
ଭୁବନେଶ୍ୱର: ବିଜେଡି-କଂଗ୍ରେସ ମେଣ୍ଟ ନେଇ ପିିସିସି ସଭାପତି ଭକ୍ତଚରଣ ଦାସଙ୍କ ଆକଳନକୁ ବିଜେଡି ନେତା ଦେବୀପ୍ରସାଦ ମିଶ୍ର ପରୋକ୍ଷରେ ସମର୍ଥନ କରିଛନ୍ତି ।
ସେ କହିଛନ୍ତି ଯେ ସମ୍ଭାବନା ସବୁ କ୍ଷେତ୍ରରେ ରହିଛି, ବିଭିନ୍ନ ବିଷୟରେ ଥାଏ । ପିସିସି ସଭାପତି ଯଦି କହିଛନ୍ତି ତେବେ କିଛି ଅନୁଧ୍ୟାନ କରି କହିଥିବେ । ତେବେ ପରିସ୍ଥିତିକୁ ଦେଖି ରାଜ୍ୟ ସ୍ୱାର୍ଥ ଅନୁସାରେ ବିଜେଡି ସଭାପତି ନବୀନ ପଟ୍ଟନାୟକ ଏନେଇ ନିଷ୍ପତ୍ତି ନେବେ ବୋଲି ଶ୍ରୀ ମିଶ୍ର କହିଛନ୍ତି ।
ପ୍ରକାଶ ଯେ ବିଜେଡି-କଂଗ୍ରେସ ମେଣ୍ଟ ନେଇ ସୋମବାର ପିିସିସି ସଭାପତି ଭକ୍ତଚରଣ ଦାସ ଏକ ବଡ଼ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ଦଳୀୟ ହାଇକମାଣ୍ଡ ଚାହିଁଲେ ବିଜେଡି-କଂଗ୍ରେସ ମେଣ୍ଟ ହୋଇପାରେ । ଆସନ୍ତା ପଞ୍ଚାୟତ ଓ ପୌର ନିର୍ବାଚନରେ ଦଳୀୟ ହାଇକମାଣ୍ଡ ଚାହିଁଲେ ମେଣ୍ଟ ହୋଇପାରେ । ଏଆଇସିସି ଯଦି ନିଷ୍ପତ୍ତି ନିଏ, ତାହେଲେ ଉଭୟ ଦଳ ମେଣ୍ଡ କରିପାରୁ । ଖୋର୍ଦ୍ଧା କଂଗ୍ରେସ କାର୍ଯ୍ୟାଳୟ ଉଦଘାଟନ ବେଳେ ପିସିସି ସଭାପତି ଭକ୍ତଚରଣ ଦାସ ଏହା କହିଛନ୍ତି ।




