
ସରକାରୀ ହସ୍ପିଟାଲର ବିକଳ ସ୍ୱାସ୍ଥ୍ୟସେବା ଦାଣ୍ଡରେ ପଡ଼ି ହାଟରେ ଗଡ଼ିଛି। ମଧ୍ୟପ୍ରଦେଶର ଇନ୍ଦୋରରେ ଥିବା ଗୋଟିଏ ସରକାରୀ ହସ୍ପିଟାଲରେ ସାଂଘାତିକ ଘଟଣା ଘଟିଛି। ଏଠାକାର ଶିଶୁ ଚିକିତ୍ସା ସର୍ଜରୀ ବିଭାଗରେ ମୂଷା ଆତଙ୍କ ଦେଖା ଯାଇଛି।
ଶିଶୁ ଚିକିତ୍ସା ବିଭାଗରେ ରହିଥିବା ୨ ଜଣ ନବଜାତ ମୂଷା ଆକ୍ରମଣର ଶିକାର ହୋଇଛନ୍ତି। ହସ୍ପିଟାଲ ବେଡରେ ଥିବା ଦୁଇ ନବଜାତଙ୍କୁ ମୂଷା କାମୁଡ଼ି ଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣେ ପ୍ରାଣ ହରାଇବା ହଇଚଇ ସୃଷ୍ଟି କରିଛି। ଶିଶୁ ବିଭାଗ ବେଡରେ ମୂଷା ବୁଲୁଥିବାର ଫଟୋ ଓ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି।
ଘଟଣା ପରେ ନବଜାତଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ହସ୍ପିଟାଲ କର୍ମଚାରୀଙ୍କୁ ତୁରନ୍ତ ନିଲମ୍ବନ କରାଯିବା ସହ ଘଟଣାର ତଦନ୍ତ ଆରମ୍ଭ କରାଯାଇଛି। ଅଗଷ୍ଟ ୩୦-୩୧ ରାତିରେ ଦୁଇ ନବଜାତଙ୍କୁ ମୂଷା କାମୁଡ଼ି ଦେଇଥିଲା। ଜଣଙ୍କ ହାତରେ ଓ ଆଉ ଜଣଙ୍କ କାନ୍ଧରେ କାମୁଡ଼ାର ଦାଗକୁ ଚିହ୍ନଟ କରାଯାଇଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ସେମାନଙ୍କ ମଧ୍ୟରୁ ମଙ୍ଗଳବାର ଜଣଙ୍କର ମୃତ୍ୟୁ ହୋଇଛି।