
ଭୁବନେଶ୍ୱର: ପାନ୍ କାର୍ଡ ଅଚଳ କରିବାକୁ ଜଣେ ଚାଷୀଙ୍କ ଠାରୁ ୧୦ ହଜାର ଟଙ୍କା ଲାଞ୍ଚ ମାଗିବା ମହଙ୍ଗା ପଡିଛି ଆୟକର ବିଭାଗର ୩ ଅଧିକାରୀଙ୍କୁ । ସିବିଆଇ ୩ ଜଣଙ୍କ ନାଁରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ସେମାନେ ହେଲେ ଆୟକର ଇନ୍ସପେକ୍ଟର ଟି ସତ୍ୟନାରାୟଣ ରାଓ, କିରାଣି ଭୀମସେନ୍ ବାରିକ ଓ ଡାଟାଏଣ୍ଟି ଅପରେଟ କୁମାର ସମରେଶ ।
ଏୟାରଫିଲ୍ଡ ଥାନା ବାରକୁଦା ଗାଁର ରହୁଛନ୍ତି ଚାଷୀ ସୁବାଷ ଚନ୍ଦ୍ର ସାହୁ(୫୦) । କିଛିଦିନ ତଳେ ସେ ଆଧାର ସହ ପାନ୍ କାର୍ଡ ଲିଙ୍କ୍ କରାଇବାକୁ ଯାଇଥିଲେ । ସେଠାରେ ଜଣାପଡ଼ିଥିଲା ଆଧାର କାର୍ଡରେ ସୁବାଷଙ୍କ ବାପାଙ୍କ ନା ଯୋଗୀ ସାହୁ ଓ ପାନ୍ କାର୍ଡରେ ଯୋଗେନ୍ଦ୍ର ସାହୁ ଅଛି । ସେ ଏହି ତ୍ରୁଟିକୁ ସୁଧାରିବା ବଦଳରେ ସେ ନୂଆ ପାନ୍ କାର୍ଡ ଆବେଦନ କରିଥିଲେ । ନୂଆ ପାନ୍ କାର୍ଡ ମିଳିଗଲା । ୨ଟି ପାନ୍ କାର୍ଡ ରଖିବା ଅପରାଧ ବୋଲି ସେ ଜାଣି ନଥିଲେ । ଦିନେ ସେ ଟଙ୍କା ଉଠାଇବାକୁ ବ୍ୟାଙ୍କ୍କୁ ଯାଇଥିଲେ । ହେଲେ ସେଠାରେ କୌଣସି କାରବାର କରି ପାରିନଥିଲେ । ୨ଟି ପାନ୍ କାର୍ଡ ଥିବାରୁ ଏମିତି ସମସ୍ୟା ହେଉଛି ବୋଲି ବ୍ୟାଙ୍କ କର୍ମଚାରୀ କହିଥିଲେ । ଆୟକର ବିଭାଗ ଅଫିସ୍ ଯାଇ ଗୋଟିଏ ପାନ୍ କାର୍ଡ(ପୁରୁଣା)କୁ ଅଚଳ କରିବାକୁ ବ୍ୟାଙ୍କ କର୍ମଚାରୀ ତାଙ୍କ ପରାମର୍ଶ ଦେଇଥିଲେ ।
ସୁବାଷ ଆୟକର ବିଭାଗ ଅଫିସ୍କୁ ଯାଇ ପ୍ରଥମେ ଡାଟା ଏଣ୍ଟ୍ରି ଅପରେଟର ସମରେଶକୁ ଭେଟି ଘଟଣା ବିଷୟରେ ଜଣାଇଥିଲେ । ସମରେଶ ତାଙ୍କୁ କିରାଣି ଭୀମସେନଙ୍କ ପାଖକୁ ନେଇଥିଲେ । ଦୁଇ ଜଣ ତାଙ୍କୁ କହିଥିଲେ ୨ ହଜାର ଟଙ୍କା ଦେଲ ପୁରୁଣା ପାନ୍ କାର୍ଡ ଅଚଳ ହେବ । ତେବେ ପାଖରେ ଟଙ୍କା ନଥିବାରୁ ସୁବାଷ ବଡ଼ ବାବୁଙ୍କୁ ଭେଟିବାକୁ କହିଥିଲେ । ଦୁଇ ଜଣ ତାଙ୍କୁ ଧରି ଇନ୍ସପେକ୍ଟର ଟି ସତ୍ୟନାରାୟଣଙ୍କ ପାଖକୁ ନେଇଥିଲେ । ସବୁ ଶୁଣିବା ପରେ ସତ୍ୟନାରାୟଣ ୧୦ ହାଜର ଟଙ୍କା ଦାବି କରିଥିଲେ । ଏମିତିକି ତାଙ୍କ ଅବେଦନ ଫର୍ମ ରଖିବାକୁ ମଧ୍ୟ ମନା କରି ଦେଇଥିଲେ । ହେଲେ ତାଙ୍କ ଟେବୁଲ୍ ଉପରେ ସୁବାଷ ଚିଠି ରଖି ପଳାଇ ଆସିଥିଲେ । ପରେ ସେ ଏନେଇ ସିବିଆଇକୁ ଜଣାଇଥିଲେ । ସିବିଆଇ ୩ ଜଣଙ୍କ ବିରୋଧରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।




