ରାଜ୍ୟସଭା ଭୋଟ ଟେନ୍‌ସନ୍

ଭୁବନେଶ୍ୱର: କଂଗ୍ରେସର ମୋହନା ବିଧାୟକ ଦାଶରଥୀ ଗମାଙ୍ଗ ଦଳୀୟ ନେତୃତ୍ୱଙ୍କ ଯୋଗାଯୋଗ ବାହାରେ । କଟକ ବାରବାଟୀ ବିଧାୟିକା ସୋଫିଆ ଫିର୍ଦ୍ଦୋସ କଂଗ୍ରେସ ନେତୃତ୍ୱଙ୍କ ରାଜ୍ୟସଭା ନିଷ୍ପତ୍ତିକୁ ନାପସନ୍ଦ କରି ବର୍ଷିଛନ୍ତି । ସାନଖେମୁଣ୍ଡି ବିଧାୟକ ରମେଶ ଜେନାଙ୍କ ଆଭିମୁଖ୍ୟ ନେଇ ଚିତ୍ର ଅସ୍ପଷ୍ଟ ।ବିଜେଡିରେ ବି କିଛି ଠିକ୍‌ଠାକ ଲାଗୁନି । ସୂତ୍ର ଅନୁସାରେ କାଲିର ନବୀନ ନିବାସ ପାଠଶାଳାକୁ ୬ ବିଧାୟକ ଆସିନଥିଲେ, ଶନିବାର ସନ୍ଧ୍ୟାରେ ୯ ଅନୁପସ୍ଥିତ ଥିଲେ । ବରିଷ୍ଠ ନେତାଙ୍କ କହିବାନୁସାରେ ସେଥିରୁ ପ୍ରାୟତଃ ବିଧାନସଭା ଓ ନବୀନ ନିବାସକୁ ଆଜି ଦିନବେଳା ଆସିଥିଲେ । ସେମାନଙ୍କୁ ନେଇ ଦଳର ଚିନ୍ତା ନାହିଁ । ହେଲେ ୩ଜଣ ଏମିତି ଅଛନ୍ତି, ଯିଏ ନା କାଲି ଆସିଥିଲେ ନା ଆଜି ଆସିଲେ । ସେମାନେ ହେଲେ ବିଧାୟକ ସୌଭିକ ବିଶ୍ୱାଳ, ନବ ମଲ୍ଲିକ, ଚକ୍ରମଣି କହଁର । ଏମାନେ ବିଜେଡି ରାଡାର୍ ଭିତରେ ଅଛନ୍ତି ନା ବାହାରକୁ ପଳାଇଲେଣି, ତାହା ବିଜେଡି ନେତାଏ ବି କହିପାରୁନାହାନ୍ତି ।
ଏଭଳି ସ୍ଥିତିରେ ବଢ଼ୁଛି ସନ୍ଦେହ, ସସ୍ପେନ୍ସ । ଲାଗୁଛି- କିଛି ଖସିଲେଣି । ଆଉ କିଛି ଯାଇପାରନ୍ତି । ଏଇ ଆଶଙ୍କା ବିରୋଧୀ ଦଳର ନିଦ ହଜାଇ ଦେଲାଣି । ଏ ଗନ୍ଧ ବିଜେଡି ସଭାପତି ନବୀନ ପଟ୍ଟନାୟକ ମଧ୍ୟ ବାରିଲେଣି । ଖୋଲାଖୋଲି ନବୀନ ଗଣମାଧ୍ୟମରେ କହିଛନ୍ତି, ବିଜେପି ଘୋଡ଼ା ବେପାର କରିବାକୁ ଲାଗିଛି । ନବୀନଙ୍କ କଥାରୁ ସଙ୍କେତ ମିଳୁଛି, କିଛି ବିଧାୟକ କ୍ରସ ଭୋଟିଂ କରିବେ ବୋଲି ନବୀନ ସମ୍ଭବତଃ ଜାଣି ସାରିଲେଣି ।
ଅନ୍ୟପଟେ ଶାସକ ବିଜେପି ଶିବିରରେ ଆଶା ବେଶି, ଆଶଙ୍କା କମ୍ । ତଥାପି ଦଳ କୌଣସି ରିସ୍କ ନେବାକୁ ପ୍ରସ୍ତୁତ ନୁହେଁ । ଦିନ ତମାମ ରାଜ୍ୟ କାର୍ୟ୍ୟାଳୟରେ ବିଜେପି ବିଧାୟକଙ୍କ ପାଠଶାଳା ଚାଲିଲା । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜ୍ୟ ସଭାପତି ତଥା ରାଜ୍ୟସଭା ପ୍ରାର୍ଥୀ ମନମୋହନ ସାମଲ, ସାଂସଦ, ମନ୍ତ୍ରୀ, ବିଧାୟକ ଓ ଦଳୀୟ ପଦାଧିକାରୀଙ୍କ ଉପସ୍ଥିତିରେ ରଣନୀତି ହେଲା । ପ୍ରତି ବିଧାୟକଙ୍କ ସହ ନେତୃତ୍ୱ କଥା ହେଲେ । ସନ୍ଧ୍ୟାରେ ବିଧାନସଭା ଯାଇ ଦଳର ବିଧାୟକମାନେ ରାଜ୍ୟସଭା ମତଦାନ ପଦ୍ଧତି ଶିଖିଲେ । ଏହାପରେ ବିଜେପି ବିଧାୟକମାନେ ପାରାଦୀପର ତାରକା ହୋଟେଲ ଗସ୍ତ କରିଛନ୍ତି ।

