
ଭୁବନେଶ୍ୱର: ରାଜ୍ୟରେ ବିଜେପି ସରକାର ବର୍ଷ ପୂର୍ତ୍ତି ଅବସରରେ ଭୁବନେଶ୍ୱରରେ ଆୟୋଜିତ ବିଶାଳ ଜନସମାବେଶରେ ଯୋଗ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଜନତା ମଇଦାନର ଭବ୍ୟ ସମାରୋହରେ ପ୍ରଧାନମନ୍ତ୍ରୀ ମୋଦୀ ୧୦୫ଟି ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କରିଛନ୍ତି । ୬୦ ପ୍ରକଳ୍ପର ଶିଳାନ୍ୟାସ ଏବଂ ୪୫ ପ୍ରକଳ୍ପର ଲୋକାର୍ପଣ କରିଛନ୍ତି । ଏହି ପ୍ରକଳ୍ପଗୁଡ଼ିକର ମୂଲ୍ୟ ୧୮ ହଜାର ୬୫୩ କୋଟି । କାର୍ୟ୍ୟକ୍ରମରେ ପ୍ରଧାନମନ୍ତ୍ରୀ ବିକଶିତ ଓଡ଼ିଶା ଓ ଭାରତ ଗଠନ ପାଇଁ ପ୍ରସ୍ତୁତ ‘ଭିଜନ ଡକ୍ୟୁମେଣ୍ଟ’ ପୁସ୍ତକ ଉନ୍ମୋଚନ କରିଛନ୍ତି । ଏହାସହ ‘ବରପୁତ୍ର ସମ୍ମାନ’ ଯୋଜନାର ଶୁଭାରମ୍ଭ, ‘ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ’ ଯୋଜନାର ପୁସ୍ତିକା ଉନ୍ମୋଚନ କରିଛନ୍ତି । ସେହିପରି ୧୦୦ ଇ-ବସ୍ର ଶୁଭାରମ୍ଭ, ବୌଦ୍ଧକୁ ଟ୍ରେନ ଚଳାଚଳର ଶୁଭାରମ୍ଭ କରିଛନ୍ତି ।
ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ‘ମୁଁ ଦୁଇ ଦିନ ତଳେ ଜି୭ ସମ୍ମିଳନୀ ପାଇଁ କାଡାନାରେ ଥିଲି । ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ମୋତେ ଫୋନ କରି ୱାଶିଂଟନ ଗସ୍ତ ପାଇଁ ଆମନ୍ତ୍ରଣ କରିଥିଲେ । ମୁଁ ଆମେରିକା ରାଷ୍ଟ୍ରପତିଙ୍କୁ ତାଙ୍କ ନିମନ୍ତ୍ରଣ ପାଇଁ ଧନ୍ୟବାଦ ଜଣାଇ କହିଥିଲି, ମହାପ୍ରଭୁଙ୍କ ମାଟିକୁ ଯିବା ମୋ ପାଇଁ ଅଧିକ ଜରୁରି । ମୁଁ ତାଙ୍କ ନିମନ୍ତ୍ରଣକୁ ନମ୍ରତା ସହ ଆଗ୍ରହ୍ୟ କଲି । ଆପଣଙ୍କ ପ୍ରେମ ମୋତେ ମହାପ୍ରଭୁଙ୍କ ମାଟିକୁ ଟାଣି ଆଣିଛି ।’