
ନୂଆଦିଲ୍ଲୀ/ଭୁବନେଶ୍ୱର: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅନୁଗୋଳ ଜିଲ୍ଲାରେ କୋଇଲା ପରିବହନ ଏବଂ ଶିଳ୍ପ ଭିତ୍ତିଭୂମିକୁ ସଦୃଢ଼ କରିବା ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବ୍ୟକ୍ତିଗତ ହସ୍ତକ୍ଷେପ ଲୋଡିଛନ୍ତି । ଏହି ସମ୍ପର୍କରେ ଏକ ପତ୍ର ଲେଖି ଶ୍ରୀ ପ୍ରଧାନ ଛେଣ୍ଡିପଦା-ଅନୁଗୋଳ ରାଜ୍ୟ ରାଜପଥ (ଏସଏଚ- ୬୩) ର ପ୍ରଶସ୍ତିକରଣ ଓ ବାଇପାସ ନିର୍ମାଣ ପାଇଁ ପ୍ରସ୍ତାବ ଦେବା ସହ ଛେଣ୍ଡିପଦା-ଜରପଡ଼ା ଜିଲ୍ଲା ମୁଖ୍ୟ ରାସ୍ତାର ସମ୍ପ୍ରସାରଣ ପାଇଁ ଅନୁରୋଧ କରିଛନ୍ତି ।
ଶ୍ରୀ ପ୍ରଧାନ ନିଜ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ, ରାଜ୍ୟର କେନ୍ଦ୍ରଭାଗରେ ଅବସ୍ଥିତ ଅନୁଗୋଳ ଜିଲ୍ଲାର ଜନସଂଖ୍ୟା ପ୍ରାୟ ୧୫ ଲକ୍ଷ ଏବଂ ଏହା ରାଜ୍ୟର ମୋଟ ଘରୋଇ ଉତ୍ପାଦ (ଜିଏସଡିପି) ରେ ପ୍ରାୟ ୫ ପ୍ରତିଶତ ଅବଦାନ ଦେଉଛି । କୋଇଲା ସମ୍ପଦରେ ସମୃଦ୍ଧ ଏହି ଜିଲ୍ଲାର ବାର୍ଷିକ କୋଇଲା ଉତ୍ପାଦନ ବର୍ତ୍ତମାନର ୧୧୬ ମିଲିୟନ ଟନ୍ (ଏମଟି) ରୁ ବୃଦ୍ଧି ପାଇ ୨୦୩୩ ସୁଦ୍ଧା ୨୫୦-୩୦୦ ମିଲିୟନ ଟନ୍ରେ ପହଞ୍ଚିବ ବୋଲି ଆକଳନ କରାଯାଇଛି । ଏହି ଜିଲ୍ଲା ଇସ୍ପାତ, ଆଲୁମିନିୟମ ଏବଂ ତାପଜ ବିଦ୍ୟୁତ କେନ୍ଦ୍ର ଭଳି ଭାରୀ ଶିଳ୍ପ, ଉନ୍ନତ ବିନିର୍ମାଣ(Advanced Manufacturing) ଏବଂ ଆନୁସଙ୍ଗିକ ଏମଏସଏମଇ ଗୁଡ଼ିକ ପାଇଁ ଏକ ଉତ୍ତମ ବାତାବରଣ ତିଆରି କରୁଛି । ଅନୁଗୋଳରେ ନାଲକୋ ସ୍ମେଲ୍ଟର ପ୍ଲାଣ୍ଟ, ଏନଟିପିସି କଣିହାଁ, ତାଳଚେର ସୁପର ଥର୍ମାଲ ପାୱାର ଷ୍ଟେସନ ଏବଂ ମହାନଦୀ କୋଲଫିଲ୍ଡସ ଲିମିଟେଡର ବ୍ୟାପକ କୋଇଲା ଖଣି ଭଳି ପ୍ରମୁଖ ଶିଳ୍ପ ଓ ଶକ୍ତି କେନ୍ଦ୍ରଗୁଡ଼ିକ ରହିଛି, ଯାହା ରାଜ୍ୟର ଶକ୍ତି ନିରାପତ୍ତାର ମେରୁଦଣ୍ଡ ସାଜିଛି ।
