
ଭୁବନେଶ୍ବର : ଝାରସୁୁଗୁଡା ଲଖନପୁର ଫ୍ଲାଏ ଆଶ ବିବାଦ ପ୍ରସଙ୍ଗରେ ରାଜ୍ୟର ବିଜେପି ସରକାରଙ୍କୁ ଟାର୍ଗେଟ କରିଛି ବିଜେଡି। ରାଜସ୍ବ ମନ୍ତ୍ରୀ ନିଜେ ଅନୁମୋଦନ ଦେଇ ନିଜେ ପ୍ରତ୍ୟାହାର କରିବା ପରେ ପୂର୍ବ ସରକାରଙ୍କ ନାଁ ନେଇ ଖସିଯିବାକୁ ବସିଛନ୍ତି। ଯାହାକୁ ନେଇ ବିଜେପି ଉପରେ ବର୍ଷିବା ସହ ଫ୍ଲାଏ ଆଶ ପ୍ରସଙ୍ଗରେ ରାଜସ୍ବ ମନ୍ତ୍ରୀ ମିଥ୍ୟା ତଥ୍ୟ ଦେଉଥିବା ନେଇ ଅଭିଯୋଗ କରିଛି ବିଜେଡି।
ବିଜେଡି ମୁଖପାତ୍ର ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି, ଜୁଲାଇ ୧୨ ତାରିଖରେ ବେଦାନ୍ତକୁ ସ୍ଥାନ ମଞ୍ଜୁରୀ କରିଛନ୍ତି ରାଜ୍ୟ ସରକାର । ତେବେ ତରବରିଆ ଭାବେ ମଞ୍ଜୁରୀ ପ୍ରଦାନ ପଛର କ’ଣ ରହସ୍ୟ ରହିଛି ବୋଲି ପ୍ରେସମିଟ୍ କରି ପ୍ରଶ୍ନ କରିଛନ୍ତି ଲେଖାଶ୍ରୀ । ବିଜେପି ସରକାର ମଞ୍ଜୁରୀ ଦେଇ ବିଜେଡି ଉପରେ ଦୋଷ ଲଦୁଛି ବୋଲି ସେ କହିଛନ୍ତି ।
ଆଗକୁ ସେ କହିଛନ୍ତି, ସତକୁ ସ୍ୱୀକାର କରିବାର ସତସାହସ ବିଜେପିର ନାହିଁ । ବିଜେଡି ଉପରେ ଦୋଷ ଲଦି ବିଜେପି ଖସି ଯିବାକୁ ଚାହୁଁଛି । ଆଶ ପଣ୍ଡ ନ କରିବାକୁ ଆନ୍ଦୋଳନ କରିଥିଲେ ମନ୍ତ୍ରୀ ସୁରେଶ ପୂଜାରୀ । ଏବେ ଆସପଣ୍ଡକୁ ମଞ୍ଜୁରୀ ଦେଇଛନ୍ତି ବିଜେପି ସରକାର । ରାଜସ୍ୱ ମନ୍ତ୍ରୀଙ୍କର ଦୋମୁହାଁ ଚରିତ୍ର ଏବେ ସାମ୍ନାକୁ ଆସିଛି । ଏଥିରେ ରାଜସ୍ୱ ମନ୍ତ୍ରୀଙ୍କ ସ୍ୱାର୍ଥ ରହିଥିବା ଜଳ ଜଳ ହୋଇ ଦିଶୁଛି । ତେଣୁ ତରବରିଆ ଭାବେ ମଞ୍ଜୁରୀ ଦେଇଛନ୍ତି ସରକାର । ଘରୋଇ କମ୍ପାନୀକୁ ଅହେତୁକ ଅନୁକମ୍ପା ଦୁର୍ଗନ୍ଧ ଆସୁଛି ବୋଲି କହି ରାଜ୍ୟ ସରକାରଙ୍କୁ ଲେଖାଶ୍ରୀ ଟାର୍ଗେଟ କରିଛନ୍ତି ।
ଅନ୍ୟପଟେ ରାଜସ୍ଵ ଓ ବିପର୍ୟ୍ୟୟ ପରିଚାଳନା ମନ୍ତ୍ରୀ ଫ୍ଲାଏ ଆଶ ପଣ୍ଡ ନେଇ ଜିଲ୍ଲାପାଳ, ଜଊଉ ଓ ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା କରୁଛନ୍ତି ବା ବୈଠକ କରୁଛନ୍ତି। କିନ୍ତୁ ଏହା ଜଙ୍ଗଲ ଓ ପରିବେଶ ମନ୍ତ୍ରୀଙ୍କ ପରିଧିରେ ଆସୁଛି। ମାତ୍ର ଅନ୍ୟ ବିଭାଗ କାମରେ ନାକ ପୂରେଇ ରାଜସ୍ଵ ମନ୍ତ୍ରୀ ଏଭଳି ବୈଠକ ଡାକିଛନ୍ତି। କଣ ପାଇଁ ରାଜସ୍ଵ ମନ୍ତ୍ରୀ ବୈଠକ ଡାକିଛନ୍ତି? ଏଥିରୁ ଜଣାପଡ଼ୁଛି କିଛି ଅଲଗା ଉଦ୍ଦେଶ୍ୟ ରହୁଛି ରାଜସ୍ଵ ମନ୍ତ୍ରୀଙ୍କର। ଜଙ୍ଗଲ ଓ ପରିବେଶ ମନ୍ତ୍ରୀ କୁଆଡେ ଗଲେ ତାହା ସରକାର ସ୍ପଷ୍ଟ କରନ୍ତୁ ବୋଲି ବିଜେଡି ଦାବି କରିଛି।




