ଆଜିଠୁ ମିଳିବ ନୀଳାଚଳ ଅବଢ଼ା

ପୁରୀ: ଶେଷ ହୋଇଛି ଶ୍ରୀଗୁଣ୍ଡିଚା ଯାତ୍ରା। ନୀଳକନ୍ଦରକୁ ବିଜେ କରିଛନ୍ତି ନୀଳାଦ୍ରିନାଥ। ଦେବସ୍ନାନ ପୂର୍ଣ୍ଣିମାଠାରୁ ଅର୍ଥାତ୍‌‌ ୨୭ ଦିନ ଧରି ଶୂନ୍ୟ ପଡ଼ିଥିବା ରତ୍ନସିଂହାସନ ପୁଣି ପୂରିଉଠିଛି। ବିଜେ କରିଛନ୍ତି ବିଶ୍ୱନିୟନ୍ତା। ଏଥିସହ ଚଳିତବର୍ଷର ରଥଯାତ୍ରା ପରିସମାପ୍ତି ଘଟିଛି। ଅଭିମାନିନୀ ଲକ୍ଷ୍ମୀ ସାଆନ୍ତାଣୀଙ୍କୁ ରସଗୋଲା ଖୁଆଇ ମାନଭଞ୍ଜନ କରିବା ପରେ ରତ୍ନବେଦୀକୁ ବିଜେ କରିଛନ୍ତି କାଳିଆ ସାଆନ୍ତ। ଆଜିଠାରୁ ବଡ଼ଦେଉଳରେ ପୁଣି ଆରମ୍ଭ ହୋଇଛି ିଦାରୁଦିଅଁଙ୍କ ଲୀଳାଖେଳା। ଚଳଚଞ୍ଚଳ ହୋଇଛି ରୋଷଶାଳା, ବାହାରିବ ନୀଳାଚଳ ଅବଢ଼ା। ଭକ୍ତ ପାଇବେ ମହାପ୍ରସାଦ, ଆଉ ଶ୍ରୀମନ୍ଦିରରେ ଲାଗିବ ଗହଳ ଚହଳ।
ଜୁନ୍‌ ୨୭ରେ ଆରମ୍ଭ ହୋଇଥିଲା ଚତୁର୍ଦ୍ଧାବିଗ୍ରହଙ୍କ ଶ୍ରୀଗୁଣ୍ଡିଚା ଯାତ୍ରା। ନବଦିନାତ୍ମକ ଯାତ୍ରା ଶେଷ କରି ବାହୁଡ଼ାରେ ଶ୍ରୀମନ୍ଦିର ଅଭିମୁଖେ ବାହାରି ସିଂହଦ୍ୱାରରେ ପହଞ୍ଚିଥିଲେ ଦାରୁବିଗ୍ରହ। ସୁନାବେଶରେ ଲକ୍ଷ ଲକ୍ଷ ଭକ୍ତଙ୍କୁ ଦର୍ଶନ ଦେଇ ଏବେ ରତ୍ନସିଂହାସନକୁ ବିଜେ କରିଛନ୍ତି ମହାପ୍ରଭୁ। ମଙ୍ଗଳବାର ନୀଳାଦ୍ରିବିଜେ ପାଇଁ ସକାଳ ୭ଟା ୧୦ ସୁଦ୍ଧା ତିନିରଥରେ ମଙ୍ଗଳ ଆଳତି ହୋଇଥିଲା। ଅପରାହ୍‌ଣ ୨ଟା ୩୦ରୁ ୨ଟା ୪୦ରେ ସନ୍ଧ୍ୟା ଆଳତି ଏବଂ ଅପରାହ୍‌ଣ ୨ଟା ୫୫ରୁ ୩ଟା ୩୦ ମଧ୍ୟରେ ତିନିରଥରେ ସନ୍ଧ୍ୟା ଧୂପ ନୀତି ବଢ଼ିଥିଲା। ପରେ କୋଠ ସୁଆଁସିଆମାନେ ଠାକୁରଙ୍କ ବିଜେ ପାଇଁ ରତ୍ନସିଂହାସନରେ ଚାର ବାନ୍ଧିଥିଲେ। ବଡ଼ଓଡ଼ିଆ ମଠ ମହନ୍ତ ଅଧିକାରୀ ବଂଶୀଧର ଦାସ ଗୋସ୍ୱାମୀ ଶ୍ରୀମନ୍ଦିରରେ ପହଞ୍ଚି ରତ୍ନସିଂହାସନ ମାଜଣା କରିଥିଲେ। ମଠ ପକ୍ଷରୁ ରତ୍ନସିଂହାସନ ଉପରେ କନକମୁଣ୍ଡି ଚାନ୍ଦୁଆ ବନ୍ଧା ଯାଇଥିଲା। ଏତଦ୍‌ବ୍ୟତୀତ ନୀଳଚକ୍ରରେ ମଠ ପ୍ରଦତ୍ତ ପତିତପାବନ ବାନା ଚୁନରା ସେବକ ବାନ୍ଧିଥିଲେ। ସନ୍ଧ୍ୟା ୭ଟା ୨୦ରେ ପୁଷ୍ପାଞ୍ଜଳି ପ୍ରଦାନ ପରେ ବାଜିଥିଲା ବିଜେକାହାଳୀ। ପ୍ରଥମେ ତାଳଧ୍ୱଜ ପରେ ନନ୍ଦିଘୋଷ ଓ ଶେଷରେ ଦେବଦଳନ ରଥରେ ପୁଷ୍ପାଞ୍ଜଳି ପ୍ରଦାନ କରିଥିଲେ ମୁଦିରସ୍ତ। ପରେ ଡୋରଲାଗି ହୋଇ ସନ୍ଧ୍ୟା ୭ଟା ୨୫ରେ ପହଣ୍ଡି ଆରମ୍ଭ ହୋଇଥିଲା। ହରିବୋଲ, ହୁଳହୁଳି ଓ ଜୟଜଗନ୍ନାଥ ଧ୍ୱନିରେ ପ୍ରକମ୍ପିତ ହୋଇଥିଲା ସିଂହଦ୍ୱାର। ନନ୍ଦିଘୋଷ ରଥରୁ ମଦନମୋହନ ଓ ତାଳଧ୍ୱଜ ରଥରୁ ରାମ, କୃଷ୍ଣଙ୍କୁ ମହାଜନ ସେବକମାନେ ହାତରେ ଦକ୍ଷିଣୀ ଘରକୁ ବିଜେ କରାଇଥିଲେ। ପରେ ଆରମ୍ଭ ହୋଇଥିଲା ଚତୁର୍ଦ୍ଧାବିଗ୍ରହଙ୍କ ପହଣ୍ଡି। ଗୋଟି ପହଣ୍ଡିରେ ରଥରୁ ନୀଳକନ୍ଦର ଅଭିମୁଖେ ବାହାରିଥିଲେ ଠାକୁର।

