
ଭୁବନେଶ୍ୱର: ୟୁନିଟ୍-୧ ହାଟରେ ନିଆଁ ଲାଗିବା ପରେ ବିଏମ୍ସି ବୁଦ୍ଧି ପଶିଛି । ରାଜଧାନୀରେ ଥିବା ୨୦ ବଡ଼ ହାଟ ପାଇଁ ଏସ୍ଓପି ଆଣିବ ବିଏମ୍ସି । ଏନେଇ ମେୟର ସୁଲୋଚନା ଦାସ ସୂଚନା ଦେଇଛନ୍ତି । ଭୁବନେଶ୍ୱର ୟୁନିଟ୍-୧, ୨, ୪ ଭଳି ୨୦ରୁ ଅଧିକ ବଡ଼ ହାଟ ରହିଛି । ଏସବୁ ମଧ୍ୟରେ ସହିଦ ନଗର, ଶିରିପୁର, ଭିଏସ୍ଏସ୍ ନଗର, ରସୁଲଗଡ କୋଚିଲେଇ ହାଟ, ନାଗେଶ୍ୱର ଟାଙ୍ଗୀ, ଡମଣା ଭଳି ବଡ଼ ମାର୍କେଟ ରହିଛି । ହେଲେ ହାଟଗୁଡ଼ିକ ଅଣସଂଗଠିତ ହୋଇ ରହିଛି ।
କେତେବେଳେ ହାଟ ନିର୍ବାଚନକୁ ନେଇ ବିବାଦ ତ ପୁଣି ହାଟରେ ବେଆଇନ୍ ଜବରଖଲକୁ ନେଇ କେଁ ପଶୁଛି । ଏହାକୁ ସଂଗଠିତ କରିବାକୁ ଅଣ୍ଟା ଭିଡ଼ିଛି ବିଏମ୍ସି । ଏଣିକି ହାଟ ନିର୍ବାଚନ ସମୟରେ ବିଏମ୍ସିର ଜଣେ ଅଧିକାରୀ ନୋଡାଲ ଅଫିସର ଭାବେ ରହିବେ । ହାଟରେ ସ୍ୱଚ୍ଛ ଓ ଅବାଧ ନିର୍ବାଚନ ପାଇଁ ବିଏମ୍ସି ପକ୍ଷରୁ ପ୍ରୟାସ କରାଯିବ । ଜବରଦଖଲ ଯୋଗୁ ହାଟକୁ ଜରୁରି ସମୟରେ ଗାଡ଼ି ପଶିପାରୁନି । ତେଣୁ ଜବରଦଖଲ ଉଚ୍ଛେଦକୁ ଜୋରଦାର କରିବା ବିଏମ୍ସି ଏନ୍ଫୋର୍ସମେଣ୍ଟ ଟିମ । ହାଟ ଭିତରେ ଜରିପାଲ ପକାଇ ବିକ୍ରିବଟା ଉପରେ ମଧ୍ୟ କଟକଣା ଲଗାଇବ ବିଏମସି । ଏନେଇ ତଦାରଖ କରିବାକୁ ସବୁ ଜୋନାଲ କମିଶନରଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
ଭୁବନେଶ୍ୱର ହାଟ ସମେତ ବଡ଼ ବଡ଼ ମାର୍କେଟ କମ୍ପେ୍ଲକ୍ସ ବିଏମ୍ସି ଅଧୀନରେ ରହିଛି । ସେଥିମଧ୍ୟରେ ଭାବନୀ ମଲ, ପଞ୍ଚଦୀପ ମାର୍କେଟ, ୟୁନିଟ୍-୧ ଅଛି । ଏହା ସହ ବିଡିଏ ଅଧୀନରେ ସିଆର୍ପି ଛକସ୍ଥିତ ପ୍ରିୟଦର୍ଶିନୀ ମାର୍କେଟ, ଇନ୍ଦ୍ରଧନୁ, ସୁନ୍ଦରପଦା ହାଟ, ପଟିଆ ଭଳି ବଡ଼ ହାଟ ରହିଛି । ଏହି ସବୁ ହାଟରୁ କୋଟି କୋଟି ଟଙ୍କାର ରାଜସ୍ୱ ଆଦାୟ କରାଯାଉଛି। ହେଲେ ଏହାର ବିକାଶ କରାଯାଉନି । ୟୁନିଟ୍-୧ ହାଟ ଅଘଟଣ ପରେ ବିଏମ୍ସି ଚେତିଛି । ୩ ଜୋନ୍ରେ କେତେ ସରକାରୀ ଏବଂ ବେସକାରୀ ହାଟ ରହିଛି ତାହାର ତଥ୍ୟ ମାଗିଛି ବିଏମ୍ସି ।



