
ପୁରୀ: ଆଜି ରୁକ୍ମିଣୀ ହରଣ ଏକାଦଶୀ। ଗତକାଲି ରାଜେନ୍ଦ୍ରାଭିଷେକ ପରେ ଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେଉଛି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ବିବାହ ଉତ୍ସବ। ଶ୍ରୀମନ୍ଦିରରେ ଅପରାହ୍ନ ୧ ଟା ରୁ ଠାରୁ ସନ୍ଧ୍ୟା ୬ଟା ପର୍ୟ୍ୟନ୍ତ ବନ୍ଦ ରହିବ ସର୍ବସାଧାରଣ ଦର୍ଶନ। ଶ୍ରୀମନ୍ଦିରରେ ରୁକ୍ମିଣୀ ହରଣ ଓ ବିବାହ ଉତ୍ସବ ନୀତି ପାଇଁ ବନ୍ଦ ରହିବ ଦର୍ଶନ। ଜ୍ୟେଷ୍ଠ ଶୁକ୍ଳ ଏକାଦଶୀ ତିଥି ଅବସରରେ ଏହି ନୀତି ଅନୁଷ୍ଠିତ ହେବ।
ପ୍ରଥମ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ଏହି ନୀତି ଅନୁଷ୍ଠିତ ହେବ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି। ସକାଳ ଧୂପ ପୂଜା ବସିବା ସମୟରେ ଦକ୍ଷିଣୀ ଘରେ ମଦନ ମୋହନଙ୍କ ବେଶ ହେବ। ଏହାପରେ ମଦନମୋହନ ରତ୍ନ ସିଂହାସନକୁ ବିଜେ ହେବେ। ଭୋଗ ମଣ୍ଡପ ଶେଷ ପରେ ମଦନମୋହନ ମହାପ୍ରଭୁଙ୍କ ଠାରୁ ଆଜ୍ଞା ମାଳ ପାଇ ଜୟବିଜୟ ଦ୍ୱାରକୁ ବିଜେ କରିବେ। ସକାଳ ଧୂପ ପୂଜା ବଢିବା ପରେ ପୂଜାପଣ୍ଡା ସାମନ୍ତ ଶ୍ରୀଜଗନ୍ନାଥଙ୍କ ଶ୍ରୀଅଙ୍ଗରୁ ଆଜ୍ଞାମାଳ ନେଇ ଶ୍ରୀଦେବୀ ରୁକ୍ମିଣୀଙ୍କୁ ଦେବା ପରେ ମହାଜନ ସେବକ ରୁକ୍ମିଣୀଙ୍କୁ ସାତ ପାହାଚରେ ଥିବା ପାଲିଙ୍କିରେ ବିଜେ କରାଇବେ। ପରେ ବିମାନବଡୁ ସେବକ ପାଲିଙ୍କିକୁ ମହାଲକ୍ଷ୍ମୀ ମନ୍ଦିରକୁ ବିଜେ କରାଇ ଅନ୍ୟାନ୍ୟ ନୀତି ବଢିବା ପରେ ବେଶ ସମ୍ପର୍ଣ୍ଣ ହେବ। ପୁନର୍ବାର ଅନ୍ୟାନ୍ୟ ନୀତି ବଢ଼ି ଶ୍ରୀବିଗ୍ରହ ମାନଙ୍କ ମହାସ୍ନାନ ହୋଇ ନୂଆ ଲୁଗା ଲାଗି କରାଯିବ। ସନ୍ଧ୍ୟାଧୂପ ନୀତି ବଢ଼ି ସାରିବା ପରେ ମହାପ୍ରଭୁଙ୍କର ବିବାହ ଉତ୍ସବ ଅନୁଷ୍ଠିତ ହେବ।