କାଳିଆ ସାଆନ୍ତ ରଥରୁ ଓହ୍ଲାଉଥିବା ଦେଖି ଲକ୍ଷ୍ମୀ ସାଆନ୍ତାଣୀ ଚାହାଣୀ ମଣ୍ଡପକୁ ବିଜେ କରିଥିଲେ। ଭେଟ ମଣ୍ଡପରୁ ଭିତରଚ୍ଛ ମହାପାତ୍ର ମହାଲକ୍ଷ୍ମୀଙ୍କୁ ମହାପ୍ରଭୁଙ୍କ ସହ ଭେଟ କରାଇଥିଲେ। ପରେ ଶ୍ରୀଜଗନ୍ନାଥ ରତ୍ନସିଂହାସନ ଅଭିମୁଖେ ବାହାରିଥିଲେ। କିନ୍ତୁ ଲକ୍ଷ୍ମୀ ଠାକୁରାଣୀ ଅଭିମାନରେ ସିଂହଦ୍ୱାରକୁ ବନ୍ଦ କରିଦେଇଥିଲେ। କିଛି ସମୟ ପରେ ସିଂହଦ୍ୱାର ଖୋଲି ଭିତରକୁ ପଳାଇଥିଲେ ମହାଲକ୍ଷ୍ମୀ। ପରେ ଶ୍ରୀମନ୍ଦିର ଭିତରକୁ ବିଜେ କରିଥିଲେ ମହାପ୍ରଭୁ। କିନ୍ତୁ ସେତେବେଳେ ଜୟବିଜୟ ଦ୍ୱାର ବନ୍ଦ ରହିଥିଲା। ସେଠାରେ ବଚନିକା ସରିବା ପରେ ଶ୍ରୀଜଗନ୍ନାଥଙ୍କର ଭଣ୍ଡାର ଘର ନିକଟରେ ଲକ୍ଷ୍ମୀଙ୍କ ସହ ଭେଟ ହାଇଥିଲା। ସେଠାରେ ବିବାହର ଗଇଁଠାଳ ଫିଟାଯାଇଥିଲା। ଏହି ନୀତିକୁ ଭିତରଚ୍ଛ ମହାପାତ୍ର ସମ୍ପାଦନ କରିଥିଲେ। ପରେ ସେଠାରେ ବନ୍ଦାପନା ଏବଂ ରସଗୋଲା ଭୋଗ ହୋଇଥିଲା। ଅର୍ଥାତ୍‌ କାଳିଆ ସାଆନ୍ତ ରସଗୋଲା ଖୁଆଇ ଲକ୍ଷ୍ମୀ ସାଆନ୍ତାଣୀଙ୍କ ମାନଭଞ୍ଜନ କରିଥିଲେ। ଘଷାବିଡ଼ିଆ ଓ ମଣୋହି ପରେ ମହାପ୍ରଭୁ ରତ୍ନସିଂହାସନକୁ ବିଜେ କରିଥିଲେ।

