
ଭୁବନେଶ୍ବର: ଏଣିକି ମେଡିକାଲ ପାଠପଢା ପାଇଁ ଅଧିକ ଟଙ୍କା ଦେବାକୁ ପଡିବ । ରାଜ୍ୟରେ ୩ ପ୍ରମୁଖ ଘରୋଇ ମେଡିକାଲ କଲେଜ ଫି୍ ବୃଦ୍ଧି କରିଛନ୍ତି । ରାଜ୍ୟର ପ୍ରମୁଖ ୩ ମେଡିକାଲ କଲେଜର ନାମଲେଖା ଫି ବୃଦ୍ଧି କରାଯାଇଛି । ସେଗୁଡିକ ହେଲା – ଡ୍ରିମ୍ସ ମେଡିକାଲ କଲେଜ, କଟକ ଓ ହାଇଟେକ୍ ରାଉରକେଲା ଏବଂ ହାଇଟେକ ଭୁବନେଶ୍ୱର । ଏମ୍ବିବିଏସ୍ ପଢ଼ିବାକୁ ଯାଉଥିବା ଛାତ୍ରଛାତ୍ରୀଙ୍କୁ ପାଖାପାଖି ପ୍ରାୟ ୭୫ ପ୍ରତିଶତ ଫି ଅଧିକ ଦେବାକୁ ପଡ଼ିବ ।ପୂର୍ବରୁ କୌଣସି ସୂଚନା ନ ଦେଇ ଫି ବୃଦ୍ଧି କରାଯାଇଥିବାରୁ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି । ତିନି ବର୍ଷ ତଳେ ସରକାରୀ ମେଡିକାଲ କଲେଜର ନାମଲେଖା ଫି ବୃଦ୍ଧି ହୋଇଥିଲା । ଯାହା ଫଳରେ ଅନେକ ଗରିବ ମେଧାବୀ ଛାତ୍ରଛାତ୍ରୀ ମାନେ ମେଡିକାଲ ପାଠପଢ଼ାରୁ ବଞ୍ଚିତ ହୋଇଥିଲେ । ବର୍ତ୍ତମାନ ସମୟରେ ପୁଣି ଥରେ ପାଠ୍ୟକ୍ରମରେ ଏହି ତିନୋଟି ଘରୋଇ ମେଡିକାଲ କଲେଜ ଫି ଅହେତୁକ ବୃଦ୍ଧି ପାଇଛି ଯାହା ଫଳରେ କି ଗରିବ ମେଧାବୀ ଛାତ୍ରଛାତ୍ରୀଙ୍କ ଡାକ୍ତରୀ ପାଠପଢ଼ା ସ୍ବପ୍ନରେ ଡୋରି ବାନ୍ଧିଛି ।ଫି ବୃଦ୍ଧିକୁ ଅଭିଭାବକ ସହଜରେ ଗ୍ରହଣ କରି ପାରିନାହାନ୍ତି । କାଉନସେଲିଂ ପାଇଁ ଚଏସ୍ ଲକିଂ ଓ ଫିଲିଂ ଶେଷ ହୋଇ ସାରିଥିବା ବେଳେ ହଠାତ୍ ଫି ବୃଦ୍ଧି ଯୋଗୁ ଅଭିଭାବକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ସେମାନେ ପୂର୍ବ ବର୍ଷ ଧାର୍ୟ୍ୟ ଫି ଅନୁଯାୟୀ ପିଲାଙ୍କ ନାମଲେଖା ପାଇଁ ପ୍ରସ୍ତୁତ ହୋଇଥିବା ବେଳେ ଏବେ ୫୦ ପ୍ରତିଶତରୁ ଅଧିକ ଫି ବୃଦ୍ଧି ଚିନ୍ତାର କାରଣ ପାଲଟିଛି । ତେବେ ରାଜ୍ୟ ସରକାର ଏନେଇ ଆଉ ଥରେ ବିଚାର କରିବାକୁ ଦାବି କରିଛନ୍ତି ଅଭିଭାବକ ମହାସଂଘର ସଭାପତି ବାସୁଦେବ ଭଟ୍ଟ ।




