
ଭୁବନେଶ୍ୱର : ରାଜ୍ୟରେ ଧୀରେ ଧୀରେ ଦୁର୍ବଳ ହେଉଛି ଅବପାତ। ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶା ଉପରେ ଥିବା ଏହି ଅବପାତ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରି କ୍ରମଶଃ ଦୁର୍ବଳ ହେଉଛି । ଆସନ୍ତା ୧୨ ଘଣ୍ଟାରେ ଏହା ଦୁର୍ବଳ ହୋଇ ସ୍ପଷ୍ଟ ଚିହ୍ନିତ ଲଘୁଚାପରେ ପରିଣତ ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଅବପାତ ଦୁର୍ବଳ ରହିବା ସତ୍ତ୍ଵେ କିଛି ସ୍ଥାନରେ ବର୍ଷା ଜାରି ରହିବ।ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ୨୩ ତାରିଖ ଯାଏ ଉତ୍ତର ଓଡ଼ିଶାର କିଛି ସ୍ଥାନରେ ଅଧିକ ବର୍ଷା ସମ୍ଭାବନା ଅଛି। ୨୦ ତାରିଖରେ ଉତ୍ତର ଓଡ଼ିଶା ଓ ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ୨୧ ତାରିଖରେ କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର ଓ ବାଲେଶ୍ୱରରେ ଅଧିକ ବର୍ଷା ସମ୍ଭାବନା ଅଛି ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ୨୨ ତାରିଖରେ କେନ୍ଦୁଝର, ମୟୂରଭଞ୍ଜ ଓ ସୁନ୍ଦରଗଡ଼ରେ ପ୍ରବଳ ବର୍ଷା ହୋଇପାରେ। ଉପକୂଳ ଓଡ଼ିଶା ଓ ଆଭ୍ୟନ୍ତରୀଣ ଓଡ଼ିଶାର ବହୁ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବ। ୨୩ ତାରିଖରେ ସୁନ୍ଦରଗଡ଼, ଝାରସୁଗୁଡ଼ା ଓ ସମ୍ବଲପୁରରେ ଅଧିକ ବର୍ଷା ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ମଙ୍ଗଳବାର ଜଗତସିଂହପୁରରେ ୨୮.୨ ମିମି, ଭଦ୍ରକରେ ୨୦, ତାଳଚେରରେ ୧୬.୪, ଭୁବନେଶ୍ୱରରେ ୧୧.୭, କଟକରେ ୧୧.୬, ସୋନପୁରରେ ୧୦ ମିମି ବର୍ଷା ରେକର୍ଡ ହୋଇଛି।




