେ ବୋଧ ଗୟା ପୁଲିସ ଷ୍ଟେସନରେ ଗୋଟିଏ ଏଫଆଇଆର ରୁଜୁ କରାଯାଇଥିଲା। ସ୍ୱତନ୍ତ୍ର ତଦନ୍ତକାରୀ ଟିମ ଓ ଫରେନ୍ସିକ ଟିମକୁ ଘଟଣାର ତଦନ୍ତ ପାଇଁ ନିଯୁକ୍ତ କରାଯାଇଥିଲା।
ଅଭିଯୋଗର କିଛି ଘଣ୍ଟା ମଧ୍ୟରେ ଏସ୍ଆଇଟି ଅଭିଯୁକ୍ତ ଆମ୍ବୁଲାନ୍ସ ଡ୍ରାଇଭର ବିନୟ କୁମାର ଓ ଟେକ୍ନିସିଆନ ଅଜିତ କୁମାରଙ୍କୁ ଗିରଫ କରିଛି। ସେମାନେ ଏବେ ପୁଲିସ୍ ହେପାଜତରେ ରହିଛନ୍ତି ଓ ସେମାନଙ୍କୁ ଜେରା କରାଯାଉଥିବା ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।