ସେପଟେ ଘୋଡ଼ା ବେପାର ଭୟରେ କଂଗ୍ରେସର ୮ ବିଧାୟକ କର୍ଣ୍ଣାଟକ ରିସୋର୍ଟରେ ଡେରା ପକାଇଛନ୍ତି । ପିସିସି ସଭାପତି ଭକ୍ତ ଦାସ ଭୁବନେଶ୍ୱର ଫେରି ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମଙ୍କ ସହ ଆଲୋଚନା କରିଛନ୍ତି । ପିସିସି ସଭାପତିଙ୍କ ଉପସ୍ଥିତିରେ କାଡାମ ଓ ବିଧାୟକ ସାଗର ଦାସ ବିଧାନସଭା ଯାଇ ମକ୍ ପୋଲ୍ କରିଛନ୍ତି । କର୍ଣ୍ଣାଟକ ଯାଇନଥିବା ବିଧାୟକ ଦାଶରଥୀ ଗମାଙ୍ଗ, ସୋଫିଆ ଫିର୍ଦ୍ଦୋଷ ଏବଂ ରମେଶ ଜେନାଙ୍କୁ ନେଇ ଦଳରେ ଆଶଙ୍କା ବଢ଼ିଛି ।

ସୂତ୍ର ଅନୁସାରେ ଦାଶରଥୀ କଂଗ୍ରେସ ଶିବିରରୁ ଏକପ୍ରକାର ଗାଏବ । ଖୋଦ୍ ବିଧାୟକ ଦଳ ନେତା ଆଜି ଗଣମାଧ୍ୟମକୁ କହିଥିଲେ, ଦାଶରଥୀ ଫୋନ ଧରୁନାହାନ୍ତି । ଅବଶ୍ୟ ସନ୍ଧ୍ୟାରେ ଏ ନେଇ ପଚାରିବାରୁ କାଡାମ କହିଛନ୍ତି, ଦାଶରଥୀଙ୍କ ସହ ସେ କଥା ହୋଇଛନ୍ତି । ସେ ଗାଁକୁ ଯାଇଥିଲେ, ରବିବାର ସନ୍ଧ୍ୟାରେ ଆସିବେ ।

ବଡ଼ ପ୍ରଶ୍ନ ହେଲା- ଦଳୀୟ ହ୍ୱିପ୍ ସତ୍ତେ୍ୱ କାହାରିକୁ ନ ଜଣାଇ ଦାଶରଥୀ ଭୁବନେଶ୍ୱର ବାହାରେ କେମିତି ଅଛନ୍ତି? ସତରେ ସେ କଂଗ୍ରେସ ଯୋଗାଯୋଗରେ ଅଛନ୍ତି ନା ଭିତରେ ଭିତରେ ଭିନ୍ନ ବାଟ ଧରି ସାରିଲେଣି । ଗତକାଲିଠାରୁ ସୋଫିଆ ବି ଦଳକୁ ନେଇ ଯେଉଁଭଳି ବୟାନ ଦେଉଛନ୍ତି, ଲାଗୁଛି ସେ ଦଳ ରାସ୍ତାରେ ଯିବା ମୁଡ୍ରେ ନାହାନ୍ତି । ରମେଶଙ୍କୁ ନେଇ ବି ସ୍ପଷ୍ଟ ଚିତ୍ର ମିଳୁନାହିଁ । ତଥାପି ଦଳ ଆଶା ରଖିଛି, ରମେଶ କଂଗ୍ରେସକୁ ନିରାଶ କରିବେନି ।