ବିଶେଷ କରି ଛେଣ୍ଡିପଦା ତହସିଲ ଅଞ୍ଚଳ ଭାରତର କୋଇଲା ଗଚ୍ଛିତ ଭଣ୍ଡାରର ପ୍ରାୟ ଏକ-ଷଷ୍ଠାଂଶ ହୋଇଥିବାରୁ, ଏହା ଦେଶର ଶକ୍ତି ନିରାପତ୍ତା ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ତେବେ ବର୍ତ୍ତମାନର ସଡ଼କ ଭିତ୍ତିଭୂମି, ବିଶେଷ କରି ରାଜ୍ୟ ରାଜପଥ-୬୩ ଏବଂ ଛେଣ୍ଡିପଦା-ଜରପଡ଼ା ଜିଲ୍ଲା ମୁଖ୍ୟ ରାସ୍ତା, ଅତ୍ୟଧିକ କୋଇଲା ପରିବହନ ପାଇଁ ଅନୁପଯୁକ୍ତ ହୋଇପଡ଼ିଛି । ଏହି ରାସ୍ତାଗୁଡ଼ିକ ଜନବସତି ଦେଇ ଯାଉଥିବାରୁ ଟ୍ରାଫିକ ଜାମ୍, ଦୁର୍ଘଟଣା ଏବଂ ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହେଉଥିବା ସେ ଦର୍ଶାଇଛନ୍ତି ।
ଏହି ସମସ୍ୟାର ସମାଧାନ ପାଇଁ ଶ୍ରୀ ପ୍ରଧାନ ଦୁଇଟି ପ୍ରମୁଖ ପ୍ରସ୍ତାବ ରଖିଛନ୍ତି । ପ୍ରଥମତଃ, ଛେଣ୍ଡିପଦାରୁ ଅନୁଗୋଳ ପର୍ଯ୍ୟନ୍ତ ଯାଇଥିବା ରାଜ୍ୟ ରାଜପଥ-୬୩କୁ ଦୁଇ ଲେନ୍ରୁ ଚାରି ଲେନ୍କୁ ପ୍ରଶସ୍ତିକରଣ କରିବା ସହ ଜନବସତି ଅଞ୍ଚଳରେ ବାଇପାସ ନିର୍ମାଣ କରିବାକୁ ସେ ଅନୁରୋଧ କରିଛନ୍ତି । ଦ୍ୱିତୀୟରେ, ଛେଣ୍ଡିପଦା-ଜରପଡ଼ା ମୁଖ୍ୟ ଜିଲ୍ଲା ରାସ୍ତାକୁ ପ୍ରଶସ୍ତ କରିବାକୁ ପ୍ରସ୍ତାବ ଦେଇଛନ୍ତି ଶ୍ରୀ ପ୍ରଧାନ । ସେ କହିଛନ୍ତି ଏହି ରାସ୍ତାଟି ଖଣି ଅଞ୍ଚଳକୁ ୫୫ ନମ୍ବର ଜାତୀୟ ରାଜପଥ ଓ ରେଳ କରିଡର ସହ ଯୋଡୁଛି । ଏହାର ପ୍ରଶସ୍ତିକରଣ ଦ୍ୱାରା ରାଜ୍ୟ ରାଜପଥ- ୬୩ ଉପରୁ ଯାନବାହନ ଚାପ କମିବ ଏବଂ ଏକ ବିକଳ୍ପ ପରିବହନ ମାର୍ଗ ସୃଷ୍ଟି ହେବ । ଉନ୍ନତ ସଡ଼କ ସଂଯୋଗୀକରଣ ଦ୍ୱାରା କେବଳ କୋଇଲା ପରିବହନ ସହଜ ହେବ ନାହିଁ, ବରଂ ଏହା ଅଞ୍ଚଳରେ ପୁଞ୍ଜି ନିବେଶକୁ ଆକୃଷ୍ଟ କରିବା ସହ ସ୍ଥାନୀୟ ଲୋକଙ୍କ ସାମାଜିକ ଓ ଅର୍ଥନୈତିକ ବିକାଶରେ ସହାୟକ ହେବ ବୋଲି ଶ୍ରୀ ପ୍ରଧାନ ମତ ପ୍ରକାଶ କରିଛନ୍ତି।




