ସାମ୍ବାଦିକମାନେ ଗୋଟିଏ ସମାଜର ବ୍ୟାପ୍ତିକୁ ପରିପ୍ରକାଶ କରିବା ଦରକାର: ଧର୍ମେନ୍ଦ୍ର

ନୂଆଦିଲ୍ଲୀ/ଭୁବନେଶ୍ୱର : ସାମ୍ବାଦିକମାନେ କେବଳ ରାଜନୀତି ଓ ଅପରାଧିକ ଘଟଣା ବିଷୟରେ ବିତର୍କ ନ କରି ଗୋଟିଏ ସମାଜର ବ୍ୟାପ୍ତିକୁ ପରିପ୍ରକାଶ କରିବା ଦରକାର । ଏହିକ୍ରମରେ ଓଡ଼ିଶା ସମେତ ଜାତୀୟସ୍ତରର ସାମ୍ବାଦିକମାନେ ମଧ୍ୟ ଓଡ଼ିଆ ସମାଜର ଗଭୀରତା, ବ୍ୟାପକତା ଓ ବୌଦ୍ଧିକ ଚିନ୍ତନ କ୍ଷମତାକୁ ଜାଣିବା ସହ ରାଜ୍ୟ, ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଏହି ସବୁ ବିଷୟକୁ ଜଣାଇବା ଦରକାର ବୋଲି ଶନିବାର ନୂଆଦିଲ୍ଲୀଠାରେ ‘ପଲ୍ଲୀବାଣୀ ମିଶନ’ ପକ୍ଷରୁ ଆୟୋଜିତ ‘ଭାରତୀୟ ସାମ୍ବାଦିକତା ପୁରସ୍କାର – ୨୦୨୫’ ଏବଂ ‘ଓଡ଼ିଶା ସାମ୍ବାଦିକତା ପୁରସ୍କାର -୨୦୨୫’ ସମାରୋହରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶ୍ରୀ ପ୍ରଧାନ ମନୋନୀତ ୬ଜଣ ସାମ୍ବାଦିକମାନଙ୍କୁ ପୁରସ୍କୃତ କରିବା ସହ ଜାତୀୟ ଓ ରାଜ୍ୟସ୍ତରରେ ସାମ୍ବାଦିକତା ପୁରସ୍କାରରେ ସମ୍ମାନିତ ହୋଇଥିବା ସାମ୍ବାଦିକମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏହି ଅବସରରେ ସେ କହିଛନ୍ତି, ଓଡ଼ିଆ ଭାଷା ହେଉଛି ଏକ ବିଜ୍ଞାନ । ଓଡ଼ିଆ ଭାଷା ଶାସ୍ତ୍ରୀୟ ଭାଷାର ମାନ୍ୟତା ପାଇଛି । ୧୯୩୬ମସିହା ଏପ୍ରିଲ ୧ ତାରିଖରେ ଆମ ରାଜ୍ୟ ଓଡ଼ିଶା ଦେଶର ସର୍ବପ୍ରଥମ ଭାଷାଭିତ୍ତିକ ରାଜ୍ୟ ଭାବରେ ପ୍ରତିଷ୍ଠିତ ହୋଇଥିଲା। ଆମ ଓଡ଼ିଆ ଭାଷାର ଉତ୍କୃଷ୍ଟତା, ଗଭୀରତା ତଥା ମହାପୁରୁଷମାନଙ୍କ ଉତ୍କଣ୍ଠା, ବ୍ୟଗ୍ରତା ଏବଂ ଆନ୍ଦୋଳନ କାରଣରୁ ଏହା ସମ୍ଭବ ହୋଇଥିଲା । ଆଉ ୧୧ ବର୍ଷ ପରେ ୨୦୩୬ରେ ଓଡ଼ିଶାର ସ୍ୱତନ୍ତ୍ର ପ୍ରଦେଶ ଗଠନର ୧୦୦ ବର୍ଷ ପୂରଣ କରିବ । ତେବେ ସମାଜକୁ ଏକ ପରିଚୟର ଆବଶ୍ୟକତା ଥାଏ । ଓଡ଼ିଆ ସମାଜର ସବୁଠୁ ବଡ ପରିଚୟ ହେଉଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ ଏବଂ ଏହାକୁ ନେଇ କାହା ମନରେ ଦ୍ୱନ୍ଦ ନାହିଁ । ତେବେ ସମସାମୟିକ ସମାଜରେ ଆମ ଓଡ଼ିଆ ସମାଜର ଗଭୀରତା, ବୌଦ୍ଧିକ ଚିନ୍ତନ କ୍ଷମତା ଓ ବ୍ୟାପକ କେତେ, ତାହା ଜାଣିବା ଦରକାର ଏବଂ ଜଣାଇବା ଦରକାର । ବର୍ତ୍ତମାନ ସେହି ଏକ ସମୟ ଉପନୀତ ହୋଇଛି, ଯେଉଁ ସମୟରେ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ଓଡ଼ିଶାର ସମୃଦ୍ଧି, ସାଂସ୍କୃତିକ ଐତିହ୍ୟ ଓ ପ୍ରତିଚ୍ଛବିକୁ ଜାତୀୟ ଆଲୋଚନା ପରିସରକୁ ଆଣିବା ଆମର ଦାୟିତ୍ୱ ଅଟେ।