ରାଜ୍ୟସଭା ଭୋଟକୁ ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି ବିଜେଡି ସୁପ୍ରିମୋ ନବୀନ । ଶନିବାର ନିଜେ ନବୀନ ବିଧାନସଭାରେ ବିଧାୟକମାନଙ୍କ ସହ ରହି ମକ୍ ପୋଲ୍ରେ ଭାଗ ନେଲେ । ଦଳର ବିଧାୟକମାନେ ବିଧାନସଭାରେ ମତଦାନ ପ୍ରକ୍ରିୟା ଶିଖିଲେ । ସନ୍ଧ୍ୟାରେ ନବୀନ ନିବାସରେ ପୂର୍ଣ୍ଣାଙ୍ଗ ରୂପରେ ମକ୍ ପୋଲ୍ ହେଲା । ସବୁ ବିଧାୟକ ଭୋଟ ଦେଲେ, ବାଲାଟ ବାକ୍ସରେ ରଖିଲେ । ଆଜି ନବୀନ ନିବାସରେ ଗହଳି ଲାଗି ରହିଥିଲା । ବିଧାୟକଙ୍କ ପାଇଁ ନବୀନ ଦେଇଥିଲେ ଲଞ୍ଚ୍ ପାର୍ଟି । ରାତିର ଡିନର ବି । ରବିବାର ବି ସେମିତି ହେବ । ସନ୍ଧ୍ୟାରେ ବିଧାୟକ ଦଳ ବୈଠକରେ କିଛି ବଡ଼ ନିଷ୍ପତ୍ତି ନିଆଯିବ । ସୂତ୍ର ଅନୁସାରେ କିଏ କାହାକୁ ପ୍ରଥମ ପସନ୍ଦ, କାହାକୁ ଦ୍ୱିତୀୟ ପସନ୍ଦ ଭୋଟ ଦେବେ, ତାହାକୁ ବିଜେଡି ଶେଷ ପର୍ୟ୍ୟନ୍ତ ସସପେନ୍ସ ରଖିବ । ଭୋଟ ଦେବା ପୂର୍ବରୁ ସୋମବାର ବିଧାନସଭା ପରିସରରେ ବିଜେଡିର ବୈଠକ ବସିବ । ସେଇଠି ହିଁ ସେ ବାବଦରେ ସୂଚନା ଦିଆଯିବ ।

ଗତ କିଛିଦିନ ହେବ ସିପିଆଇଏମ ବିଧାୟକ ଲକ୍ଷ୍ମଣ ମୁଣ୍ଡାଙ୍କୁ ନେଇ ନାନା ଚର୍ଚ୍ଚା ହେଉଥିଲା । ନାମାଙ୍କନ ଦାଖଲ ଦିନ ନଥିଲେ କିମ୍ବା ତା’ ପରେ ବି ବିଧାନସଭା ଆସୁନଥିଲେ । ଆଜି ବିଧାନସଭା ଆସି ମକ୍ ପୋଲ୍ କରିଛନ୍ତି । ଦଳୀୟ ନେତାଙ୍କୁ ଭେଟିଛନ୍ତି । କହିଛନ୍ତି, ମୁଁ ଖଟିଖିଆ ମେହନତି ମଣିଷ । ଦଳ ସହ ରହିଛି, ରହିବି । ଡାକ୍ତର ଦତ୍ତେଶ୍ୱର ହୋତା ଆମ ପ୍ରାର୍ଥୀ ବୋଲି ସେ ସ୍ପଷ୍ଟ କରିଛନ୍ତି । ଆଉ ଦିନଟିଏ ରହିଲା । ସୋମବାର ରାଜ୍ୟସଭାର ୪ ଆସନ ପାଇଁ ଭୋଟ ପଡ଼ିବ । ନବୀନ-ଭକ୍ତ ଯୋଡ଼ି କମାଲ୍ କରିବେ ନା ବିଜେପିର ଯାଦୁ ଆଗରେ ମେଣ୍ଟ ଫିକା ପଡ଼ିବ?