  • Related Posts

    ରେକର୍ଡ ଡାନ୍ସ ନହେବାରୁ ହଙ୍ଗାମା

    ବ୍ରହ୍ମପୁର: ରେକର୍ଡ ଡାନ୍ସ ନହେବାରୁ ହଙ୍ଗାମା। ଦଣ୍ଡନାଚରେ ହୋହଲ୍ଲା କଲେ ସ୍ଥାନୀୟ ଲୋକେ। ବାଧ୍ୟ ହୋଇ କାର୍ଯ୍ୟକ୍ରମ ବନ୍ଦ କଲେ ଦଣ୍ଡନାଚ ଯାତ୍ରା ପାର୍ଟି। ଗତକାଲି ରାତିରେ ବ୍ରହ୍ମପୁର ହିଲପାଟଣା ଅଂଚଳରେ ଦଣ୍ଡନୃତ୍ୟ ଅନୁଷ୍ଠିତ ହୋଇଥିଲା। ସାମାଜିକ ନାଟକ ପରିବେଷଣ ହେଉଥିଲା।…

    Continue reading
    ଆଜିଠୁ ବଢ଼ିବ କାଳବୈଶାଖୀ ବର୍ଷା

    ଭୁବନେଶ୍ୱର: ରବିବାରଠାରୁ ରାଜ୍ୟରେ କାଳବୈଶାଖୀ ପ୍ରଭାବରେ ବର୍ଷା ବଢ଼ିପାରେ । ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ଆଶଙ୍କା । ୪୦ରୁ ୫୦ କିମି ବେଗରେ ପବନ ବହିବ । ଉତ୍ତର ଓଡ଼ିଶା ଓ ଆଭ୍ୟନ୍ତରୀଣ ଓଡ଼ିଶାର କିଛି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