କେନ୍ଦ୍ରମନ୍ତ୍ରୀ ଆହୁରି କହିଛନ୍ତି ଯେ, ସବୁ ସମୟରେ ରାଜନୀତି ଏବଂ ଆଇନଶୃଙ୍ଖଳା, ଅପରାଧ ଖବର ଏବଂ ଅନ୍ୟ ବିଷୟରେ ବିତର୍କ କରିବା ପରିବର୍ତ୍ତେ ଏକ ସମାଜର ଗଭୀରତା, ଐତିହ୍ୟ, ଖାଦ୍ୟ ସଂସ୍କୃତି ଓ ପରମ୍ପରା ସହ ଜଡ଼ିତ ବିଷୟ ଉପରେ ଆଲୋଚନା ହେବା ଦରକାର । ଏହାର ଉଦାହରଣ ଦେଇ ଓଡ଼ିଶାର ଗୌରବମୟ ଇତିହାସ ଉପରେ ଆଲୋକପାତ କରି କେନ୍ଦ୍ରମନ୍ତ୍ରୀ କହିଛନ୍ତି ଓଡ଼ିଶା ଏକ ସମୃଦ୍ଧ, ବୌଦ୍ଧିକ ସମ୍ପନ୍ନ ଏବଂ ବଳଶାଳୀ ରାଜ୍ୟ। ସମ୍ରାଟ ଖାରବେଳ ଥିଲେ ଆଧୁନିକ ଓଡ଼ିଶାର ସ୍ଥପତି। ଏହା ପୂର୍ବରୁ ଓଡ଼ିଶାରେ ସମ୍ରାଟ ଅଶୋକ ଏବଂ ଓଡ଼ିଆଙ୍କ ମଧ୍ୟରେ ସଂଗଠିତ ହୋଇଥିବା କଳିଙ୍ଗ ଯୁଦ୍ଧ ଏକ ମହାନ ବାର୍ତ୍ତା ଦେଉଛି। କଳିଙ୍ଗ ଯୁଦ୍ଧରେ ଓଡ଼ିଆଙ୍କ ସାମୂହିକ ଏକତା ଓ ଇଚ୍ଛା ଶକ୍ତି ହିଁ ଅଶୋକଙ୍କୁ ଚଣ୍ଡାଶୋକରୁ ଧର୍ମାଶୋକରେ ପରିଣତ କରିଥିଲା । ବୌଦ୍ଧ ଧର୍ମର ମାର୍ଗ ଓଡ଼ିଶା ଜରିଆରେ ହିଁ ଉଭା ହୋଇଛି, ଯାହା ଓଡ଼ିଶାର ଗୌରବମୟ ଇତିହାସକୁ ପ୍ରତିଫଳିତ କରୁଛି । ଶ୍ରୀ ପ୍ରଧାନ ସବୁ ଓଡ଼ିଆ ଲୋକମାନଙ୍କୁ ଓଡ଼ିଶାର ବିଷୟକୁ ଚାଟଜିପିଟି ମାଧ୍ୟମରେ ପ୍ରଶ୍ନ କରିବା ସହ ଓଡ଼ିଶାର ବ୍ରାଣ୍ଡକୁ ବିକଶିତ କରିବା ପାଇଁ ପରାମର୍ଶ ଦେଇଥିଲେ।
ଏହି ସାମ୍ବାଦିକତା ପୁରସ୍କାର ନେଇ ପଲ୍ଲିବାଣୀ ମିଶନର ଉଦ୍ୟମ ଏବଂ ପୁରସ୍କୃତ ସାମ୍ବାଦିକମାନଙ୍କ କାର୍ୟ୍ୟକୁ ଶ୍ରୀ ପ୍ରଧାନ ପ୍ରଶଂସା କରିଥିଲେ । ସେ କହିଥିଲେ ପୁରସ୍କୃତ ସାମ୍ବାଦିକମାନେ ନିଜ ନିଜ କ୍ଷେତ୍ରରେ ସ୍ୱତନ୍ତ୍ର ପରିଚୟ ତିଆରି କରିଛନ୍ତି । ନିରପେକ୍ଷ ସାମ୍ବାଦିକତାକୁ ଅଗ୍ରାଧିକାର ଦେଇ ରାଜ୍ୟ ଓ ଦେଶ ଉପରେ ଟିପ୍ପଣୀମାନ ରଖୁଛନ୍ତି । ସାମ୍ବାଦିକମାନେ ନିଜର କାର୍ୟ୍ୟରେ ଲୋକମାନଙ୍କ ସ୍ୱରକୁ ରାଜ୍ୟ ଓ ଦେଶରେ ଉପସ୍ଥାପନା କରିବା ପାଇଁ ପରାମର୍ଶ ଦେଇଥିଲେ କେନ୍ଦ୍ରମନ୍ତ୍ରୀ ।
ଉଲ୍ଲେଖନୀୟ ଯେ, ଏହି ପୁରସ୍କାର ସମାରୋହରେ ‘ଆଜ୍ ତକ୍’ର ସମ୍ପାଦକ ସଞ୍ଜୀବ ପାଲିଓ୍ୱଲ, ‘ହିନ୍ଦୁସ୍ତାନ’ର ସମ୍ପାଦକ ପ୍ରତାପ ସୋମବଂଶୀ, ‘ଲଲନଟପ’ର ସମ୍ପାଦକ ସୌରଭ ଦ୍ୱିବେଦୀଙ୍କୁ ଭାରତୀୟ ସାମ୍ବାଦିକତା ପୁରସ୍କାର-୨୦୨୫ରେ ସମ୍ମାନିତ କରାଯାଇଥିଲା । ସେହିପରି ଓଡ଼ିଶାର ‘ଅର୍ଗସ’ ଡିଜିଟାଲର ସମ୍ପାଦକ ସଂଗ୍ରାମ କେ.ସାରଙ୍ଗୀ, ‘ଦ’ ହିନ୍ଦୁ’ର ସ୍ପେଶାଲ କରେସପଣ୍ଡେଣ୍ଟ୍ ସତ୍ୟସୁନ୍ଦର ବାରିକ, ଦୈନିକ ସମ୍ବାଦର ସମ୍ବଲପୁର ଜିଲ୍ଲା ସମ୍ବାଦଦାତା ରତ୍ନାକର ଭୋଇ “ଓଡ଼ିଶା ସାମ୍ବାଦିକତା ପୁରସ୍କାର -୨୦୨୫”ରେ ସମ୍ମାନିତ ହୋଇଥିଲେ । ସମାରୋହରେ ଯୋଗଗୁରୁ ବାବା ରାମଦେବ, ନ୍ୟୁ ଇଣ୍ଡିଆନ ଏକ୍ସପ୍ରେସର ଗ୍ରୁପ ଏଡିଟର ସାନ୍ତ୍ୱନା ଭଟ୍ଟାଚାର୍ୟ୍ୟ ଏବଂ ପଲ୍ଲୀବାଣୀ ମିଶନର ଚେୟାରମ୍ୟାନ ରାମଚନ୍ଦ୍ର ନାଥ ପ୍ରମୁଖ ଉପସ୍ଥିତ ଥିଲେ । ଅତିଥିମାନଙ୍କ କରକମଳରେ ପଲ୍ଲୀବାଣୀ ମିଶନର ଏକ ବିଶେଷ ପତ୍ରିକା ମଧ୍ୟ ଉନ୍ମୋଚନ ହୋଇଥିଲା ।