ପାରାଦୀପରେ ଶନିବାର ରାତିରେ ପହଞ୍ଚିଥିବା ବିଜେପି ମନ୍ତ୍ରୀ ଓ ବିଧାୟକମାନଙ୍କୁ ବାଜା, ବାଣ ଏବଂ ଶୋଭାଯାତ୍ରାରେ ଭବ୍ୟ ସ୍ୱାଗତ କରାଯାଇଛି । ହୋଟେଲ ମେଫେୟାରରେ ସମସ୍ତଙ୍କ ରହିବାର ବ୍ୟବସ୍ଥା ହୋଇଛି । ୩ଟି ବସ୍ ଯୋଗେ ମନ୍ତ୍ରୀ ଓ ବିଧାୟକମାନେ ଆସିଛନ୍ତି । ହୋଟେଲ୍‌ରେ ୧୦୦ଟି ରୁମ୍ ବୁକ୍ ହୋଇଛି । ବିଧାୟକମାନଙ୍କ ଗସ୍ତ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ଦୋଛକିରୁ ମେରାଇନ ରୋଡ୍ ପର୍ୟ୍ୟନ୍ତ ଟ୍ରାଫିକ କ୍ଲିୟର୍ କରାଯାଇଛି । ଗୋଟିଏ ହେଲେ ମାଲ୍‌ବାହୀ ଟ୍ରକ ରାସ୍ତା ଉପରେ ନାହିଁ । ରାସ୍ତାକୁ ପୂରା ଦମ୍‌ରେ ମରାମତି କରାଯାଇଛି । ସନ୍ଧ୍ୟାରୁ ହୋଟେଲ୍‌କୁ ସୁରକ୍ଷା ବଳୟରେ ରଖାଯାଇଛି । ପୁଲିସ ଓ ଜିଲ୍ଲା ପ୍ରଶାସନର ଅଧିକାରୀମାନେ ଉପସ୍ଥିତ ରହିଛନ୍ତି । ରବିବାର ରାଜ୍ୟସଭା ଭୋଟ୍ ନେଇ ଏଠାରେ ଦଳର ବୈଠକ ହେବାର ସୂଚନା ମିଳିଛି । ବିଜେପି ସଂଗଠନ ମନ୍ତ୍ରୀ ମଧ୍ୟ ବିଧାୟକ ଟିମ୍ ସାଙ୍ଗରେ ଆସିଛନ୍ତି ।

  • Related Posts

    ପଶ୍ଚିମବଙ୍ଗରେ ପ୍ରଚାର ମଇଦାନରେ ମୋହନ ମାଝୀ

    ଭୁବନେଶ୍ୱର: ପଶ୍ଚିମବଙ୍ଗ ପ୍ରଚାର ମଇଦାନକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ପଶ୍ଚିମବଙ୍ଗରେ ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ । ନିର୍ବାଚନ ରାଲି ଓ ପ୍ରଚାର ସଭାକୁ ସମ୍ୱୋଧିତ କରି ବିଜେପି ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବେ । ପୂର୍ବରୁ…

    Continue reading
    ବଦଳିବେନି କଂଗ୍ରେସ ବିଧାୟକ ଦଳ ନେତା: ଭକ୍ତ ଦାସ

    ଭୁବନେଶ୍ୱର: କଂଗ୍ରେସ ବିଧାୟକଙ୍କ ଦିଲ୍ଲୀ ଗସ୍ତ ଏବଂ ବିଧାୟକ ଦଳ ନେତା ପରିବର୍ତ୍ତନ ଚର୍ଚ୍ଚା ଭିତରେ ବଡ଼ ବୟାନ ଦେଇଛନ୍ତି ପିସିସି ସଭାପତି । କହିଛନ୍ତି, କଂଗ୍ରେସ ବିଧାୟକ ମାନେ ଦିଲ୍ଲୀ ବୁଲିବାକୁ ଯାଇଛନ୍ତି । କଂଗ୍ରେସ ବିଧାୟକ ଦଳ ନେତା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