
ଭୁବନେଶ୍ବର: କଟକରେ ଗୋଟିଏ ପରିବାରର ୩ଜଣଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିଛନ୍ତି । ଏହାସହ ସେ ସମସ୍ତ ମୃତକଙ୍କ ପରିବାରର ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି ୪ ଲକ୍ଷ ଲେଖାଏଁ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି । ଏ ନେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଏକ୍ସ ମାଧ୍ୟମରେ ସୂଚନା ଦେଇଛନ୍ତି ।ସେ ଲେଖିଛନ୍ତି, କଟକରେ ଘଟିଥିବା ଏକ ଦୁଃଖଦ ଘଟଣାରେ ଗୋଟିଏ ପରିବାରର ୩ଜଣ (ଅବଦୁଲ ମୁଜାହିଦ, ଅବଦୁଲ ଜାହିଦ ଓ ଅବଦୁଲ ଜଲିଲ)ଙ୍କର ପ୍ରାଣହାନି ସମ୍ପର୍କରେ ଜାଣି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିବା ସହ ତାଙ୍କ ପରିବାର ବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି। ଏଥିସହ ସମସ୍ତ ମୃତକଙ୍କ ପରିବାରର ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଲେଖାଏଁ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି। ଏହି ଘଟଣାରେ ସମସ୍ତ ଆହତଙ୍କ ଉତ୍ତମ ଚିକିତ୍ସାର ସୁବନ୍ଦୋବସ୍ତ ରାଜ୍ୟ ସରକାରଙ୍କ ପକ୍ଷରୁ କରାଯାଇଛି।ସୂଚନାଯୋଗ୍ୟ ଯେ, ଶନିବାର କଟକରେ ଆଜବେଷ୍ଟସ ଘର ଉପରେ ଫ୍ଲାଟର ବାଲକୋନୀ ଭୁଶୁଡ଼ି ପଡ଼ିବା ଫଳରେ ୩ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୬ ଜଣ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଜଣେ ଶିଶୁ ରହିଛନ୍ତି । କଟକ ମଣିସାହୁ ଛକ ନିକଟରେ ଅଘଟଣ ଘଟିଛି । ଘଟଣାସ୍ଥଳରେ କଟକ ଅଗ୍ନିଶମ ବାହିନୀ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ କଟକ ଏସ୍ସିବି ମେଡିକାଲକୁ ସ୍ଥାନାନ୍ତର କରିଛନ୍ତି । ତେବେ ବାଲକୋନୀ ଭାଙ୍ଗିବାର କାରଣ ଏପର୍ୟ୍ୟନ୍ତ ଜଣାପଡ଼ିନାହିଁ ।