  • Related Posts

    ପଶ୍ଚିମବଙ୍ଗରେ ପ୍ରଚାର ମଇଦାନରେ ମୋହନ ମାଝୀ

    ଭୁବନେଶ୍ୱର: ପଶ୍ଚିମବଙ୍ଗ ପ୍ରଚାର ମଇଦାନକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ପଶ୍ଚିମବଙ୍ଗରେ ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ । ନିର୍ବାଚନ ରାଲି ଓ ପ୍ରଚାର ସଭାକୁ ସମ୍ୱୋଧିତ କରି ବିଜେପି ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବେ । ପୂର୍ବରୁ…

    Continue reading
    ବଦଳିବେନି କଂଗ୍ରେସ ବିଧାୟକ ଦଳ ନେତା: ଭକ୍ତ ଦାସ

    ଭୁବନେଶ୍ୱର: କଂଗ୍ରେସ ବିଧାୟକଙ୍କ ଦିଲ୍ଲୀ ଗସ୍ତ ଏବଂ ବିଧାୟକ ଦଳ ନେତା ପରିବର୍ତ୍ତନ ଚର୍ଚ୍ଚା ଭିତରେ ବଡ଼ ବୟାନ ଦେଇଛନ୍ତି ପିସିସି ସଭାପତି । କହିଛନ୍ତି, କଂଗ୍ରେସ ବିଧାୟକ ମାନେ ଦିଲ୍ଲୀ ବୁଲିବାକୁ ଯାଇଛନ୍ତି । କଂଗ୍ରେସ ବିଧାୟକ ଦଳ ନେତା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